ବଢୁଛି କରୋନା ସଂକ୍ରମଣ: ସତର୍କ ରହିବାକୁ ୮ ରାଜ୍ୟକୁ କହିଲା କେନ୍ଦ୍ର 

180

କନକ ବ୍ୟୁରୋ: କରୋନା ସଂକ୍ରମଣ ବଢିବା ପରେ ୮ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର । କରୋନାର ଓମିକ୍ରନ ଭ୍ୟାରିଆଂଟ ତୃତୟ ଲହର ଆଣିବ ବୋଲି ଆକଳନ ହେଉଛି । ତେଣୁ ଏପରି ସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର କହିଛନ୍ତି । ମୁଖ୍ୟତଃ ଏହି ୮ ରାଜ୍ୟର ପ୍ରମୁଖ ସହର ଗୁଡିକରେ କରୋନା ସଂକ୍ରମଣ ବଢୁଛି ବୋଲି ଜଣାପଡିଛି ।

ସାରା ଦେଶରେ କରୋନା ସଂକ୍ରମଣ ବଢୁଛି । ବୁଢିଆଣୀ ଜାଲରେ ଛନ୍ଦି ହେଲା ପରି ଭାରତ ମଧ୍ୟ ଓମିକ୍ରନ ଜାଲରେ ଛନ୍ଦି ହେବାକୁ ଯାଉଛି । ଏପରି ସ୍ଥିତିରେ ସତର୍କ ରହିବାକୁ କହିଛି କେନ୍ଦ୍ର । ଦିଲ୍ଲୀ, ହରିଆଣା, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଏବଂ ଝାଡଖଣ୍ଡରେ କରୋନା ସଂକ୍ରମଣ ବଢୁଛି । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସତର୍କ ରହିବାକୁ କହିଛନ୍ତି । ରାଜ୍ୟରେ କରୋନା ଟେଷ୍ଟିଂ, ହସ୍ପିଟାଲ ସ୍ଥିତି ଉପରେ ଗୁରୁତ୍ୱ ଦେବା ସହିତ ଟିକାକରଣକୁ ଜୋରଦାର କରିବା ଏବଂ ସଂକ୍ରମଣକୁ ରୋକିବାକୁ ପଦକ୍ଷେପ ନେବାକୁ କହିଛି କେନ୍ଦ୍ର । ମୁଖ୍ୟତଃ କରୋନା ଜନିତ ମୃତ୍ୟୁ ହ୍ରାସ କରିବାକୁ କେନ୍ଦ୍ର କହିଛି ।

ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦିଲ୍ଲୀର ଜିଆରଏପି ମଡେଲ ବା ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ୍ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି । ଏବେ ନଜର ପକାନ୍ତୁ ଏହି ଜିଆରଏପି ପ୍ଲାନ୍ କଣ? ସଂକ୍ରମଣ ହାର, ନୂଆ ସଂକ୍ରମିତଙ୍କ ସଂଖ୍ୟା ଏବଂ ଅକ୍ସିଜେନ ବେଡ୍ କେତେ ଉପଲବ୍ଧ ରହିଛି  ତାକୁ ମାପଦଣ୍ଡ ଆକାରରେ ଗ୍ରହଣ କରି ଏହା ପ୍ରସ୍ତୁତ କରାଯାଇଛି । ସଂକ୍ରମଣ ହାର ଅନୁଯାୟୀ ଏହାକୁ ୪ ପର୍ଯ୍ୟାୟର ଅନ୍ତର୍ଭୁକ୍ତ କରାଯାଇଛି ।

ୟେଲୋ, ଅମ୍ବର, ଅରେଞ୍ଜ ଏବଂ ରେଡ୍ ଆଲର୍ଟ । 

ୟେଲୋ ଆଲର୍ଟ: ଲଗାତର ଦୁଇ ଦିନ ଟିପିଆର ୦.୫ ପ୍ରତିଶତ ଉପରେ ରହିଲେ

ଅମ୍ବର ଆଲର୍ଟ: ଦୁଇ ଦିନ ସଂକ୍ରମିତ ହାର ୧ ପ୍ରତିଶତ ରହିଲେ

ଅରେଞ୍ଜ ଆଲର୍ଟ: ଦୁଇ ଦିନ ସଂକ୍ରମଣ ହାର ୨ ପ୍ରତିଶତ ରହିଲେ

ରେଡ୍ ଆଲର୍ଟ: ଦୁଇ ଦିନ ୫ ପ୍ରତିଶତରୁ ଅଧିକ ସଂକ୍ରମଣ ରହିଲେ

ଦିଲ୍ଲୀରେ ଏବେ ୟେଲୋ ଆଲର୍ଟ ଜାରି ରହିଛି । ଦୋକାନ ବଜାର ସବୁ ଯୁଗ୍ମ ଅଯୁଗ୍ମ ଫର୍ମୁଲାରେ ଖୋଲା ହେଉଛି । ଅନ୍ୟପଟେ ୮ ରାଜ୍ୟର ରାଜଧାନୀ ବା ପ୍ରମୁଖ ସହରରେ ସଂକ୍ରମଣ ବଢୁଥିବା ଜଣାପଡିଛି ।