ପ୍ରଚାରରେ କମ୍ପୁଛି ଝାରସୁଗୁଡ଼ା । ଭୋଟରଙ୍କ ମନ ଜିଣିବାକୁ ବିଜେଡି, ବିଜେପି ଓ କଂଗ୍ରେସର ଉଦ୍ୟମ

171

କନକ ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ତାତି ଟିକିଏ କମିଥିଲେ ବି, ଝାରସୁଗୁଡ଼ାରେ ବଢ଼ିବାରେ ଲାଗିଛି ନିର୍ବାଚନୀ ଉଷ୍ଣତା । ଗରମ ଟିକେ କମିଥିବାବେଳେ, ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି, ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ।

ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭୋଟରଙ୍କ ମନ ଜିଣିବାକୁ ଭରପୁର ଉଦ୍ୟମ ଜାରି ରଖିଛନ୍ତି ।  କେତେବେଳେ କ୍ରିକେଟ ଖେଳି ଯୁବବର୍ଗଙ୍କୁ ଆକର୍ଷିତ କରୁଛନ୍ତି ଆଉ କେତେବେଳେ କର୍ମୀ ସମ୍ମିଳନୀ କରି ଭୋଟରଙ୍କୁ ଆକୃଷ୍ଠ ପାଇଁ ପ୍ରୟାସ ଚଳାଇଛନ୍ତି । କୁଲାବିରାରେ ବିରାଟ ମହିଳା କର୍ମୀ ସମ୍ମିଳନୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ଓ ବାପାଙ୍କ ଲୋକପ୍ରିୟତା ଯୋଗୁଁ ଝାରସୁଗୁଡାବାସୀ ତାଙ୍କୁ ଆର୍ଶୀବାଦ ଦେବେ ବୋଲି ସେ ଭରସା ରଖିଛନ୍ତି ।

ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମଧ୍ୟ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ଝାରସୁଗୁଡା ମ୍ୟୁନସିପାଲଟି ଅଞ୍ଚଳରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଘର ଘର ବୁଲି ଭୋଟ ମାଗୁଛନ୍ତି । ରାଜ୍ୟର ଆଇନଶୃଂଖଳା ବ୍ୟବସ୍ଥା, ଝାରସୁଗୁଡାର ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ଭୋଟ ମାଗୁଛନ୍ତି ବିଜେପି ପ୍ରାର୍ଥୀ । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ କିନ୍ତୁ ପ୍ରଚାରରେ ଟିକେ ପଛରେ ପଡି ଯାଇଛନ୍ତି । ହେଲେ, ଯେଉଁଠି କଂଗ୍ରେସ ଭୋଟ ରହିଛି, ତାକୁ ସଂଗଠିତ କରି ରଖିବା ପାଇଁ ଦଳ ପକ୍ଷରୁ କର୍ମୀ ସମ୍ମିଳନୀ କରାଯାଉଛି । ଦିନେ ଦୁଇ ଦିନ ଭିତରେ ତରୁଣ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ଦଳୀୟ ନେତା ।

ତେବେ ନବ ଦାସଙ୍କ ହତ୍ୟା ପରେ, ଖାଲି ପଡିଥିବା ଝାରସୁଗୁଡା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ମେ’ ୧୦ ତାରିଖରେ ଭୋଟ ଦେବେ ଝାରସୁଗୁଡାବାସୀ ।