ଶାସକ ଦଳକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ କଟାକ୍ଷ । ‘ସେମାନେ ଚାହୁଁଛନ୍ତି ନ୍ନ୍ୟାୟପାଳିକା ସେମାନଙ୍କ ଏଜେଣ୍ଡାକୁ ସମର୍ଥନ କରୁ’

166

କନକ ବ୍ୟୁରୋ : ଭାରତର ମୁଖ୍ୟ ବିଚାରପତି ଏନ ଭି ରମନ୍ନା ଲୋକତନ୍ତ୍ରରେ ନ୍ୟାୟପାଳିକାର ଭୂମିକାକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଭାରତରେ ଥିବା ରାଜନୈତିକ ଦଳମାନଙ୍କର ଏକ ଭୁଲ ଧାରଣା ରହିଛି କି ନ୍ୟାୟ ପାଳିକା ସେମାନଙ୍କ କାର୍ଯ୍ୟକୁ ସମର୍ଥନ କରିବା ଦରକାର । ସେ କହିଛନ୍ତି କି ଲୋକତନ୍ତ୍ରରେ ନ୍ୟାୟପାଳିକା ଏକ ସ୍ୱତନ୍ତ୍ର ଅଙ୍ଗ ଜିଏ କି କେବଳ ସମ୍ବିଧାନ ପ୍ରତି ଜବାବଦେହୀ । ନ୍ୟାୟ ପାଳିକା କେବେ ବି କୌଣସି ରାଜନୈତିକ ଦଳ କିମ୍ବା କୌଣସି ବିଚାରଧାରା ପ୍ରତି ଜବାବଦେହୀ ନୁହେଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

ସେ ଆହୁରି କହିଛନ୍ତି କି ରାଜନୈତିକ ଦଳମାନଙ୍କ ମଧ୍ୟରେ ଏବେ ବି ଗୋଟିଏ ଭୁଲ ଧାରଣା ରହିଛି ନ୍ୟାୟପାଳିକା ରାଜନୈତିକ ଏଜେଣ୍ଡାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ମୁଖ୍ୟ ବିଚାରପତି ଆମେରିକାର କାର୍ଲିଫର୍ଣ୍ଣିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ବିବୃତ୍ତି ଦେଇଛନ୍ତି ।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ରମନ୍ନା କହିଛନ୍ତି କି, ଭାରତ ବର୍ଷ ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି । ଏହାସହ ସେ ଅବଶୋଷର ସହ କହିଛନ୍ତି କି ଦେଶରେ ପ୍ରତିଟି ସଂସ୍ଥାନକୁ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ଭୂମିକା ଓ ଦାୟୀତ୍ୱ ବାବଦରେ ଏବେ ବି ସେମାନେ ଅଜ୍ଞ ଅଛନ୍ତି ବା ସେମାନେ ଜାଣିଶୁଣି ତାହା ପାଳନ କରିବାକୁ ଚାହୁଁ ନାହାଁନ୍ତି ।

ସେ ଆହୁରି କହିଛନ୍ତି କି, ଏଭଳି ଚିନ୍ତାଧାରା ସମ୍ବିଧାନ ଓ ଗଣତନ୍ତ୍ରର ବୁଝାମଣାରୁ ଉତ୍ପନ ହୋଇଛି । ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଚାରିତ ଅଜ୍ଞତା ହିଁ ଏପରି ଶକ୍ତିର ସାହାଯ୍ୟରେ ଆସୁଛି । ଯାହାର ଏକମାତ୍ର ଲକ୍ଷ୍ୟ ହେଉଛି ଏକମାତ୍ର ସ୍ୱାଧୀନ ଅଙ୍ଗ ନ୍ୟାୟପାଳିକାକୁ ହଟାଇଦେବା । ଜଷ୍ଟିସ ଏନଭି ରମନ୍ନା କହିଛନ୍ତି କି କେବଳ ନ୍ୟାୟପାଳିକା ହେଉଛି ସମ୍ବିଧାନ ନିକଟରେ ଉତ୍ତରଦାୟୀ । ଆମକୁ ଭାରତର ସାମ୍ବିଧାନିକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ।