ଥମୁନି କୁନ୍ଦୁଲି ନିଆଁ ! ପୀଡିତାଙ୍କ ମୃତ୍ୟୁ ଘଟଣାର ସରଜମିନ ତଦନ୍ତ ପାଇଁ ଭୁବନେଶ୍ୱରରେ ବିଜେପିର କେନ୍ଦ୍ରୀୟ ଟିମ୍

37

କନକ ବ୍ୟୁରୋ : ଥମୁନି କୁନ୍ଦୁଲି ନିଆଁ । କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ଘଟଣାର ସରଜମିନ ତଦନ୍ତ କରିବେ ବିଜେପିର କେନ୍ଦ୍ରୀୟ ଟିମ୍ । ଆଜି ଦିଲ୍ଲୀରୁ ଓଡିଶା ଆସିଛନ୍ତି ୩ ଜଣିଆ ବିଜେପିର କେନ୍ଦ୍ରୀୟ ଟିମ୍ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଏହି ତିନି ଜଣିଆ କମିଟି ଆସିଛି । ଆଜି ଭୁବନେଶ୍ୱରରେ ପହଂଚିଂଛନ୍ତି ଏହି ଟିମ୍ । ସେମାନେ କୋରାପୁଟ ଗସ୍ତ କରିବେ । କୁନ୍ଦୁଲିକୁ ଯାଇ ପୀଡିତାଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିବ । କୁନ୍ଦୁଲିରୁ ଫେରିବା ପରେ ଏହି ପ୍ରତିନିଦି ଦଳ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିବେ । ଏହି ପ୍ରତିନିଧି ଦଳରେ କେନ୍ଦ୍ରୀୟ ନେତ୍ରୀ ସରୋଜ ପାଣ୍ଡେ, ଜ୍ୟୋତି ଧ୍ରୁବେ ଓ ଅଂଜୁବାଲା ଅଛନ୍ତି । ସେମାନଙ୍କ ସହ ଓଡିଶା ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ କୁନ୍ଦୁଲି ଗସ୍ତ କରିବ ।

ତେବେ ଦୁଇ ଦିନପୂର୍ବରୁ କୁନ୍ଦୁଲି ପୀଡିତାଙ୍କ ମୃତ୍ୟୁ ପ୍ରସଙ୍ଗରେ ମହିଳା କମିଶନଙ୍କ ନୀରବତାକୁ ନେଇ ତାତିଥିଲା ବିଜେପି ମହିଳା ମୋର୍ଚ୍ଚା । କୁନ୍ଦୁଲି ଘଟଣାର ତଦନ୍ତ ରିପୋର୍ଟ ଦାବି କରି ମହିଳା କମିଶନଙ୍କ କାର୍ୟ୍ୟାଳୟରେ ଧଶେଇ ପଶିଥିଲେ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ । ଅଫିସ ଭିତରେ ଭଙ୍ଗାରୁଜା କରିବା ସହ ଦୁଆର ମୁହଁରେ ଚୁଡି ହାର କରି ଟାଙ୍ଗିଥିଲେ । ମହିଳା କମିଶନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗାଦି ବଞ୍ଚାଇବାରେ ସହାୟତା କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଥିଲା ।