ସରକାରୀ ଚାକିରିଆଙ୍କ ଅଦ୍ଭୁତ ବଦଳି ନୀତି । ବଡ ବାବୁଙ୍କୁ ମାଫ, ସାନବାବୁଙ୍କୁ ନାଲି ଆଖି ।

520

କନକ ବ୍ୟୁରୋ: ରାଜସ୍ୱ ବିଭାଗର ଏକ ଚିଠି ସ୍ୱାଭାବିକ ଭାବେ ସରକାରୀ ଚାକିରିଆଙ୍କ ବଦଳି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଠିଆ କରୁଛି । କୌଣସି କର୍ମଚାରୀ ଗୋଟିଏ କାର୍ଯ୍ୟାଳୟରେ ୩ବର୍ଷରୁ ଅଧିକ ସମୟ ଚାକିରି କରୁଥିଲେ ତାଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ପଦବୀ, ଶାଖା ଓ କାର୍ଯ୍ୟାଳୟରେ ୩ବର୍ଷ ପୂରା ହୋଇଥିଲେ ତାଙ୍କୁ ଏପ୍ରିଲ ୧୫ରୁ ଜୁନ ୧୫ ଭିତରେ ବଦଳି କରିବାକୁ କୁହାଯାଇଛି । ରାଜସ୍ୱ ବିଭାଗର ଯୁଗ୍ମ ସଚିବ ଜିଲ୍ଲାପାଳ, ଆରଡିସି, ବୋର୍ଡ ରେଭେନ୍ୟୁକୁ ଚିଠି ଲେଖିଛନ୍ତି । ଯେଉଁଥିଲେ କୁହାଯାଇଛି ବରିଷ୍ଠ ରାଜସ୍ୱ ଅଧିକାରୀ, ହେଡ କ୍ଲର୍କ, ଜୁନିୟର କ୍ଲର୍କ, ଅମିନ, ଆରଆଇଙ୍କ ବଦଳି କରିବା ପାଇଁ ଚିଠିରେ ନିର୍ଦ୍ଦେଶ ରହିଛି ।

  • ସରକାରୀ ଚାକିରୀଆଙ୍କ ବଦଳି ନୀତି
  • ବଡ ବାବୁଙ୍କୁ ମାଫ, ସାନ ବାବୁଙ୍କୁ ନାଲି ଆଖି

ରାଜସ୍ୱ ବିଭାଗରେ କାମ କରୁଥିବା ତଳିଆ କର୍ମଚାରୀଙ୍କ ପାଇଁ ଏଭଳି ନିର୍ଦ୍ଦେଶ ନାମା ଜାରି କରିଛି ରାଜସ୍ୱ ବିଭାଗ । ହେଲେ ରାଜ୍ୟ ସଚିବାଳୟରେ ଅଧିକାଂଶ ସଚିବ ବର୍ଷ ବର୍ଷ ଧରି ଗୋଟିଏ ପଦବୀରେ ରହିଥିଲେ ବି ସେମାନଙ୍କ ବଦଳି ହେଉନାହିଁ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

ବିଧାନସଭାରେ ସରକାର ଦେଇଥିବା ଏହି ତଥ୍ୟ କହୁଛି ଏକାଧିକ ସଚିବ ଗୋଟିଏ ପଦବୀରେ ବର୍ଷ ବର୍ଷ ଧରି କାମ କରିଚାଲିଛନ୍ତି । ୩ ବର୍ଷରୁ ଅଧିକ ସମୟ ଧରି କାମ କରୁଥିବା ସଚିବଙ୍କ ତାଲିକା ମାଗିଥିଲେ ବିଜେପି ବିଧାୟକ ଓ ବିଧାନସଭାରେ ଲିଖିତ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଉପରେ ନଜର ପକାନ୍ତୁ ।

ଜି. ମାଥିଭାଥନନ୍

  • ସଂସଦୀୟ ବ୍ୟାପାର ବିଭାଗ ସଚିବ- ୨୦୧୦ରୁ ଆଜିଯାଏ (୧୩ ବର୍ଷ)
  • ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ- ୨୦୧୪ରୁ ଆଜିଯାଏ (୯ ବର୍ଷ)

୩ ବର୍ଷରୁ ଅଧିକ ସମୟ ଗୋଟିଏ ବିଭାଗରେ ଥିବା ଅଫିସର

  • ମୋନା ଶର୍ମା- ଜଙ୍ଗଲ ଓ ପରିବେଶ ବିଭାଗ ସଚିବ
  • ହେମନ୍ତ ଶର୍ମା- ଶିଳ୍ପ ବିଭାଗ ସଚିବ
  • ଭାସ୍କର ଜ୍ୟୋତି ଶର୍ମା- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ
  • ବୀର ବିକ୍ରମ ଯାଦବ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ
  • ମନୋଜ ମିଶ୍ର- ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ

କେବଳ ସଚିବ ନୁହଁନ୍ତି, ଜିଲ୍ଲାପାଳ ମଧ୍ୟ ଦୀର୍ଘଦିନ ଧରି ଗୋଟିଏ ଜିଲ୍ଲାରେ ରହିବା ଫଳରେ ପୋଷ୍ଟିଂ ଓ ଟ୍ରାନ୍ସଫର ନିୟମର ଉଲ୍ଲଂଘନ ହେଉଥିବା ବିଧାନସଭାରେ ବିରୋଧୀ ଅଭିଯୋଗ କରିଥିଲେ । ଏବେ ବଦଳିକୁ ନେଇ ରାଜସ୍ୱ ବିଭାଗର ଚିଠି ଆସିବା ପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି, କେବଳ ତଳିଆ ଶ୍ରେଣୀର କର୍ମଚାରୀଙ୍କ ପାଇଁ ନିୟମ ଓ ବଡ ଅଫିସରଙ୍କୁ କାହିଁକି ମାଫ କରାଯାଉଛି ।ତେବେ ରାଜ୍ୟର ସବୁ କର୍ମଚାରୀଙ୍କୁ ପାଇଁ ନିୟମ ଗୋଟିଏ ରହିଛି । ବଦଳି ନିୟମ ମଧ୍ୟ ସମସ୍ତଙ୍କ ପାଇଁ ସମାନ । ହେଲେ ଏଥିରେ ବଡ ବଡିଆଙ୍କୁ ଛାଡ ପାଉଥିଲା ବେଳେ ସାନବାବୁଙ୍କ ପାଇଁ ନିୟମ କଡାକଡି କରାଯାଉଛି । ଯାହାକୁ ନେଇ ସରକାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।