ବାରବାଟୀ ବିସିସିଆଇ ବକ୍ସରେ ଚିଟଫଣ୍ଡ ଖଳନାୟକ ଶୁଭଙ୍କର ନାୟକ ବସିବା ଘଟଣା ! ତଦନ୍ତ ଦାବି କଲେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ।

37

କନକ ବ୍ୟୁରୋ : ବୁଧବାରଦିନ ଟ୍ୱି-ଟ୍ୱେଂଟି ମ୍ୟାଚ ବେଳେ ବାରବାଟୀରେ ବିସିସିଆଇର ଭିଭିଆଇପି ବକ୍ସରେ ଚିଟଫଣ୍ଡ ଖଳନାୟକ ଶୁଭଙ୍କର ନାୟକ ବସିବା ଘଟଣା ବିବାଦୀୟ ହେବାରେ ଲାଗିଛି । ଘଟଣାର ତଦନ୍ତ ଦାବି କରିଛନ୍ତି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ଦେବାଶିଷ କହିଛନ୍ତି, ତଦନ୍ତ ହେଲେ ଶୁଭଙ୍କରକୁ କିଏ ପାସ ଦେଇଥିଲା ତାହା ଜଣାପଡିବ ।

ଓସିଏ ଏକ ସ୍ୱଂୟଚାଳିତ ଅନୁଷ୍ଠାନ, ଏଥିରେ ସରକାରଙ୍କ କିଛି କର୍ତୃତ୍ୱ ନାହିଁ । ଅଯଥାରେ ଏଥିରେ ସରକାରଙ୍କୁ ଟଣାଯାଉଛି । ବାରବାଟିର ବିସିସିଆଇ ବକ୍ସରେ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ଖେଳକୁ ଉପଭୋଗ କରିଥିଲେ ଶୁଭଙ୍କର ନାୟକ । ଶୁଭଙ୍କର ନାୟକ ଚିଟଫଣ୍ଡ ମାମଲାରେ ଦୀର୍ଘ ଦିନ ଧରି ଜେଲରେ ଥିଲେ । ସେ ବସିଥିବା ଏହି ସ୍ଥାନରେ ସାଧାରଣ ଲୋକ ବସିପାରିବେ ନାହିଁ । ଏହି ବିସିସିଆଇ ବକ୍ସରେ ବସିଥାନ୍ତି ମୁଖ୍ୟ ବିଚାରପତି, ବିଚାରପତି, ମନ୍ତ୍ରୀ, ଆଇଏଏସ, ଆଇପିଏସ, ପୋଲିସ ଡିଜି ଓ ଖେଳାଳୀଙ୍କ ଘନିଷ୍ଠ ସମ୍ବର୍କୀୟ ।

କିନ୍ତୁ ଏହି ବକ୍ସରେ ସବୁଠୁ ଆଗରେ ବସି ମ୍ୟାଚକୁ ଉପଭୋଗ କରିଥିଲେ ଶୁଭଙ୍କର । ଏହି ବକ୍ସରେ ବସିବା ପାଇଁ ଟିକେଟ ମଧ୍ୟ ମିଳେନାହିଁ । କେବଳ ଓଡିଶା କ୍ରିକେଟ ଆସୋସିଏସନ ଏଥିପାଇଁ କଂପ୍ଲିମେଂଟାରୀ ପାସ ଦେଇଥାଏ ।