ଭୁଲ ହେବନି ଶାହା ଗଣିତ ! ଶେଷ ହେଲା ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ! ଧର୍ମେନ୍ଦ୍ର କହିଲେ ୨୦୧୯ରେ ଓଡିଶାରୁ ହିଁ ଲଢ଼ିବି

49

କନକ ବ୍ୟୁରୋ: ୨୦୧୯ ନିର୍ବାଚନକୁ ହାତେଇବାକୁ ବିଜେପିର ଷ୍ଟ୍ରାଟେଜି । ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥିର ହେଲା କାର୍ଯ୍ୟପଂଥା । ରାଜ୍ୟ ନେତୃତ୍ୱଙ୍କୁ ବିଜୟର ଗୁରୁମନ୍ତ୍ର ଦେଲେ ତିନିଜଣ କେନ୍ଦ୍ରମନ୍ତ୍ରୀ । ଅମିତ ଶାହାଙ୍କ ଅଙ୍କକୁ ଫାଇନାଲ ଟଚ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ ।

ଦୁଇଦିନ ଧରି ଚାଲିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ଆଉ ଏହାସହ ୨୦୧୯ ନିର୍ବାଚନକୁ ହାତେଇବାକୁ ପ୍ରସ୍ତୁତ ହୋଇଛି ଚିଠା । ଦୁଇ ନମ୍ବର ନୁହେଁ ରାଜ୍ୟରେ ଏକ ନମ୍ବର ଦଳ ଭାବେ ଠିଆ ହେବାକୁ ରଣନୀତି ଆପଣାଇଛି ଦଳ । ମୋ ବୁଥ ସବୁଠୁ ମଜବୁତ ମାଧ୍ୟମରେ ନିଜର ସ୍ଥିତି ମଜବୁତ କରିଛି । ତେଣୁ ଏହି ଦୁଇଦିନିଆ କାର୍ଯ୍ୟକାରିଣୀରେ ଏ ସବୁ ବାବଦରେ ମାନସମଂଥନ ହୋଇଛି ।

ସେପେଟ କାର୍ଯ୍ୟକାରିଣୀରେ ୧୨ଟି ପ୍ରସଙ୍ଗରେ ଆଲୋଚନା ହୋଇଥିବା ସାଧାରଣ ସଂପାଦକ ଭୃଗୁ ବକ୍ସି ପାତ୍ର କହିଛନ୍ତି । ଓଡିଶା ଚାଷୀଙ୍କ ଋଣ ଛାଡ ପ୍ରସଙ୍ଗ, ବ୍ଲକ ଗ୍ରାଂଟ ଶିକ୍ଷକଙ୍କ ଧାରଣା, ସପ୍ତମ ବେତନ କମିସନ ଲାଗୁ, ପିସି କାରବାର, ମନେରଗା ଦୁର୍ନୀତି ଓ ଚିଟଫଣ୍ଡ ଦୁର୍ନିିତି ନେଇ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି ।
ଏହି ଦୁଇଦିନିଆ କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରକାଶ ଜାଭେଦକର, ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବିଜୟ ମନ୍ତ୍ର ଫୁଙ୍କିଛନ୍ତି । କେନ୍ଦ୍ରମନ୍ତ୍ରୀ ତୋମାର କହିଛନ୍ତି ଓଡିଶାରେ ବିଜେପି ଆଗକୁ ଯାଉଛି । ରାଜ୍ୟରେ ବିଜେପି ଉପରେ ଲୋକଙ୍କ ଆଶୀର୍ବାଦ ରହିଛି । ତେଣୁ ଦଳକୁ ଅଧିକ ସଂଗଠିତ କରି ବିଜୟ ଅଭିମୁଖେ ଯିବାକୁ ଦଳୀୟ ନେତାକୁ ପରାମର୍ଶ ଦେଇଛନ୍ତି ତୋମାର ।

କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର କହିଛନ୍ତି ଏହା ବିଜେପିର ନିର୍ଣ୍ଣାୟକ କାର୍ଯ୍ୟକାରିଣୀ ବୈଠକ । ବର୍ତମାନ ସୁଦ୍ଧା ୩୪ ହଜାର ବୁଥର ପୂର୍ଣ୍ଣାଙ୍ଗ ବିବରଣୀ ରହିଛି । ୩୬ ହଜାର ବୁଥ ଦଖଲ ଲକ୍ଷ୍ୟ ରହିଥିବା ଧର୍ମେନ୍ଦ୍ର କହିଛନ୍ତି । ସେ ଆହୁରି କହିଛନ୍ତି ଆଗକୁ ଏକ ବଡ ପରିବର୍ତନର ଆଭାସ ମିଳୁଛି । ନବୀନ ଆଇନାରେ ନିଜ ଚେହେରା ଦେଖି ଚାରିଥର ପାନିଆ ମାରୁଛନ୍ତି । ୨୦୧୯ ନିର୍ବାଚନରେ ଧର୍ମେନ୍ଦ୍ର ଓଡିଶାରୁ ନିର୍ବାଚନ ଲଢ଼ିବେ କି ପ୍ରଶ୍ନରେ କହିଛନ୍ତି, ସେ ଓଡିଶାରୁ ହିଁ ପ୍ରତିନିଧିତ୍ୱ କରିବେ । ଓଡିଶାରେ ବିଜେପି ୧୨୦ ସିଟ ଜିତିବ ବୋଲି ଦୃଢ଼କ୍ତି ଦେଖାଇଛନ୍ତି ଧର୍ମେନ୍ଦ୍ର । କହିଛନ୍ତି ଅମିତ ଶାହଙ୍କ ଗଣିତ ଭୁଲ ହେବନାହିଁ ।

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପୁଣିଥରେ ଓଡିଶା ଆସୁଛନ୍ତି ଦଳର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା । ତେଣୁ ଅମିତଙ୍କ ଗସ୍ତ ପୂର୍ବରୁ ଏହି କାର୍ଯ୍ୟକାରିଣୀ ବୈଠକରେ ଦଳୀୟ ରଣନୀତି ଚୁଡାକ୍ତ ହୋଇଥିବା କୁହାଯାଉଛି । ଶାହ ଗତ ଥର ଓଡିଶା ଗସ୍ତରେ ନବୀନଙ୍କ ଗଡରେ ପଦ୍ମ ଫୁଟାଇବାକୁ ଚେଷ୍ଟା କରି ସାରିଛନ୍ତି । ମୋ ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ଲୋକଙ୍କ ଘରେ ପିଢ଼ା ପକାଇ ଭାତ ବି ଖାଇଛନ୍ତି । ଗଞ୍ଜାମର ଏହି ଗସ୍ତ ସେତେବେଳେ ରାଜନୈତିକ ଝଡ ସୃଷ୍ଟି କରିଥିଲା ଓଡିଶାରେ । ଏବେ ପୁଣିଥରେ ଅମିତଙ୍କ ଗସ୍ତ କିଭଳି ରହୁଛି ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ।

ସେପଟେ ବିଜେଡି ଏହାକୁ ଦିବାସ୍ୱପ୍ନ ବୋଲି କହିଛି । ବିଜେପି ଦୁଇନମ୍ବର ହେବାକୁ ଚେଷ୍ଟା କରୁ ବୋଲି କଟାକ୍ଷ କରିଛି ବିଜେଡି । ବିଜୁ ଜନତା ଦଳ ସବୁବେଳେ ଏକ ନମ୍ବର ଥିଲା ଓ ରହିବ ବୋଲି ଦଳ କହିଛି ।

ନିୟମିତ ଭାବେ କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ରାଜ୍ୟ ରାଜନୀତି ବି ବେଶ ସରଗରମ ରହୁଛି । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ତୁରନ୍ତ ପ୍ରତିକ୍ରିୟା ବି ଦେଉଛନ୍ତି । ତେଣୁ ୨୦୧୯ ନିର୍ବାଚନରେ ଓଡିଶା ଉପରେ ଦଳର କେନ୍ଦ୍ରୀୟ ନେତା ନଜର ରଖିଥିବା ସ୍ପଷ୍ଟ ବାରି ହେଉଛି । ଏସବୁ ଭିତରେ ରାଜନୀତିର ପାଣିପାଗରେ ହଠାତ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବା ବେଳେ ଆଗାମୀ ହାୱା କେଉଁ ଦିଗକୁ ବହୁଛି ତାହା ଦେଖିବାର କଥା ।