କଟା ମୁଣ୍ଡର ଚାଂଚଲ୍ୟକର କାହାଣୀ ! ମଶାରୀ ଭିତରେ ଭାଇକୁ ହତ୍ୟା କରିବା ପରେ କଟାମୁଣ୍ଡ ଧରି ଥାନା ଆଗରେ ବୁଲିଲା ଅଭିଯୁକ୍ତ ।

472

କନକ ବ୍ୟୁରୋ : ଏହା ଏମିତି ଏକ ଖବର, ଯାହା ଆପଣଙ୍କୁ ବିଚଳିତ କରିଦେବ । ନୃଶଂସତାର ସୀମା ଟପିଛି ମଣିଷ । ରାତି ଅଧରେ ଭାଇକୁ ହାଣିଛି ଭାଇ । ଆଉ ରାତି ପାହିବା ପୂର୍ବରୁ କଟାମୁଣ୍ଡ ଧରି ଥାନାରେ ହାଜର ହୋଇଛି ଅଭିଯୁକ୍ତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ତିଲେଇମାଳ ଗାଁରେ ।ଅଇଁଠାପାଲି ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।

ଇଏ ହତ୍ୟାକାଣ୍ଡର ଏମିତି ଏକ କାହାଣୀ ଯାହା ଶୁଣିଲେ ଆପଣଙ୍କ ଛାତି ଥରିଉଠିବ । ଥାନା ଭିତରେ ବ୍ୟାଗ ଭିତରେ ଥୁଆ ହୋଇଥିଲା କଟାମୁଣ୍ଡ । ପୁରା କାହାଣୀ କିଛି ଏହିପରି । ଥାନା ଆଗରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲା ଅଭିଯୁକ୍ତ । ହାତରେ ଥିଲା କଟାମୁଣ୍ଡ ଆଉ କୁରାଢି । ପୋଲିସ ନଜରକୁ ଏହା ଆସିବା ପରେ ଅଭିଯୁକ୍ତକୁ ପୋଲିସ ପଚାରିଥିଲା, ଏହି ବ୍ୟାଗରେ କଣ ଅଛି । ଆଉ ଅଭିଯୁକ୍ତର ଉତ୍ତର ଥିଲା କଟାମୁଣ୍ଡ ।

ନୃଶଂସତାର ସବୁସୀମା ପାର । ଭାଇକୁ ହାଣିଲା ସଇତାନ ଭାଇ । କଟା ମୁଣ୍ଡ ଧରି ରାସ୍ତାରେ ବୁଲିଲା । ମଶାରୀ ଭିତରେ ପଡିଥିଲା ମୁଣ୍ଡ ବିହିନ ରକ୍ତ ଜୁଡୁବୁଡୁ ଶରୀର । ମିଳିଥିବା ସୂଚନା ଅନୁସାରେ ଘର ଅଗଣାରେ ମଶାରୀ ଟାଙ୍ଗି ଶୋଇଥିଲେ ସତ୍ୟନାରାୟଣ ମୁଣ୍ଡା । ଆଉ ସକାଳୁ ଅଗଣା ଝାଡୁ କରିବାକୁ ଆସିବା ବେଳେ ସ୍ୱାମୀଙ୍କ ମୁଣ୍ଡ ବିହିନ ଶରୀର ଦେଖି ହତବାକ ହୋଇଯାଇଥିଲେ ତାଙ୍କ ପତ୍ନୀ । ସୂଚନା ଅନୁସାରେ ରାତିରେ ଶୋଇଥିବା ବେଳେ ସମ୍ପର୍କିୟ ଭାଇ ଉଜ୍ଜଳ ମୁଣ୍ଡା ତାକୁ ଅତି ନିର୍ମମ ଭାବେ ହତ୍ୟା କରି କଟାମୁଣ୍ଡ ନେଇ ପଳାଇଛି ।

ଆଉ ପୋଲିସ ପାଖରେ ଖବର ପହଂଚିବା ପରେ ଆରମ୍ଭ ହୋଇଥିଲା ତଦନ୍ତ । ସାଇଂଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ଛାନଭିନ୍ କରିଥିଲା ପୋଲିସ । ଘର ଆଗରେ ପଡିଥିବା ରକ୍ତଛିଟାକୁ ଆଧାର କରି ଅଭିଯୁକ୍ତ ପାଖରେ ପହଂଚିବାକୁ ଚେଷ୍ଟା କରୁଥିଲା ପୋଲିସ । ଆଉ ଏହା ଜାଣିପାରି ଅଭିଯୁକ୍ତ ଆତ୍ମସମର୍ପଣ କରିବାର ବାଟ ଖୋଜୁଥିଲା । କଟାମୁଣ୍ଡ ଧରି ପହଂଚିଯାଇଥିଲା ଥାନା ନିକଟରେ । ଆଉ ଏହା ପରେ ଅଭିଯୁକ୍ତ ଉଜ୍ଜଳ ମୁଣ୍ଡାକୁ ଗିରଫ କରିଛି ପୋଲିସ । ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଏହା ପଛରେ ଜମି ବାଡି ବିବାଦ ରହିଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ ।