ଯୋଗେଶଙ୍କୁ ନେଇ ସୁନ୍ଦରଗଡ ରାଜନୀତିରେ ଘମାସାନ! ଭୁବନେଶ୍ୱରର ଫର୍ମୁଲା ମାନିବାକୁ ଅରାଜି କୁସୁମ୍ ଟେଟେ ଓ ସମର୍ଥକ, ବିଫଳ ହେଲା ରୁଦ୍ଧଦ୍ୱାର ବୈଠକ?

451

କନକ ବ୍ୟୁରୋ : ବିଜେଡିରେ ନବ ଦାସଙ୍କ ମିଶ୍ରଣ ପୂର୍ବରୁ ବରିଷ୍ଠ ନେତା କିଶୋର ମହାନ୍ତିଙ୍କୁ ଯେପରି ମନାଇଥିଲା ବିଜେଡି, ସେହିପରି ସୁପ୍ରିମୋଙ୍କ ସନ୍ଦେଶ ନେଇ ସୁନ୍ଦରଗଡ଼ ଯାଇଥିଲେ ସାଂସଦ ପ୍ରଶାନ୍ତ ନନ୍ଦ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ । କଂଗ୍ରେସ ଛାଡିଥିବା ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କ ମିଶ୍ରଣ ପୂର୍ବରୁ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଥିବା କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କୁ ମନାଇବାକୁ ଉଦ୍ୟମ କରିଥିଲେ ଦୁଇ ନେତା । ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ଆଲୋଚନା ସତ୍ୱେ ବିରୋଧ ଯୋଗୁଁ ବୈଠକ ବିଫଳ ହୋଇଛି । । ଭୁବନେଶ୍ୱରରୁ ଯେଉଁ ଫର୍ମୁଲା ଦିଆଯାଇଥିଲା, ତାକୁ ମାନିବାକୁ ରାଜି ହୋଇନଥିଲେ କୁସୁମ ଟେଟେଙ୍କ ସମର୍ଥକ । ଏପରକି ଗେଟରେ ତାଲା ପକାଇ ନାରାବାଜି କରିଥିଲେ । ଶେଷରେ କୁସୁମ ଟେଟେଙ୍କୁ ଭୁବନେଶ୍ୱର ଆସିବାକୁ କହି ଫେରି ଆସିଥିଲେ ପ୍ରଶାନ୍ତ ଓ ପ୍ରଣବ ।

ସୁନ୍ଦରଗଡ଼ ଟାଙ୍ଗରପଲ୍ଲୀ ସ୍ଥିତ ବିଜେଡି ନେତ୍ରୀ କୁସୁମ ଟେଟେଙ୍କ ବାସଭବନ । ଘର ଭିତରେ ବୈଠକ କରୁଛନ୍ତି ସାଂସଦ ପ୍ରଶାନ୍ତ ନନ୍ଦ ଓ ବିଧାୟକ ପ୍ରଣବପ୍ରକାଶ ଦାସ, ବାହାରେ ଗେଟ୍ ତାଲା ପକାଇ ନାରାବାଜି ଦେଉଛନ୍ତି କୁସୁମଙ୍କ ସମର୍ଥକ । କଂଗ୍ରେସ ଛାଡିଥିବା ଯୋଗେଶ ସିଂହ ବିଜେଡିରେ ଯୋଗ ଦେବା ପୂର୍ବରୁ କୁସୁମଙ୍କ ଘରେ ଆଜି ପହଁଚିଥିଲେ ପ୍ରଶାନ୍ତ ନନ୍ଦ ଓ ପ୍ରଣବପ୍ରକାଶ ଦାସ । କୁସୁମ ଟେଟେଙ୍କୁ ମନାଇବା ପାଇଁ ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଯାଇଥିଲେ ଦୁଇ ନେତା । ସୁନ୍ଦରଗଡ଼ ରାଜନୀତି ପାଇଁ ସେମାନେ ଯେଉଁ ଫର୍ମୁଲା ଦେଇଥିଲେ ତାଙ୍କୁ ମାନିବାକୁ ନାରାଜ କୁସୁମ ଟେଟେଙ୍କ ସମର୍ଥକ ।

ଚର୍ଚ୍ଚା ହେଉଛି ଆସନ୍ତା ୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେବେ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂହ । ସୁନ୍ଦରଗଡ଼ ଆସନକୁ ଯୋଗେଶଙ୍କ ପାଇଁ ଛାଡି ଅନ୍ୟ ନିର୍ବାଚନ ମଣ୍ଡଳୀରେ ଥଇଥାନର ଫର୍ମୁଲା ନେଇ ଭୁବନେଶ୍ୱରରୁ ଯାଇଥିଲେ ଦୁଇ ବରିଷ୍ଠ ନେତା । ରୁଦ୍ଧଦ୍ୱାର ବୈଠକରେ ଆଲୋଚନା ହୋଇଥିଲା । କୁସୁମ ଟେଟେ ଓ ତାଙ୍କ ସ୍ୱାମୀ ଅଜୟ ପଟେଲ ଓ ଜିଲ୍ଲା ବିଜେଡିର ବରିଷ୍ଠ ନେତା ବୈଠକରେ ସାମିଲ ହୋଇଥିଲେ । ଯୋଗେଶଙ୍କ ମିଶ୍ରଣ ଦଳୀୟ ନିଷ୍ପତି ବୋଲି ସେମାନଙ୍କୁ ବୁଝାଇଥିଲେ ପ୍ରଶାନ୍ତ ନନ୍ଦ, ପ୍ରଣବ ପ୍ରକାଶ ଦାସ । ହେଲେ ଏଭଳି ପ୍ରସ୍ତାବକୁ ବିରୋଧ କରିଥିଲେ କୁସୁମ ଓ ତାଙ୍କ ସମର୍ଥକ । କୌଣସି ସମାଧାନ ହୋଇପାରିନଥିବା ସୂଚନା ମିଳିଛି । ତେବେ ଏ ନେଇ ମୁହଁ ଖୋଲିନାହାଁନ୍ତି ପ୍ରଶାନ୍ତ ଓ ପ୍ରଣବ ।

ଗୋଟିଏ ପଟେ କଂଗ୍ରେସ ଛାଡିଥିବା ନେତାଙ୍କୁ ବିଜେଡିରେ ମିଶ୍ରଣ ନେଇ ସ୍ଥାନୀୟ ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ତେଜୁଥିବା ବେଳେ ଆଜି ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କୁ ସଚିବାଳୟ ତୃତୀୟ ମହଲାରେ ଦେଖିବାକୁ ମିଳିଛି । ନିକଟରେ କଂଗ୍ରେସ ବ୍ୟାନର ବିନା ବିଶାଳ ରାଲି କରି ଶକ୍ତି ପ୍ରଦର୍ଶନ କରିଥିଲେ ପ୍ରକାଶ । ତୃତୀୟ ମହଲାକୁ ପ୍ରକାଶ କାହିଁକି ଯାଇଥିଲେ, ଏ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ କଂଗ୍ରେସ ଛାଡ଼ି ସେ ବିଜେଡିରେ ଯୋଗ ଦେବା ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା, ତାହା ପୁଣିଥରେ ଜୋର ଧରିଛି ।