ବିଜେପି ରାଜ୍ୟରେ ସୃଷ୍ଟି କରୁଛି ଅଶାନ୍ତ ବାତାବରଣ, ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପିର ହିଂସା ରାଜନୀତିକୁ ଘୃଣା କରନ୍ତି । ବିଜେପିକୁ ଟାର୍ଗେଟ କଲା ବିଜେଡି ।

97

କନକ ବ୍ୟୁରୋ : ଓଡ଼ିଶାରେ ବିଜେପି ଅଶାନ୍ତ ବାତାବରଣ ସୃଷ୍ଟି କରୁଛି । ବିଜେପି ବଛା ବଛା ଲୋକଙ୍କୁ ଆଣୁଛନ୍ତି ଯେଉଁମାନଙ୍କର ଅପରାଧ ରେକର୍ଡ ରହିଛି, ହେଲେ କୁମ୍ଭୀର କାନ୍ଦଣା କାନ୍ଦି ହିଂସା ସହ ଓଡ଼ିଶାକୁ ଯୋଡି ସାଢେ ୪ କୋଟି ଓଡ଼ିଆଙ୍କୁ ଅପମାନିତ କରୁଛନ୍ତି । କିଛି ଏଭଳି କହି ବିଜେପିକୁ ଟାର୍ଗେଟ କରିଛି ବିଜେଡି ।

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଝାରସୁଗୁଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଟଙ୍କଧର ତ୍ରିପାଠୀଙ୍କ ନାମରେ ହତ୍ୟା ଉଦ୍ୟମ ସମେତ ୧୨ ଟି ମାମଲା ରହିଛି । ଏହା ଏକମାତ୍ର ଉଦାହରଣ ନୁହେଁ, ଓଡିଶା ବିଜେପି ସବୁବେଳେ ଅପରାଧିକ ପୃଷ୍ଟଭୂମି ଥିବା ପ୍ରାର୍ଥୀଙ୍କୁ ହିଁ ସ୍ଥାନ ଦେଇଥାଏ । ପଦମପୁର ଉପନିର୍ବାଚନରେ ଓଡିଶା ବିଜେପି ପ୍ରାର୍ଥୀ କରିଥିବା ପ୍ରଦୀପ ପୁରୋହିତଙ୍କ ବିରୋଧରେ ୧୩ଟି ଅପରାଧିକ ମାମଲା ବିଚାରାଧୀନ ଅଛି । ଅଭ୍ୟାସଗତ ଅପରାଧୀ ଏବଂ ହତ୍ୟା ଅଭିଯକ୍ତୁ ଇରାସିସ୍ ଆଚାର୍ଯ୍ୟଙ୍କ ନାଁରେ ହତ୍ୟା ମାମଲା ସମେତ ତାଙ୍କ ବିରୋଧରେ ୧୪ ଟି ମାମଲା ବିଚାରାଧୀନ ଅଛି । ସେହିଭଳି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଟ୍ରାକ୍ ରେକର୍ଡ ବି ସମସ୍ତଙ୍କୁ ଜଣା । ତାଙ୍କ ବିରୋଧରେ ହତ୍ୟା ମାମଲା ସମେତ ୧୬ ଟି ଅପରାଧିକ ମାମଲା ରହିଛି । ଯେତେବେଳେ ଏହାର ନେତାଙ୍କ ବିରୋଧରେ ଏତେଗୁଡ଼ିଏ ଅପରାଧିକ ମାମଲା ରହିଛି, ସେତେବେଳେ ଓଡ଼ିଶା ବିଜେପି କିନ୍ତୁ ଓଡିଶାବାସୀଙ୍କ ସମ୍ମାନହାନୀ କରିବା ପାଇଁ ଓଡ଼ିଶାକୁ ଆଇନହୀନ ବୋଲି କହିବା ଜାରି ରଖିଛି ।

କିଏ ବେଆଇନ କାର୍ଯ୍ୟ କରୁଛି ଏବଂ ଅପରାଧୀଙ୍କୁ କିଏ ସମର୍ଥନ କରୁଛି ତାହା ଓଡିଶାର ଲୋକମାନେ ଦେଖୁଛନ୍ତି । ସେମାନେ ଏହାର ଉପଯୁକ୍ତ ଉତ୍ତର ଦେଉଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଉପଯୁକ୍ତ ଉତ୍ତର ଦେବା ଜାରି ରଖିବେ ବୋଲି ଲେନିନ୍ କହିଛନ୍ତି । ଝାରସୁଗୁଡା ଉପନିର୍ବାଚନରେ ବିଜେପି ନିଜର ପରାଜୟ ନିଶ୍ଚିତ ଜାଣିବା ପରେ ବିଜେଡି ନେତା ଓ କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି । ଏପିରିକି ବିଜେପି ବିଧାୟିକା କୁସୁମ ଟେଟେ ଓ ଝାରସୁଗୁଡା ଉପ-ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଟଙ୍କଧର ତ୍ରିପାଠୀ ବିଜେପି କର୍ମୀଙ୍କର ଏଭଳି ଗୁଣ୍ଡାଗର୍ଦ୍ଦିକୁ ସମର୍ଥନ କରି ଆସୁଛନ୍ତି । ଏଥିପାଇଁ ଓଡିଶାର ଲୋକମାନେ ଓଡିଶା ବିଜେପିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ଏବଂ ଝାରସୁଗୁଡା ଉପନିର୍ବାଚନରେ ମଧ୍ୟ ଓଡିଶା ବିଜେପିକୁ ଅନୁରୂପ ଭାବେ ପ୍ରତ୍ୟାଖ୍ୟାନ କରିବେ ବୋଲି ଲେନିନ୍ କହିଛନ୍ତି । ସେମାନେ ଆଇନ ଭାଙ୍ଗି ହିଂସା କରୁଛନ୍ତି, ଯେଉଁଠି ଦଙ୍ଗା ହେଉଛି ସେଠି ବିଜେପି କମିଟି ଯାଇ ନାହିଁ, ଏଠାକୁ ଆସୁଛନ୍ତି ଏବଂ ଓଡିଶାକୁ ବଦନାମ କରୁଛନ୍ତି । ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ହିଂସା ସୃଷ୍ଟି କରି ଆଇନଶୃଙ୍ଖଳା ନାହଁ ବୋଲି କହିଲେ ଆମକୁ ବାଧିବ ବୋଲି କହିଛନ୍ତି ଲେନିନ ।