ଦୁର୍ଗମ ଅଂଚଳରେ ବେଲି ବ୍ରିଜ! ମ।ଲକାନଗିରିର ମାଓ ଉପଦ୍ରୁତ ଅପହଂଚ ଇଲାକାର ଲୋକଙ୍କୁ ମୁଖ୍ୟସ୍ରୋତ ସହ ଯୋଡୁଛି ଝୁଲା ପୋଲ ।

37

କନକ ବ୍ୟୁରୋ : ଦୁର୍ଗମ ଅଂଚଳରେ ଗମନାଗମନକୁ ସୁଗମ କରୁଛି ବେଲି ବ୍ରିଜ । ମାଲକାନଗିରି ଜିଲ୍ଲାର ମାଓ ଉପଦ୍ରୁତ ଅପହଂଚ ଇଲାକାର ଲୋକଙ୍କୁ ମୁଖ୍ୟସ୍ରୋତ ସହ ଯୋଡୁଛି ଏହି ଝୁଲା ପୋଲ । କମ ସମୟରେ ନିର୍ମାଣ ହୋଉଥିବା ଏହି ପୋଲ ଲାଲ ଗଡରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିଛି । ଜିଲ୍ଲାରେ ମୋଟ ୧୦ ଟି ଝୁଲା ପୋଲ ନିର୍ମାଣ ହୋଇଥିବା ବେଳେ ବଣ୍ଡା ଘାଟିର ଦୁଇଟି ବେଲି ବ୍ରିଜ ଏବେ ବଣ୍ଡା ଜନଜାତୀଙ୍କ ଲାଇଫ ଲାଇନ ପାଲଟିଛି।

ଦୁର୍ଗମ ଓ ଅପହଁଚ ଇଲାକାରେ ଗମନାଗମନ ସୁବିଧା ଯୋଗାଇବାକୁ ମାଲକାନଗିରି ପ୍ରଶାସନ ହାତକୁ ନେଇଛି ବେଲି ବ୍ରିଜ ତଥା ଝୁଲା ପୋଲ ପ୍ରକଳ୍ପ । ଦୁର୍ଗମ ବଣ୍ଡା ଘାଟି ସ୍ଥିତ ମୁଦୁଲିପଡାରେ ପ୍ରଶାସନ ନିର୍ମାଣ କରିଥିବା ଝୁଲା ପୋଲର ଚିତ୍ର । ବଣ୍ଡା ଘାଟିରେ ମୋଟ ୨ଟି ଝୁଲାପୋଲ ନିର୍ମାଣ ହୋଇ ଥିବା ବେଳେ ମୁଦୁଲିପଡା ପୋଲ ୨ଟି ପଂଚାୟତର ୧୫ ହଜାର ବଣ୍ଡାଙ୍କ ଲାଇଫ ଲାଇନ ପାଲଟିଛି ।

ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ପି.ଡି.ଏସ ଚାଉଳ, ନିର୍ମାଣ ସାମଗ୍ରୀ ଭଳି ଅତି ଆବଶ୍ୟକୀୟ ସାମଗ୍ରୀ ଏହି ପୋଲ ଦେଇ ଅତି ସହଜରେ ବଣ୍ଡା ଘାଟିକୁ ପଠାଇ ପାରୁଛି ପ୍ରଶାସନ । ଏହି ଝୁଲା ପୋଲ ସମୁଦ୍ର ପତନ ଠାରୁ ପ୍ରାୟ ୫୦୦୦ ଫୁଟ ଉଚ୍ଚରେ ଥିବା ବଣ୍ଡାଘାଟିର ଆଦିମ ଜନଜାତି ବଣ୍ଡାଙ୍କ ଜୀବନ ଯାତ୍ରାକୁ ଦ୍ରୁତ କରି ଦେଇଛି ।

ଜିଲ୍ଲାରେ ମୋଟ ୧୦ଟି ଝୁଲା ପୋଲ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି ମାଲକାନଗିରି ପ୍ରଶାସନ । ଏବେ ସୁଦ୍ଧା ଜିଲ୍ଲାର ଅତି ଦୁର୍ଗମ ଅଂଚଳରେ ୯ ପୋଲର ନିର୍ମାଣ କାମ ସମ୍ପୂର୍ଣ ହୋଇସାରିଛି । ଦେଢରୁ ଦୁଇ କୋଟି ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଝୁଲା ପୋଲ ପାଇଁ କମ୍ ସମୟ ଲାଗୁଥିବାରୁ ଏଭଳି ପ୍ରକଳ୍ପ ହାତକୁ ନେଇ ପ୍ରଶାସନ ।

ବଣ୍ଡା ଘାଟିରେ ବେଲି ବ୍ରଜି ନିର୍ମାଣ ପରେ ଖଇରପୁଟରୁ ମୁଦୁଲିପଡା ଦେଇ କୋରାପୁଟ ଜିଲ୍ଲା ଅନକାଡେଲି ଯାଏଁ ଉଚ୍ଚ ମାନର ରାସ୍ତା ନିର୍ମାଣ କାମ ହାତକୁ ନେଇଛି ମାଲକାନଗିରି ପ୍ରଶାସନ ।