ଚନ୍ଦ୍ର ଆଡକୁ ଆଉ ପାଦେ ବଢ଼ିଲା ଭାରତ: ଶେଷ କକ୍ଷପଥରେ ପହଁଚିଲା ‘ଚନ୍ଦ୍ରଯାନ ଥ୍ରୀ’

382

କନକ ବ୍ୟୁରୋ: ଚନ୍ଦ୍ରର ଆହୁରି ନିକଟତର ହେଉଛି ଚନ୍ଦ୍ରଯାନ-ଥ୍ରୀ । ନିଜ ଶେଷ କକ୍ଷପଥ ଚନ୍ଦ୍ରଚାରିପଟେ ଏବେ ଘୁରୁଛି ଚନ୍ଦ୍ରଯାନ । ବର୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ସବୁଠୁ କମ୍ ୧୫୩ କିମି ଓ ସବୁଠୁ ଅଧିକ ୧୬୩ କିମି ଦୂରରେ ଅଣ୍ଡାକାର ପଥରେ ଘରୁଛି ଚନ୍ଦ୍ରଯାନ ଥ୍ରୀ । ଆସନ୍ତକାଲି ଚନ୍ଦ୍ରଯାନ-୩ରେ ଥିବା ପ୍ରୋପୁଲସନ୍ ମୋଡ୍ୟୁଲରୁ ଲ୍ୟାଣ୍ଡର ଓ ରୋଭର ଅଲଗା ହେବ । ଲ୍ୟାଣ୍ଡରରେ ରହିଥିବା ସଫ୍ଟୱେର ସହାୟତାରେ ଏହା ଚନ୍ଦ୍ରର ଆହୁରି ନିକଟତର ହେବ । ଏହି ସମୟରେ ଲ୍ୟାଣ୍ଡର ଚନ୍ଦ୍ରଠାରୁ ସର୍ବାଧିକ ୧୦୦ ଓ ସର୍ବନିମ୍ନ ୩୦ କିମି ଦୂରରେ ପରିକ୍ରମା କରିବ । ନିର୍ଦ୍ଧାରିତ ଯୋଜନା ଅନୁସାରେ ସବୁ ଠିକ୍ଠାକ୍ ଚାଲିଲେ ଅଗଷ୍ଟ ୨୩ ତାରିଖ ଅପରାହ୍ଣ ୫ଟା ୪୭ରେ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ ।

ଚନ୍ଦ୍ର ଆଡକୁ ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ ଥ୍ରୀ । ବୁଧବାର ଚନ୍ଦ୍ରର ସବୁଠାରୁ ନିକଟତର, ପଂଚମ ତଥା ଶେଷ କକ୍ଷ ପଥରେ ପ୍ରବେଶ କରିଛି । ଏହା ପରେ ଚନ୍ଦ୍ରର ଆହୁରି ନିକଟତର ହୋଇଛି ଚନ୍ଦ୍ରଯାନ ଥ୍ରୀ । ଚନ୍ଦ୍ରଯାନ ୫ମ କକ୍ଷ ପଥରେ ପ୍ରବେଶ କରିବା ପରେ ଇସ୍ରୋ ଏକ ଫଟୋ ଟୁଇଟ କରିଛି । ଟ୍ୱିଟରରେ କୁହାଯାଇଛି ଯେ ଚନ୍ଦ୍ରଯାନ ଥ୍ରୀର ସଫଳତାର ସହ ଚନ୍ଦ୍ରର ପଂଚମ ତଥା ଶେଷ କକ୍ଷ ପଥରେ ପ୍ରବେଶ କରିଛି । ଏଣିକି ଚନ୍ଦ୍ରଠୁ ସର୍ବନିମ୍ନ ୧୫୩ ଓ ସର୍ବାଧିକ ୧୬୩ କିଲୋମିଟର ଦୂରରେ ରହିଛି ଚନ୍ଦ୍ରଯାନ ଥ୍ରୀ । ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶକେନ୍ଦ୍ରରୁ ଚନ୍ଦ୍ରଯାନ ଥ୍ରିର ସଫଳ ଉତକ୍ଷେପଣ କରାଯାଇଥିଲା । ଏବେ ଯଦି ସବୁ କିଛି ଠିକଠାକ ରୁହେ ତେବେ ଅଗଷ୍ଟ ୨୩ ସଂଧ୍ୟା ୫ଟା ୪୭ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ ଥ୍ରୀ ।

ଅଗଷ୍ଟ ୫ ତାରିଖରେ ଚନ୍ଦ୍ରର ପ୍ରଥମ କକ୍ଷପଥରେ ପ୍ରବେଶ କରିଥିଲା ଚନ୍ଦ୍ରଯାନ ଥ୍ରୀ ଅଗଷ୍ଟ ୬ରେ ଦ୍ୱିତୀୟ, ଅଗଷ୍ଟ ୯ରେ ତୃତୀୟ କକ୍ଷପଥ, ଅଗଷ୍ଟ ୧୪ରେ ଚତୁର୍ଥ କକ୍ଷପଥ ଓ ୧୬ ତାରିଖରେ ସଫଳତାର ସହ ପଂଚମ ତଥା ଶେଷ କକ୍ଷ ପଥରେ ପ୍ରବେଶ କରିଛି ଚନ୍ଦ୍ରଯାନ ଥ୍ରୀ । ଅଗଷ୍ଟ ୧୭ ତାରିଖରୁ ଚନ୍ଦ୍ରାଯାନ ଥ୍ରୀ ପାଇଁ ଅଗ୍ନିପରୀକ୍ଷା ଆରମ୍ଭ ହେବ ।

