କର୍ପୋରେଟ ଜଗତକୁ ବାଏ ବାଏ କରି ଫୁଲ ବ୍ୟବସାୟ କରୁଛନ୍ତି ଏମବିଏ ଓ ଚାଟାର୍ଡ ଆକାଉଣ୍ଟାଟ ଡିଗ୍ରୀଧାରୀ ଯୁବତୀ ! ବାର୍ଷିକ ରୋଜଗାର ଲକ୍ଷ ଲକ୍ଷ ଟଙ୍କା
ଷ୍ଟାଟଅପ କମ୍ପାନି ମୋହରେ ଏବେ ଭାରତୀୟ ଯୁବପୀଢି । କିଏ ଏଥିରେ ସଫଳ ହେଉଛି ତ ପୁଣି କିଏ ବିଫଳ ହେଉଛି । କିନ୍ତୁ ଭାରତରେ ଷ୍ଟାର୍ଟଅପ ବ୍ୟବସାୟ ଏକ ଟ୍ରେଣ୍ଡ ପାଲଟିଗଲାଣି । ଭିନ୍ନ ଭିନ୍ନ ଉପାୟରେ ଷ୍ଟାର୍ଟଅପ ବ୍ୟବସାୟ ଆରମ୍ଭ କରି ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଭାରତର ଯୁବକ-ଯୁବତୀ । ଏପରିକି ଷ୍ଟାର୍ଟଅପ କମ୍ପାନି ଆଗକୁ ନେବା ପାଇଁ ଉଚ୍ଚ ବେତନର ଚାକିରିକୁ ମଧ୍ୟ ବାଏ ବାଏ କରୁଛନ୍ତି । ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପ ବ୍ୟବସାୟ କରି ମହିଳା ମାନେ ମଧ୍ୟ ଏଥିରେ ସଫଳ ହୋଇଛନ୍ତି । ପାଠ ପଢି କେବଳ ଯେ ଗୋଟିଏ ଚାକିରି କରିବା ଏଭଳି ଧାରଣା ଯୁବପିଢୀଙ୍କ ମନ ମଧ୍ୟରୁ ଦୂର ହୋଇ ସାରିଲାଣି । ତେଣୁ ଚାକିରି ଛାଡି କିଏ ଚାଷ କରୁଛି ତ ପୁଣି କିଏ ଚାକିରି ଛାଡି ଅନ୍ୟ ବ୍ୟବସାୟ କରିବାକୁ ମନ ବଳାଉଛନ୍ତି । ସେହିଭଳି ଦୁଇଜଣ ଉଚ୍ଚଶିକ୍ଷିତା ଯୁବତୀ ହେଲେ ଜୟବୁରର ଶିବାନୀ ମାହେଶ୍ୱରୀ ଓ ଦିଲ୍ଲୀର ଭାମିକା । ଏହି ଦୁଇଜଣ ଶିକ୍ଷିତ ଯୁବତୀ ଏବେ ପୂରା ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜୟପୁରର ୨୩ ବର୍ଷିୟା ଶିବାନୀ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ଠିକ୍ ସେହିଭଳି ଦିଲ୍ଲୀର ୨୫ ବର୍ଷିୟା ଭାମିକା ପେଶାରେ ଚାଟାର୍ଡ ଆକାଉଣ୍ଟଟାଣ୍ଟ । କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ଚାକରି ଛାଡି ଏବେ ଫୁଲ ବ୍ୟବସାୟ କରୁଛନ୍ତି ଏହି ଦୁଇ ଉଚ୍ଚଶିକ୍ଷିତ ଯୁବତୀ । ଏୟାର କଣ୍ଡିସନ ରୁମକୁ ବାଏ ବାଏ କରି ବିଲରେ ଝାଳ ବୁହାଉଛନ୍ତି ଏହି ଦୁଇ ଯୁବତୀ । ତେବେ ଫୁଲ ବ୍ୟବସାୟ ଆରମ୍ଭ କରିବା ପାଇଁ ଏମାନେ ହରିୟାଣାକୁ ବାଛିଥିଲେ । ହରିୟାଣାରେ ଫୁଲ ବ୍ୟବସାୟକୁ ଅଗକୁ ନେବା ସହ ୟୁନିଷ୍ଟାର ଆଗ୍ରୋ ନାମକ କମ୍ପାନି ଖୋଲି ବେଶ ଭଲ ରୋଜଗାର କରୁଛନ୍ତି ଦୁହେଁ ।
