ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ‘ପଞ୍ଜାବରେ ଘୃଣା ସୃଷ୍ଟି କରି ଉତ୍ତର ପ୍ରଦେଶ ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି’

478

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଢିଲା ପ୍ରସଙ୍ଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି କି ଏହି ମାମଲାରେ ପଞ୍ଜାବର କୌଣସି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହଁ ।

ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟରେ ଆଚାର ସଂହିତା ଲାଗିଛି, ଏନେଇ ପ୍ରଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ଏକ ଇଣ୍ଟଭ୍ୟୁରେ କହିଛନ୍ତି କି , ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ସୁରକ୍ଷା କଡାକଡି କରାଯାଇଥିଲା । ଏନେଇ କୃଷକଙ୍କ ଧାରଣାକୁ ଦୋଷ ଦିଆଯାଉଥିବା ବେଳେ କୌଣସି କୃଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଚନ୍ନି ସ୍ପଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି କି ଯଦି ପ୍ରଧାନମନ୍ତ୍ରୀଙ୍କୁ ୧୦ ମିନିଟ ଅପେକ୍ଷା କରିବାକୁ ପଡିଲା ତ କ’ଣ ହୋଇଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ କୌଣସି ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଯାଇ ନାହାଁନ୍ତି କି ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି କୌଣସି ତରଫରୁ ବିପଦ ନଥିଲା ବୋଲି ଚନ୍ନି କହିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ରାଲିକୁ କେବଳ ପଞ୍ଜାବୀ ହିସାବରେ କ୍ୟାପଟେନ ଅମରିନ୍ଦର ସିଂ ହିଁ ଯାଇଥିଲେ । ଅନ୍ୟ କୌଣସି ପଞ୍ଜାବୀ ସେହି ରାଲିରେ ଯୋଗ ଦେଇନଥିଲେ । ଏହି କାରଣରୁ ପଞ୍ଜାବ ସରକାରଙ୍କୁ ବଦନାମ କରିବାକତୁ ବିଜେପି ପକ୍ଷରୁ ଏଭଳି ଷଡଯନ୍ତ୍ର କରାଯାଇଛି । ସେ ଆହୁରି କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ସଭାରେ ୭୦ ହଜାର ଚେୟାର ପଡିଥିଲା ମାତ୍ର ସଭା ସ୍ଥଳକୁ ୭୦୦ ଲୋକ ବି ଆସି ନଥିଲେ । ଏହି କାରଣରୁ ପ୍ରଧାନମନ୍ତ୍ରୀ ରାଲିକୁ ଯାଇ ନଥିଲେ । ଉତ୍ତର ପ୍ରଦେଶରେ ନିର୍ବାଚନ ଜିତିବାକୁ ପଞ୍ଜାବରେ ଘୃଣା ସୃଷ୍ଟି କରାଯାଉଛି ବୋଲି ବିଜେପି ଉପରେ ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି । ଚନ୍ନି ଆହୁରି କହିଛନ୍ତି କି ସେ ମୁଖ୍ୟମନ୍ତ୍ରୀ ହେବାର ୧୧୧ ଦିନ ମଧ୍ୟରେ ୧୧୦୦ କାମ କରିଛନ୍ତି । ଲୋକଙ୍କ ସମସ୍ୟା ଦୂର ହେଉଛି । ଅନ୍ୟପଟେ କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଚନ୍ନି କହିଛନ୍ତି ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସେ ମାନିବେ ।