ରାଜ୍ୟସଭା ନାମାଙ୍କନ ବେଳେ ଉପସ୍ଥିତ ରହିଲେ ଦୁଇ ପ୍ରସନ୍ନ। ବିଜେଡି ଦଳରେ ସବୁ ଠିକଠାକ୍ ଦର୍ଶାଇବାକୁ ଉଦ୍ୟମ ।

150

କନକ ବ୍ୟୁରୋ: ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ ବେଳେ ଦେଖିବାକୁ ମିଳଥିଲା ରୋଚକ ଦୃଶ୍ୟ । ବିଜେଡିରୁ ରାଜ୍ୟସଭା ୪ ପ୍ରାର୍ଥୀ ନାମାଙ୍କନ ଭରିବା ସମୟରେ ବାମପଟେ ବସିଥିଲେ ପ୍ରସନ୍ନ ପାଟଶାଣୀ, ଡାହାଣ ପଟେ ବସିଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଉଭୟଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଦୌଡରେ ଥିଲା । କିନ୍ତୁ ଶେଷ ମୁହୁର୍ତରେ ସେମାନଙ୍କୁ ଟିକେଟ ଦିଆଯାଇନଥିଲା । ତଥାପି ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବାକୁ ଆସି ପହଁଚିଥିଲେ ଉଭୟ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରସନ୍ନ ପାଟଶାଣୀ ।

କୁହାଯାଉଛି ଦୁଇ ନେତାଙ୍କ ଭିତରେ ଥିବା ଅସନ୍ତୋଷକୁ ପ୍ରସମିତ କରିବା ପାଇଁ ଓ ଦଳ ଭିତରେ କୌଣସି ଅର୍ନ୍ତକନ୍ଦଳ ନଥିବା ଦର୍ଶାଇବା ପାଇଁ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଦୁଇ ନେତା ନୋମିନେସନ ସମୟରେ ଉପସ୍ଥିତ ଥିଲେ । ଏଥିିସହ ବିଜେଡି ବାର୍ତ୍ତା ଦେବା ପାଇଁ ଚାହିଁଛି ଦଳରେ ସବୁ କିଛି ଠିକଠାକ ଚାଲିଛି ଓ ସୁପ୍ରିମୋଙ୍କ ନିଷ୍ପତି ଶିରୋଧାର୍ଯ୍ୟ ।

ପୂର୍ବ ନିଷ୍ପତ୍ତି ଅନୁସାରେ ବିଜେଡି ପ୍ରାର୍ଥୀ ସୁଲତା ଦେଓ, ମାନସ ମଂଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ନାମାଙ୍କନ ଭରିଛନ୍ତି । ପ୍ରତ୍ୟେକ ପ୍ରାର୍ଥୀ ଦୁଇଟି ଲେଖାଏ ନାମାଙ୍କନ ସେଟ୍ ଭରିଛନ୍ତି । ବିଜେଡିର ସାଂଗଠନିକ ସମ୍ପାଦକ, ମନ୍ତ୍ରୀ, ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ଚାରି ପ୍ରାର୍ଥୀ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ସରିଛି । ଆସନ୍ତା ୧୦ ଓ ୧୩ ଜୁନରେ ରହିଛି ନିର୍ବାଚନ । କିନ୍ତୁ ସଂଖ୍ୟା ଦୃଷ୍ଟିରୁ ଚାରି ଆସନ ବିଜେଡିକୁ ଯିବା ନିଶ୍ଚିତ ।