୨୦୨୪ ପାଇଁ ସ୍ୱତନ୍ତ୍ର ରଣନୀତି କରୁଛି ବିଜେଡି: ଏଥର କେନ୍ଦ୍ର ଅବହେଳା ନୁହେଁ ନବୀନ ବ୍ରାଣ୍ଡକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ

146

କନକ ବ୍ୟୁରୋ: ନବୀନଙ୍କ ସ୍ୱଛ ଭାବମୂର୍ତି ଓ ବ୍ରାଣ୍ଡ ନବୀନକୁ ନେଇ ଲୋକଙ୍କ ପାଖରେ ପହଁଚିବ ବିଜୁ ଜନତା ଦଳ । ୨୫ବର୍ଷ ରାଜନୈତିକ ସେବା ଭିତରେ ନବୀନ ସରକାରଙ୍କ ବିକାଶ କାର୍ଯ୍ୟକ୍ରମକୁ ବଡ ଅସ୍ତ୍ର କରିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ମଂଗଳବାର ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବା ପରେ ବୁଧବାର ବିଜେଡି ସାଂଗଠନିକ ବୈଠକ କରିଛି । ବୈଠକରେ ଜୋନ ସ୍ତରୀୟ ନେତାଙ୍କୁ ଡାକି ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଦଳ ।

ଗତ ନିର୍ବାଚନରେ ବିଜେଡି କେନ୍ଦ୍ର ଅବହେଳାକୁ ଏକ ବଡ ପ୍ରସଙ୍ଗ କରିଥିଲା । ହେଲେ ଏଥର ରଣନୀତିରେ ପରିବର୍ତନ କରି କେନ୍ଦ୍ର ଅବହେଳାକୁ ଗୁରୁତ୍ୱ ନଦେଇ ନବୀନଙ୍କ ଲୋକପ୍ରିୟତା ଓ ବିକାଶମୂଳକ କାର୍ଯ୍ୟକୁ ଆଧାର କରି ତାଙ୍କରି ବ୍ରାଣ୍ଡରେ ନିର୍ବାଚନ ଲଢ଼ିବ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବୈଠକରେ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛି ଦଳ ।

ସାଂଗଠନିକ ବୈଠକରେ ବ୍ଲୁପ୍ରିଂଟ ..
– ଲୋକଙ୍କ ପାଖରେ ନବୀନଙ୍କ ବାର୍ତ୍ତା ପହଁଚାଇବେ ଜୋନସ୍ତରୀୟ ନେତା
– ନବୀନ କରିଥିବା ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ବୁଝାଇବେ
– ବିଜୁ-ସ୍ୱାସ୍ଥ୍ୟକଲ୍ୟାଣ, କାଳିଆ, ମିଶନ ଶକ୍ତି ବିଜେଡିର ବଡ ଅସ୍ତ୍ର
– ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ପଦଯାତ୍ରା କରିବ ବିଜେଡି
– ବିଜେଡିର ପ୍ରତିଷ୍ଠା ଦିବସର ୨୫ବର୍ଷ ପୁର୍ତ୍ତିକୁ ଜୋରଦାର ପାଳନ କରିବାକୁ ଯୋଜନା

ଆଗକୁ ରାଜନୀତିକ ମାହୋଲ ସରଗରମ ହେବାକୁ ଯାଉଛି । ଗୋଟିଏ ପଟେ ବିଜେପି ପ୍ରଭାରୀ ସୁନୀଲ ବଂଶଲ ରାଜ୍ୟରେ ବିଜେପିର ସ୍ଥିତି କଣ ରହିଛି, ସେନେଇ ସମୀକ୍ଷା କରି ରିପୋର୍ଟ ନେଇ ଦିଲ୍ଲୀ ଯାଇଛନ୍ତି । ଆଉ ୨୯ରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସୁଛନ୍ତି । ତେଣୁ ବିଜେପି ଆଗରୁ ଯୋଜନା କରୁଛି ବିଜେଡି ।