ଚନ୍ଦ୍ରର ନିକଟତର ହେଉଛି ‘ଚନ୍ଦ୍ରଯାନ ଥ୍ରୀ’
ଅଗଷ୍ଟ ୧୭
ଭାରତର ମିଶନ ମୁନ ପାଇଁ ଅଗଷ୍ଟ ୧୭ ବେଶ ଗୁୁରୁତ୍ୱପୂର୍ଣ୍ଣ ଦିନ । ୧୭ ତାରିଖରେ ଚନ୍ଦ୍ରଯାନ ଥ୍ରୀର ପ୍ରପଲସନ ମଡ୍ୟୁଲ ଠାରୁ ଅଲଗା ହେବ ଲ୍ୟାଣ୍ଡର । ଏହି ଦିନ ଦୁଇଟି ଯାକ ମଡ୍ୟୁଲ ଚନ୍ଦ୍ର ଚାରିପଟେ ସର୍ବନିମ୍ନ ଓ ସର୍ବାଧିକ ୧୦୦ କିଲୋମିଟର ଦୂରତାରେ ଗୋଲାକାର କକ୍ଷପଥରେ ଘୁରିବୁଲିବ ।

ଅଗଷ୍ଟ ୧୮
ଅଗଷ୍ଟ ୧୮ ତାରିଖ ଅପରାହ୍ନ ଚାରିରୁ ସାଢ଼େ ଚାରି ମଧ୍ୟରେ ଲ୍ୟାଣ୍ଡର କ୍ରମଶଃ ଚନ୍ଦ୍ରପୃଷ୍ଠ ଆଡକୁ ମୁହାଁଇବ ।

ଅଗଷ୍ଟ ୨୩
ଅଗଷ୍ଟ ୨୩ ତାରିଖର ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁ ପାଖରେ ଅବତରଣ କରିବ । ଯଦି ଯବୁ କିଛି ଠିକ ରୁହେ ତେବେ ସଂଧ୍ୟା ୬ଟା ସୁଦ୍ଧା ସଫଳତାର ସହ ଚନ୍ଦ୍ରପୃଷ୍ଠରରେ ଲ୍ୟାଣ୍ଡ କରିବ ଲ୍ୟାଣ୍ଡର ବିକ୍ରମ । ପରେ ଲ୍ୟାଣ୍ଡର ଭିତରେ ଥିବା ରୋଭର ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠର ତଥ୍ୟ ପଠାଇବା ଆରମ୍ଭ କରିବ ।

ତେବେ ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଥିବା ଅନ୍ୟାନ୍ୟ ଉପଗ୍ରହ ଭିତରେ ଚନ୍ଦ୍ରଯାନ ଥ୍ରୀ ପହଁଚିବାପରେ ଏଠାରେ ଭିଡ ଦେଖିବାକୁ ମିଳିପାରେ । କାରଣ ବର୍ତମାନ ସେଠାରେ ଭାରତ ସମେତ ଅନ୍ୟାନ୍ୟ ଦେଶର ଉପଗ୍ରହ ଜହ୍ନ ଚାରିପଟେ ଘୁରିବୁଲୁଛନ୍ତି । ସେମାନଙ୍କ ମଧ୍ୟରେ ରୁଷିଆ ପଠାଇଥିବା ଲୁନା-୨୫, କ୍ୟାପଷ୍ଟୋନ, ନାସାର ଏଲଆରଓ, ଆର୍ଟେମିସ ୱାନ ଓ ଟୁ , କୋରିଆର ପାଥଫାଇଣ୍ଡର ଲୁନାର ଅର୍ବିଟର ସମେତ ଭାରତ ୨୦୧୯ରେ ପଠାଇଥିବା ଚନ୍ଦ୍ରଯାନ ଟୁର ପ୍ରପଲସନ ମଡେଲ ଏବେ ମଧ୍ୟ ଚନ୍ଦ୍ର ଚାରିପଟେ ଘୁରିବୁଲୁଛନ୍ତି ।ତେବେ ଚନ୍ଦ୍ର୍ରଯାନର ବାଟରେ ଏଗୁଡିକ ବାଧକ ସାଜିବେ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି, ଭାରତର ମିଶନ ମୁନ ଉପରେ ଉପରେ ସାରା ବିଶ୍ୱର ନଜର ରହିଛି । ଅବତରଣ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ହେବ ବିଶ୍ୱର ଚତୁର୍ଥ ଦେଶ ।