ରାଜସ୍ଥାନରୁ ଆସିଲା ଅଭାବନୀୟ ଘଟଣା: କୋଇଲା ଭାଟିରୁ ମିଳିଲା ପୋଡ଼ା ଶରୀର, ଗଣଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା!

220

କନକ ବ୍ୟୁରୋ: ରାଜସ୍ଥାନରୁ ଆସିଛି ଅଭାବନୀୟ ଘଟଣା । ନାବାଳିକାକୁ ଗଣଦୁଷ୍କର୍ମ କରିବା ସହ କୋଇଲା ଭାଟିରେ ପୋଡ଼ି ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ନାବାଳିକା ଛେଳି ଚରାଇବାକୁ ଯାଇଥିବା ସମୟରେ ପ୍ରଥମେ ଅପହରଣ, ପରେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ପରିଜନ । ବିଭିନ୍ନ ଦିଗରେ ଛାନଭିନ କରୁଛି ପୁଲିସ ।

ରାଜସ୍ଥାନର ଭିଲୱାଡ଼ା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୧୪ ବର୍ଷୀୟ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଭିଲୱାଡ଼ା ଜିଲ୍ଲାର ନୃସିଂହପୁର ଗାଁର ଜଣେ ନାବାଳିକା ଛେଳି ଚରାଇବାକୁ ଯାଇଥିବାବେଳେ ତାଙ୍କୁ କେହି ଗଣଦୁଷ୍କର୍ମ କରି ପୋଡ଼ି ଦେଇଥିବା ଖବର ସାମ୍ନାକୁ ଆସିଛି । ସ୍ଥାନୀୟ କୋଇଲା ଭାଟିରେ ଝିଅଟିର ଶରୀର ପୋଡ଼ା ଅଂଶ ମିଳିଛି । ତେବେ ମିଳିଥିବା ଖବର ଅନୁଯାୟୀ, ବୁଧବାର ସକାଳ ୧୦ ଟା ସମୟରେ ନାବାଳିକା ଜଣକ ଛେଳି ଚରାଇବାକୁ ଯାଇଥିଲେ । ପ୍ରତିଦିନ ପରି ଛେଳି ଛରାଇବାକୁ ଯାଇ ଠିକ ସମୟରେ ଫେରି ଆସୁଥିବା ଝିଅ ଯେବେ ବହୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନଥିଲା , ଘର ଲୋକଙ୍କ ଚିନ୍ତା ବଢ଼ିଯାଇଥିଲା । ରାତି ୧୦ ଟା ହୋଇଯିବାରୁ ଘର ଲୋକେ ଚିନ୍ତିତ ହୋଇ ଖୋଜିବା ଆରମ୍ଭ କରି ଦେଇଥିଲେ । ଏବଂ ଖୋଜିବାବେଳେ ସ୍ଥାନୀୟ କୋଇଲା ଭାଟିରୁ ମିଳିଥିଲା ଝିଅର ଶରୀର ପୋଡ଼ା ଅଂଶ । ଏହି ଖବର ପରେ ଘଟଣାସ୍ଥଳରେ ପୋଲିସ ଓ ବହୁ ଅଧିକାରୀ ପହଁଚି ତଦନ୍ତ ଜାରି କରିଛନ୍ତି ।

ରାତିରେ ଖବର ମିଳିବା ପରେ ତଦନ୍ତ ଜୋରଦାର କରିଛନ୍ତି ପୁଲିସ ଟିମ୍ । ଘଟଣାସ୍ଥଳରୁ ପୁଲିସ ନାବାଳିକାଙ୍କର ଜୋତା ଓ ବ୍ରେସଲେଟ ଜବତ କରିଛି । ତେବେ ଏହି ଘଟଣାରେ ତିନି ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିବା ସୂଚନା ମିଳିଛି । ପରିବାର ଲୋକେ ଘଟଣାରେ ନ୍ୟାୟ ଭିକ୍ଷା କରିଛନ୍ତି । ଯଥା ଶୀଘ୍ର ଏହି ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ କହିଛନ୍ତି ।

ଯେତିକି ପାଖେଇ ଆସୁଛି ସେତିକି ବଢ଼ୁଛି ମହିଳାଙ୍କ ପ୍ରତି ନିର୍ଯ୍ୟାତନା, ହତ୍ୟାର ଘଟଣା । ଯେଉଁ ସବୁ ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନ ହେବାକୁ ଅଛି ସେଠାରେ କୁହୁଳୁଛି ଏଭଳି ଘଟଣା । ସେ ମଣିପୁର ହେଉକି ହରିୟାଣା, ପଶ୍ଚିମବଙ୍ଗ ହେଉ ଅଥବା ରାଜସ୍ଥାନ । ସାମ୍ପ୍ରଦାୟିକ ହିଂସା, ମହିଳାଙ୍କ ପ୍ରତି ନିର୍ଯ୍ୟାତନା ଘଟଣା ବେଶ ଅଧିକ ବଢ଼ିବାରେ ଲାଗିଛି ।