ଜୁଏଲ ଓରାମଙ୍କ ବିରୋଧରେ ବାହାରିଲା ବିଜେଡି ପଟୁଆର । ନିର୍ବାଚନୀ ଅନିୟମିତତା ଅଭିଯୋଗରେ ନିର୍ବାଚନ ଆୟୋଗଙ୍କ ନିକଟରେ ହେଲେ ଫେରାଦ । 

31

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବିରୋଧରେ ଫେରାଦ ହେଲା ବିଜେଡି । ୨୦୧୪ ସୁନ୍ଦରଗଡ ଲୋକସଭା ଆସନରେ ନିର୍ବାଚନ ବେଳେ ବର୍ତମାନର କେନ୍ଦ୍ରମନ୍ତ୍ରୀ ଓରାମ ନିର୍ବାଚନୀ ଖର୍ଚ୍ଚ ନେଇ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ଆଣିଛନ୍ତି ସାଂସଦ ଦିଲ୍ଲୀପ ତିର୍କୀ । ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ସେ ଅଭିଯୋଗ କରିଛନ୍ତି । ଆୟୋଗକୁ ଦେଇଥିବା ସ୍ମାରକ ପତ୍ରରେ ଦିଲ୍ଲୀପ ତିର୍କୀ ଜୁଏଲ ଓରାମ ନିର୍ବାଚନ ପୂର୍ବରୁ ଦେଇଥିବା ସତ୍ୟପାଠରେ ଭୁଲ ସୂଚନା ପ୍ରଦାନ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

ସେ ନିର୍ବାଚନ ଆୟୋଗର ଆଇନକୁ ଉଲ୍ଲଂଘନ କରିଛନ୍ତି ଏବଂ ତାଙ୍କ ବିରୋଧରେ ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଦିଲ୍ଲୀପ ତିର୍କୀଙ୍କ ସହ ଅନ୍ୟ ବହୁ ବିଜେଡି ସାଂସଦ ଏକାଠି ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଯାଇଥିଲେ । ଏନେଇ ଆସିଥିବା ଅଭିଯୋଗର ତଦନ୍ତ ହେବ ବୋଲି ନିର୍ବାଚନ ଆୟୋଗ କହିଥିବା ସୂଚନା ମିଳିଛି । ସେପଟେ ଏହାର ଜବାବ ରଖିଛି ରାଜ୍ୟ ବିଜେପି । ଏହି ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ କରାଯାଇଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚର ଘୋଷଣାରେ ଭୁଲ ଥିବା ଦର୍ଶାଇ ଥିଲେ ।