ମନା କରୁଛନ୍ତି ନେତା, ତଥାପି ଥମୁନି ମେଣ୍ଟ ଚର୍ଚ୍ଚା । କାଲି ମୋଦୀଙ୍କ ଗସ୍ତ ଉପରେ ଅଟକିଛି ସମସ୍ତଙ୍କ ନଜର । ଭେଟି ଦେବେ ୨୦ ହଜାର ପ୍ରକଳ୍ପ ।

296

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଥମୁନି ମେଣ୍ଟ ଚର୍ଚ୍ଚା । ମେଣ୍ଟ ହେବ ନାହିଁ ବୋଲି ଉଭୟ ବିଜେଡି ଓ ବିଜେପି ନେତା ବାରମ୍ବାର କହୁଥିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା କମୁ ନାହିଁ । ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି, ଆଶ୍ଚର୍ଯ୍ୟଜନକ ଭାବେ ସେଥିରେ ଓଡ଼ିଶାର ଗୋଟିଏ ବି ଆସନ ନାହିଁ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି, ଏହା ହିଁ ସ୍ପଷ୍ଟ କରୁଛି, ଉଭୟ ଦଳ ମିଳିମିଶି ଟିକେଟ ଦେବେ । ସେପେଟ ଆଜି ବିଜେପିରେ ମିଶିବେ ପୂର୍ବତନ ବିଜେଡି ନେତା ରାଜୁ ଦାସ ।

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗସ୍ତ ଅବସରରେ ୧୯ ହଜାର ୬ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ରେଳ-ରାସ୍ତା ଭଳି ପରିବହନ ପ୍ରକଳ୍ପ, ତୈଳ ଓ ଗ୍ୟାସ ପ୍ରକଳ୍ପ ଏବଂ ଆଣବିକ ଶକ୍ତି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ମୋଦୀ । ଦୁଇ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ । ନିର୍ବାଚନ ପାଇଁ ନେତା ଓ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ । ମୋଦୀଙ୍କ ଗସ୍ତକୁ ନେଇ ରାଜ୍ୟରାଜନୀତି ସରଗରମ ହୋଇପଡିଛି । ବିଜେପି-ବିଜେଡି ମେଂଟ ହେବ ନା ନାହିଁ ତାହା ମୋଦୀଙ୍କ ଗସ୍ତ ଉପରେ ନିର୍ଭର କରୁଥିବାରୁ ପ୍ରଧାନମନ୍ତ୍ରିଙ୍କ ଗସ୍ତ ଉପରେ ସମସ୍ତଙ୍କର ନଜର ରହିଛି । ସେହିପରି ଆଗାମୀ ତିନି ଦିନ ମଧ୍ୟରେ ୫ଟି ରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ମାର୍ଚ୍ଚ ୪ରୁ ୬ ତାରିଖ ମଧ୍ୟରେ ତେଲେଙ୍ଗାନା, ତାମିଲନାଡ଼ୁ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱ ରଖୁଛି କାରଣ, ମୋଦୀଙ୍କ ଗସ୍ତକୁ ନେଇ ଅନେକ କଳ୍ପନା-ଜଳ୍ପନା କରାଯାଉଛି । ବିଜେପିର ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣାରେ ଓଡ଼ିଶା ଲୋକସଭା ଆସନ ଗୁଡ଼ିକର ନାଁ ବାଦ ଦିଆଯାଉଥିବାରୁ, ମୋଦୀଙ୍କ ଓଡ଼ିଶା ଗସ୍ତ ସହ ଟିକେଟ ଘୋଷଣାକୁ ଯୋଡ଼ି ଦେଇ ଅନେକ ଆକଳନ କରାଯାଉଛି ।