ଅନୁକମ୍ପା ଭୋଟ ଉପରେ ଦଳର ଆଖି । ବାପାଙ୍କ ପରେ ପୁଅକୁ ଟିକେଟ୍ । ତିର୍ତୋଲ ଆସନରେ ଦିଂବଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କଲା ବିଜେଡି । ବାଲେଶ୍ୱରରେ ବିଜେପିରୁ ଲଢ଼ୁଛନ୍ତି ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ।  

301

କନକ ବ୍ୟୁରୋ : ଓଡ଼ିଶା ରାଜନୀତିରେ ପରିବାରବାଦ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି, ଯେତେବେଳେ ବାପାଙ୍କ ପରେ ପୁଅଙ୍କୁ ମିଳିଛି ଟିକେଟ୍ । ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି, ବାପାଙ୍କ ପରେ ପୁଅଙ୍କ ଉପରେ ଅସ୍ଥା ରଖିଛନ୍ତି । ଉଭୟ ବାଲେଶ୍ୱର ସଦର ଓ ତିର୍ତୋଲ ଉପ-ନିର୍ବାଚନରେ ଦେଖିବାକୁ ମିଳିଛି ସମାନ ଚିତ୍ର ।

ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଦିବଙ୍ଗତ ବିଧାୟକ ତଥା ଜଗତସିଂହପୁର ରାଜନୀତିର ପ୍ରମୁଖ ଚେହେରା ଥିବା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ସେଇ ସମାନ ଫର୍ମୁଲା ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଆପଣାଇଛନ୍ତି ଭାରତୀୟ ଜନତା ପାର୍ଟି । ଦିବଙ୍ଗତ ବିଧାୟକ ମଦନମୋହନ ଦତଙ୍କ ପୁଅ ମାନସ ଦତଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି । କେଉଁଠି ନା କେଉଁଠି ଉଭୟ ବିଜେଡି ଓ ବିଜେପି ରାଜନୈତିକ ମୈଦାନରେ ଭାବପ୍ରବଣତାର ସ୍ରୋତ ବୁହାଇବାକୁ ଉଦ୍ୟମ କରିଛନ୍ତି । ଆଉ ଏହି ଭାବପ୍ରବଣତାରେ ନିର୍ବାଚନୀ ବୈତରଣୀ ପାରି ହେବାର ଏକ ପ୍ରୟାସ ରହିଛି ।

ରାଜନୀତିରେ ଏଡି ବାପା-ପୁଅ ଫୁର୍ମଲା ବେଶ ପୁରଣା । ତାଲିକା ବି ଖୁବ୍ ଲମ୍ବା । ପୂର୍ବରୁ ଡାକ୍ତର ଦାମଦୋର ରାଉତଙ୍କ ସ୍ଥାନରେ ପାରାଦୀପର ବିଧାୟକ ହେଉଛନ୍ତି ତାଙ୍କ ପୁଅ ସମ୍ବିତ ରାଉତରାୟ, ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୟଶ୍ରୀ ରାଉତରାୟଙ୍କ ପରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ବିଧାୟକ ରହିଛନ୍ତି ।

ସେହିପରି ବାଙ୍କୀରେ ପ୍ରଭାତ ତ୍ରିପାଠୀଙ୍କ ସ୍ଥାନରେ ବିଧାୟକ ହେଉଛନ୍ତି ପୁଅ ଦେବୀ ରଞ୍ଜନ ତ୍ରିପାଠୀ । କଟକ-ଚୌଦ୍ୱାରରେ ମଧ୍ୟ ପ୍ରଭାତ ବିଶ୍ୱାଳଙ୍କ ପରେ ତାଙ୍କ ପୁଅ ସୌଭିକ ବିଶ୍ୱାଳ ବିଧାୟ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଲ୍ଲ୍ ଘଡେଇଙ୍କ ପୁଅ ପ୍ରୀତି ରଞ୍ଜନ ଘଡେଇ, କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟ, ପର୍ଶୁରାମ ପାଣୀଗ୍ରାହୀଙ୍କ ପୁଅ ଜ୍ୟୋତିପ୍ରକାଶ ପାଣୀଗ୍ରାହୀ ଓ କାଳନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ରସାରଥୀ ବେହେରା ଆଦି ନେତା ରାଜ୍ୟ ରାଜନୀତିରେ ନିଜ ସ୍ଥିତି ଦୃଢ କରିସାରିଛନ୍ତି ।