ଭୂତଳ ଜଳ ବ୍ୟବହାର ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର । ଖବରକାଗଜରେ ଦେଲେ ବିଜ୍ଞାପନ

257

କନକ ବ୍ୟୁରୋ: ସାରା ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି ଭୂତଳ ଜଳ ସ୍ତର । ଏହାକୁ ଦୃଷ୍ଟିରେ ରଖି ଭୂତଳ ଜଳ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର । ଏଣିକି ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ ଅଧିନରେ ଥିବା କେନ୍ଦ୍ରୀୟ ଭୂତଳ ଜଳ କର୍ତ୍ତୃପକ୍ଷ- ‘ସିଜିଡବ୍ଲୁଏ’ର ବିନା ଅନୁମତିରେ ବ୍ୟବହାର କରିହେବନି ଭୂତଳ ଜଳ । ଏନେଇ ବିଭାଗ ପକ୍ଷରୁ ଖବରକାଗଜରେ ବିଜ୍ଞପ୍ତି ଦିଆଯାଇଛି ।

ତେବେ ଆପାର୍ଟମେଣ୍ଟ, ହାଉସିଂ ସୋସାଇଟି, ସହରାଞ୍ଚଳରେ ସରକାରଙ୍କ ଜଳ ଯୋଗାଣ ବ୍ୟବସ୍ଥା, ବହୁ ପରିମାଣରେ ପାଣି ଯୋଗାଣ, ଶିଳ୍ପ ସଂସ୍ଥା, ଭିତିଭୂମି ସଂସ୍ଥା, ଖଣି ପ୍ରକଳ୍ପ ପାଇଁ ଭୂତଳ ଜଳ ଯୋଗାଣ କ୍ଷେତ୍ରରେ ଏହି କଟକଣା ଲଗାଯାଇଛି । ଏପରିକି ସୁଇମିଂ ପୁଲ କରିବା ପାଇଁ ଭୂତଳ ଜଳ ବ୍ୟବହାର କରିବାକୁ ଚାହୁଁଥିଲେ ମଧ୍ୟ ସିଜିଡବ୍ଲୁଏର ଅନୁମତି ନେବାକୁ ପଡିବ । ଏଥିପାଇଁ ୧୦ହଜାର ଟଙ୍କାର ପଞ୍ଜୀକରଣ ଫି ଦାଖଲ କରିବାକୁ କୁହାଯାଇଛି । ଏପରିକି ସିଜିଡବ୍ଲୁଏର ଅନୁମତି ନନେଇ ଭୂତଳ ଜଳ ବ୍ୟବହାର କରୁଥିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି ।

ତଳକୁ ଖସୁଛି ଭୂତଳ ଜଳସ୍ତର

  • ରାଜ୍ୟର ୪୬ ବ୍ଲକରେ ଉତ୍କଟ ହେଉଛି ସ୍ଥିତି
  • ୬ଟି ବ୍ଳକରେ ସ୍ଥିତି ସାଂଘାତିକ
  • ବାଲିଆପାଳ, କୋରେଇ ଓ ଗରଦପୁରରେ ସ୍ଥିତି ସାଂଘାତିକ
  • ଭୁବନେଶ୍ୱର, ବୋଲଗଡ଼ ଓ ନୂଆପଡ଼ା ବ୍ଳକର ଅବସ୍ଥା ସଂଗୀନ
  • ଦ୍ରୁତବେଗରେ ଖସିଚାଲିଛି ଭୂତଳ ଜଳ ସ୍ତର
  • ଆଗକୁ ପିଇବା ପାଇଁ ପାଣି ମିଳିବା ବି ହୋଇଯିବ କଷ୍ଟକର
  • ବାଲିଆପାଳରେ ୮୬ ପ୍ରତିଶତ ଭୂତଳ ଜଳ ଖର୍ଚ୍ଚ ହେଉଛି
  • ଜଳସେଚନ, କାରଖାନା ଓ ଘରୋଇ ବ୍ୟବହାର ପାଇଁ ହେଉଛି ଖର୍ଚ୍ଚ
  • କୋରେଇରେ ବି ୮୬ ପ୍ରତିଶତ ଭୂତଳ ଜଳ କଢ଼ା ଯାଉଛି
  • ଗରଦପୁର ବ୍ଳକରେ ୭୪ ପ୍ରତିଶତ ଭୂତଳ ଜଳ ବ୍ୟବହାର ହେଉଛି
  • ଭୁବନେଶ୍ୱର ଓ ବୋଲଗଡ଼ ବ୍ଲକରେ ମାଟି ତଳୁ ୮୦ ପ୍ରତିଶତ ପାଣି କଢ଼ା ଯାଉଛି
  • ନୂଆପଡ଼ାରେ ୭୫ ପ୍ରତିଶତ ଜଳ ଖର୍ଚ୍ଚ ହେଉଛି
  • ରାଜ୍ୟର ୬ଟି ବ୍ଳକରେ ଭୂତଳ ଜଳ ସ୍ଥିତି ସଂକଟଜନକ ରହିଛି
  • ୪୬ଟି ବ୍ଲକରେ ବିପଦ ଆଡକୁ ମୁହାଁଉଛି
  • ଏହିସବୁ ବ୍ଳକରେ ୬୦ରୁ ୭୦ ପ୍ରତିଶତ ଭୂତଳ ଜଳ ବ୍ୟବହାର ହେଉଛି