ଫେରିଲା କି ଚିଟଫଣ୍ଡ ତାତି ! ଇଡିରେ ହାଜର ହେଲେ ପ୍ରଭାତ ତ୍ରିପାଠୀ

50

କନକ ବ୍ୟୁରୋ : ଫେରିଲା କି ଚିଟଫଣ୍ଡ ତାତି । ପୁଣି ସକ୍ରିୟ ହେଲା କି ଇଡି ଆଉ ସିବିଆଇ । ପଡିବ କି ଆଉ କାହାର ପାଳି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିରେ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ହାଜର ହେବା ପରେ ଏଭଳି ଚର୍ଚ୍ଚା ପୁଣିଥରେ ମୁଣ୍ଡ ଟେକିଛି । ସିବିଆଇ ଦ୍ୱାରା ଗିରଫ ହୋଇ ଜାମିନରେ ଥିବା ପ୍ରଭାତ ପୁଣି ଥରେ ଇଡିରେ ହାଜର ହେବା ପାୱାର କରିଡରକୁ ଏବେ ହଲାଇ ଦେଇଛି ।

ଇଡିରେ ହାଜର ହୋଇଛନ୍ତି ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ । ଅର୍ଥତତ୍ୱ ଚିଟଫଣ୍ଡ ମାମଲାରେ ଆଜି ହାଜର ହୋଇଛନ୍ତି ସେ । ପୂର୍ବରୁ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପ୍ରଭାତ ଏବେ ବେଆଇନ ଅର୍ଥକାରବାର ମାମଲାରେ ଇଡିରେ ପହଂଚିଛନ୍ତି । ଅର୍ଥତତ୍ୱ ଚିଟଫଣ୍ଡ ମାମଲାରେ ୨୦୧୪ ଅକ୍ଟୋବରରେ ତାଙ୍କୁ ସିବିଆଇ ପଚରାଉଚୁରା କରିବା ପରେ ଗିରଫ କରିଥିଲା । ଏହାପୂର୍ବରୁ ପ୍ରାୟ ୫ଥର ସେ ସିବିଆଇରେ ହାଜର ହୋଇଥିଲେ । ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ ବାଙ୍କି ମହୋତ୍ସବ ପାଇଁ ମୋଟା ଅଙ୍କର ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ସିବିଆଇ ଜେରା ବେଳେ, ଯାହାର ହିସାବ କିତାବ ଦେଇ ପାରିନଥିଲେ ପ୍ରଭାତ । ଯେଉଁଥିପାଇଁ ତାଙ୍କୁ ଜେଲ ଯିବାକୁ ପଡିଥିଲା । ପରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ।

ଜାମିନରେ ଆସିବା ପରେ ମଧ୍ୟ ୯ ସେପ୍ଟେମ୍ବର ୨୦୧୬ରେ ସେ ସିବିଆଇରେ ହାଜର ହୋଇଥିଲେ । ପାଖାପାଖି ଘଣ୍ଟାଏ ଧରି ତାଙ୍କୁ ପଚରାଉଚୁରା କରିଥିଲା ସିବିଆଇ । ମାମଲା ବିଚରାଧୀନ ଥିବା ବେଳେ କିଛି ଡକ୍ୟୁମେଣ୍ଟର ଯାଞ୍ଚ ପାଇଁ ତାଙ୍କୁ ସିବିଆଇ ଡାକିଥିବା ସେ କହିଥିଲେ । କେବଳ ପ୍ରଭାତ ନୁହଁନ୍ତି ଏଟି ଚିଟଫଣ୍ଡ ମାମଲାରେ ତକ୍ରାଳୀନ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ପଲିଟିକାଲ ପିଏ ଦିିଲ୍ଲୀପ ମିଶ୍ର ମଧ୍ୟ ସିବିଆଇ ସ୍କାନରକୁ ଆସିଥିଲେ । ଏହାଛଡା ଚିଟଫଣ୍ଡ ସ୍କାମରେ ଅନେକ ନେତା ତଦନ୍ତ ପରିସରଭୁକ୍ତ ହୋଇଛନ୍ତି ।

ସିସୋର, ଏଟି, ନବଦିଗନ୍ତ, ଓସ୍କାର ଭଳି ଚିଟଫଣ୍ଡ ମାମଲାରେ ରାଜନେତା ଓ ଅଭିନେତା ବନ୍ଧା ହେବା ପରେ ନା ସିବିଆଇ ନା ଇଡି କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାଁନ୍ତି । କୌଣସି ବଡଧରଣର ଗିରଫଦାରୀ ମଧ୍ୟ ହୋଇନାହିଁ । ରାଜରାସ୍ତାରେ କ୍ଷତିଗ୍ରସ୍ତ ଜମାକାରୀ ଗର୍ଜୁଥିବା ବେଳେ ତଦନ୍ତକାରୀ ସଂସ୍ଥାର ତଦନ୍ତ ଶିଥିଳତାକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ତଦନ୍ତକାରୀ ସଂସ୍ଥା ଚିଟଫଣ୍ଡର ଖୋଳତାଡ କରି ମୁଖ୍ୟମନ୍ତ୍ରୀଙ୍କ ଦୁଆର ପର୍ଯ୍ୟନ୍ତ ଯାଇଥିବା ବେଳେ ଏବେ ଚୁପ କାହିଁକି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ତେବେ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି । ୧୧ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏଟି ମୁଖିଆ ପ୍ରଦୀପ ସେଠୀ । ଭୁବନେଶ୍ୱର ସିଜେଏମ କୋର୍ଟ ତାଙ୍କୁ ସର୍ବାଧିକ ୭ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତିି । କିନ୍ତୁ ପ୍ରଭାତଙ୍କ ମାମଲା ଏବେ ବି ବିଚରାଧିନ ରହିଛି । ବିଜେପିର ପୂର୍ବତନ ସାଂସଦ ସୁବର୍ଣ୍ଣ ନାୟକଙ୍କ ମାମଲାର ମଧ୍ୟ କୌଣସି ବିଚାର ହୋଇନି । ଏପରିସ୍ଥଳରେ ଦୀର୍ଘଦିନ ପରେ ହଠାତ ଚେଇଁ ଉଠିଥିବା ଇଡି ଆଗକୁ କୌଣସି ଠୋସ ପଦକ୍ଷେପ ନେବ କି ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଛି । ତା ଛଡା ଗିରଫ ହୋଇ ଜାମିନରେ ଥିବା ବିଧାୟକ ଇଡିରେ ହାଜର ପରେ ଆଉ କାହା ପାଳି ପଡି ସେନେଇ ଚର୍ଚ୍ଚା ଆଲୋଚନା ବି ଆରମ୍ଭ ହୋଇଗଲାଣି ।