ରାଜଧାନୀରେ ଦ୍ରୁତ ଗତିରେ ଗାଡ଼ି ଚଳାଇ ପାରିବେନି ଚାଳକ ! ସବୁଆଡ଼େ ଲାଗିବ ସିସିଟିଭି, ନିୟମ ନମାନିଲେ ଘରକୁ ଯିବ ଜରିମାନା ନୋଟିସ୍

ରାଜଧାନୀରେ ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଦଣ୍ଡ

163

କନକ ବ୍ୟୁରୋ : ରାଜଧାନୀର ଗାଡ଼ି ଚାଳକ ଏ‌ବେ ସ୍କାନର୍‌ରେ । ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ହେଉ କି ସହର ଭିତରର ରାସ୍ତା ।  ଏହି ରାସ୍ତାରେ ଯଦି କେହି ଧାର୍ଯ୍ୟ ଗତିଠାରୁ ଅଧିକ ଗତିରେ ଗାଡ଼ି ଚଳାଇବେ ତେବେ ଭାରି ପଡ଼ିବ । ଧାର୍ଯ୍ୟ ଗତିଠାରୁ ଅଧିକ ଗତିରେ ଗାଡ଼ି ଚଳାଉଥିଲେ ଏହାର ଫଟୋ କ୍ୟାମେରାରେ କଏଦ୍ ହୋଇଯିବ । ଆଉ ଦ୍ରୁତ ଚାଳକଙ୍କ ଘରକୁ କମିସନରେଟ୍ ପୁଲିସ ପକ୍ଷରୁ ନୋଟିସ୍ ପଠାଯିବ । ଧାର୍ଯ୍ୟ ସମୟରେ ଜରିମାନା ପୈଠ ନକଲେ କୋର୍ଟରେ ମାମଲା ରୁଜୁ ହେବ ।

ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀର ୧୮ଟି ପ୍ରମୁଖ ରାସ୍ତାରେ ସ୍ପିଡ୍ ଡିଟେକ୍ଟର୍‌ ଲାଗୁଛି । କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ପକ୍ଷରୁ ସାରା ରାଜଧାନୀରେ ସିସିଟିଭି ଲାଗିବାକୁ ଥିବାବେଳେ ଏବେ ୮ଟି ସ୍ଥାନରେ ସ୍ପିଡ୍ ଡିଟେକ୍ଟର୍‌ ଲାଗିବା କାମ ଆରମ୍ଭ ହୋଇଛି । ଏଥିରେ ୪ରୁ ୫ଟି ସ୍ପିଡ୍ ଡିଟେକ୍ଟର୍‌ ସମେତ ସିସିିଟିଭି ଲାଗିଛି । ଏବେ ଜାତୀୟ ରାଜପଥ ୧୬ରେ ସତ୍‌ସଙ୍ଗ ବିହାର ଛକ, ନୂଆପଲ୍ଲୀସ୍ଥିତ କ୍ରାଉନ୍ ହୋଟେଲ ସମ୍ମୁଖ, ଖଣ୍ଡଗିରି ପେଟ୍ରୋଲ ପମ୍ପ ସମ୍ମୁଖରେ ଲାଗୁଥିବାବାବେଳେ ସହର ଭିତରେ ସିବିଆଇ ଛକ, ସୁର କମ୍ପାନି ଛକ, ମାଷ୍ଟରକ୍ୟାଣ୍ଟିନ୍, ରୁପାଲି ଛକ, ନୂଆ ଗାଁ ଛକ ଆଦି ସ୍ଥାନରେ ଲାଗୁଛି ।

ଜାତୀୟ ରାଜପଥରେ ଘଣ୍ଟା ପ୍ରତି ୮୫କିମି ବେଗରେ ଏବଂ ସହର ଭିତରେ ରାସ୍ତା ଏବଂ ଅଞ୍ଚଳ ଅନୁଯାୟୀ ଗାଡ଼ିର ଗତି ଧାର୍ଯ୍ୟ ହୋଇଛି । ବିଏସ୍‌ସିଏଲ୍‌ର ଜଣେ ଅଧିକାରୀ କହିଛନ୍ତି ଯେ, କେଉଁ ରାସ୍ତାରେ କେତେ ସ୍ପିଡ୍‌ରେ ଗାଡ଼ି ଯିବ ତାହା ଜିଲ୍ଲାପାଳଙ୍କ ଦ୍ୱାରା ଧାର୍ଯ୍ୟ ହୋଇଛି। ଏନେଇ ବିଭିନ୍ନ ସ୍ଥାନରେ ସୂଚନା ଦିଆଯାଇଛି । ଖୁବ୍ ଶୀଘ୍ର ପ୍ରାୟ ସମସ୍ତ ସ୍ଥାନରେ ଏହି ଗାଡ଼ି ଗତି ସୂଚନା ବୋର୍ଡ ଲାଗିଯିବ । ଏହାପରେ ଦ୍ରୁତ ଗାଡ଼ି ଚାଳକ, ଅପରାଧୀ, ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମେତ ପୂରା ରାଜଧାନୀ ଉପରେ ନଜରରେ ରହିବ ।