୨୦୧୫ରେ ପ୍ରଥମଥର ପାଇଁ ଶିବାନୀ ଫୁଲ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିଥିଲେ । ଦିଲ୍ଲୀ-ରୋହତକ ରାସ୍ତାରେ ଯାଉଥିବା ବେଳେ ପୋଲିହାଉସ ଫାର୍ମିଙ୍ଗ ଦେଖିଥିଲେ । ଏହା ତାଙ୍କୁ ବେଶ ଆକର୍ଷିତ କରିଥିଲା । ସେହିଠାରେ ହିଁ ସେ ସ୍ଥିର କରି ନେଇଥିଲେ ଏହାକୁ ନେଇ ସେ ଷ୍ଟାର୍ଟଅପ ବ୍ୟବସାୟ କରିବେ । ଏଥିପାଇଁ ଇଣ୍ଟରନେଟରେ କିଛି ଦିନ ଧରି ରିସର୍ଚ୍ଚ କରିବା ପରେ ଫୁଲ ବ୍ୟବସାୟ କରିବାକୁ ମନ ସ୍ଥିର କରିନେଇଥିଲେ ଶିବାନୀ । କିନ୍ତୁ ଏଥିପାଇଁ କିଛି ଜମିର ଆବଶ୍ୟକତା ରହିଥିଲା ଯାହାକୁ ପୂରଣ କରିଥିଲେ ଭାମିକା । ଶିବାନୀଙ୍କ ଫୁଲ ବ୍ୟବସାୟ ଆଇଡିଆ ଭାମିକାଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥିଲା । ତେଣୁ ଉଭୟ ମିଶି ଏହି ବ୍ୟବସାୟ କରିବାକୁ ନିଷ୍ପତି ନେଇଥିଲେ । ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ଭାମିକାଙ୍କର ଇଜ୍ଜର ଜିଲ୍ଲାରେ କିଛି ଖାଲି ଜମି ଥିଲା । ଆଉ ଏହିଠାରେ ଭାମିକା ଓ ଶିବାନୀ ଆରମ୍ଭ କରିଥିଲେ ଫୁଲ ଚାଷ । ଲିଲିଅମ, ଘେରବେରା,ଗୋଲାପ, ରଜନୀଗନ୍ଧା ଓ ଗ୍ଲାଡିଲସ ଭଳି ଫୁଲ ତାଙ୍କ ଫାର୍ମର ଶୋଭା ବଢାଇବା ସହ ଖୁବ୍ ଦିନରେ ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା । ଫୁଲ ଚାଷ ପାଇଁ ତାଙ୍କୁ ବେଶି ପରିଶ୍ରମ ମଧ୍ୟ କରିବାକୁ ପଡିନଥିଲା ।
ଦିଲ୍ଲୀ ପାଖରେ ହୋଇଥିବାରୁ ତାଙ୍କୁ ଫୁଲ ବିକ୍ରି କରିବାରେ ମଧ୍ୟ କୌଣସି ଅସୁବିଧା ହୋଇନଥିଲା । ଦିଲ୍ଲୀରେ ତାଙ୍କ ଫୁଲର ଚାହିଦା ଦିନକୁ ଦିନ ବଢିବାକୁ ଲାଗିଲା । ଫଳରେ ଗୋଟିଏ ବର୍ଷରେ ଫୁଲ ବିକ୍ରି କରି ୮ରୁ ୧୦ ଲକ୍ଷ ଟଙ୍କା ଲାଭ କରିଥିଲା ତାଙ୍କ କମ୍ପାନି ୟୁନିଷ୍ଟାର ଆଗ୍ରୋ । ଏବେ ମୋଟ ୧୦ ଏକର ଜମିରେ ଫୁଲ ଚାଷ କରୁଚନ୍ତି ଶିବାନି ଓ ଭାମିକା । ଫୁଲ ଚାଷ କ୍ଷେତ୍ରରେ ଦୁଇ ଜଣ ଯୁବତୀ ଆଣିଥିବା ପରିବର୍ତ୍ତନ ଯୋଗୁଁ ତାଙ୍କୁ ହରିୟାଣା ସରକାର ପୁରସ୍କୃତ ମଧ୍ୟ କରିଛନ୍ତି । ଏପରିକି ଫୁଲ ବ୍ୟବସାୟ ପାଇଁ ତାଙ୍କ କମ୍ପାନିକୁ ସରକାରଙ୍କ ପକ୍ଷରୁ ସବସିଡି ମଧ୍ୟ ଦିଆଯାଉଛି । ଏବେ ତାଙ୍କ ଫାର୍ମରେ ୧୫ରୁ ୨୦ ଜଣ ଶ୍ରମିକ କାମ କରୁଛନ୍ତି । ତେବେ ଶୀତଳଭଣ୍ଡାର ନ ଥିବାରୁ ତାଙ୍କ ଫାର୍ମରୁ ବାହାରୁଥିବା ଫୁଲ ଅନେକ ସମୟରେ ନଷ୍ଟ ହୋଇଯାଉଛି । ତେଣୁ ସରକାର ଶୀତଳଭଣ୍ଡାର ନିର୍ମାଣ କଲେ ଏହି ସମସ୍ୟା ଦୂର ହେବ ବୋଲି କହିଛନ୍ତି ଭାମିକା ଓ ଶିବାନୀ ।