କନକ ବ୍ୟୁରୋ : ଚିରାଚରିତ ଢ଼ଙ୍ଗରେ ସମସ୍ତଙ୍କୁ ଚକିତ କଲା ଭଳି ନିଷ୍ପତି ନେଇଛନ୍ତି ବିଜେଡି ସୁପ୍ରିମୋ । ବାଲେଶ୍ୱର ଉପ-ନିର୍ବାଚନ ପାଇଁ ନୂଆ ଚେହେରା, ସ୍ୱରୁପ ଦାସଙ୍କ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି । ସ୍ୱରୁପ ଦାସ, ତୃଣମୂଳସ୍ଥରରେ ଦଳ ପାଇଁ କାମ କରିଥିବା ବେଳେ ପୂର୍ବରୁ ପୌର ପରିଷଦରେ କାଉନ୍ସିଲ ମଧ୍ୟ ଥିଲେ । ଆଉ ଏପଟେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ବାପା ମଦନମୋହନ ଦତ୍ତଙ୍କ ଫଟୋ ଚିତ୍ରକୁ ଧରି ବୁଲି ବୁଲି ଭୋଟ୍ ମାଗୁଥିବା ବେଳେ ଦିବଙ୍ଗତ ବିଧାୟକଙ୍କ ପତ୍ନୀ ପ୍ରେମଲତା ଦତ୍ତ, ପଣତକାନୀ ପସାରୀ ପୁଅଙ୍କ ପାଇଁ ଭୋଟ୍ ମାଗୁଛନ୍ତି । ଆଉ ଏପଟେ କଂଗ୍ରେସ ପ୍ରାର୍ଥୀଙ୍କ ନାଁକୁ ଅପେକ୍ଷା କରାଯାଇଛି

Advertisment

ଏପଟେ ବାଲେଶ୍ୱର ବିଜେଡିରେ ଦେଖା ଦେଇଛି ଏକ ଅଭାବନୀୟ ସ୍ଥିତି । ସ୍ୱରୂପ ଦାସଙ୍କ ବିଜେଡି ଟିକେଟ୍ ଦେବା ପରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମର୍ଥକ ଚିହିଁକି ଉଠିଛନ୍ତି । ରବୀନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟ ସାମ୍ନା କର୍ମୀମାନେ ରୁଣ୍ଡ ହୋଇ ସୂରୁପ ଦାସଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି । ଯଦି ଏହି ନିଷ୍ପତିର ପୁର୍ନରବିଚାର କରାନଯାଏ, ତେବେ ଦଳ ପାଇଁ କାମ କରିବେ ନାହିଁ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ ରବୀନ୍ଦ୍ର ଜେନାଙ୍କ ପତ୍ନୀ ଶୁଭାଷିନୀ ଜେନାଙ୍କୁ ବିଜେଡି ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଆଜି ଯେତେବେଳେ ଟିକେଟ୍ ଘୋଷଣା ହୋଇଛି, ରବୀନ୍ଦ୍ର ଜେନାଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏପଟେ ତିର୍ତୋଲରେ ଉଷ୍ମ ହୋଇଛି ଉପ-ନିର୍ବାଚନ ରାଜନୀତି । ତିର୍ତୋଲ୍ ଉପ-ନିର୍ବାଚନ ପାଇଁ ଦିବଂଗତ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ବିଜୟ ଶଙ୍କର ପାଇଁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଟିକଟ ନେଇ ନିର୍ବାଚନ ମଣ୍ଡଳିରେ ପହଂଚିଛନ୍ତି । ତିର୍ତୋଲ ଆସନ ପାଇଁ ଏକାଧିକ ଦାବିଦାର ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଷ୍ଣୁ ଦାସଙ୍କ ପୁଅଙ୍କ ନାଁରେ ମୋହର ମାରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏପଟେ ଜଗତସିଂହପୁର ତିର୍ତୋଲ ଉପ-ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ଦାଖଲ କରିଛନ୍ତି ରାଜକିଶୋର । ପ୍ରଥମେ ମାଆ ଶାରଳାଙ୍କ ପୀଠରେ ଦେବୀଙ୍କ ଆର୍ଶୀବାଦ ନେଇ ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ନେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଉ ଏହାରି ଭିତରେ ଥମିନି ଦଳଡିଆଁ ରାଜନୀତି । ବିଜେଡିରେ ସାମିଲ ହୋଇଛନ୍ତି ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ରମାକାନ୍ତ ଭୋଇ । ଗତ ନିର୍ବାଚନରେ ରମାକାନ୍ତ ତିର୍ତୋଲରୁ ଲଢି ଦ୍ୱିତୀୟ ସ୍ଥାନରେ ଥିଲେ । ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ରମାକାନ୍ତ ଭୋଇ ।