ଚର୍ଚ୍ଚାରେ ଫୁଲବାଣୀ ବୁଢ଼ାଦାନୀ ଗାଁର ୩ ମହିଳା ଚାଷୀ । ଦେଢ଼ ଏକର ଜମିରେ କରିଛନ୍ତି ସୂର୍ଯ୍ୟମୁଖୀ ଚାଷ, ସ୍ୱାବଲମ୍ବୀ ହେବାକୁ କରିଛନ୍ତି ପ୍ରଚେଷ୍ଠା

67

କନକ ବ୍ୟୁରୋ : ହଳଦୀ ରଙ୍ଗର ସୂର୍ଯ୍ୟମୁଖୀ ଫୁଲରେ ହସୁଛି କ୍ଷେତ । ଏହି ଫୁଲ ଯେତିକି ସୁନ୍ଦର, ସେତିକି ଅର୍ଥକାରୀ । ତେଣୁ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଓ ଶୁଦ୍ଧ ଖାଇବା ତେଲର ଆବଶ୍ୟକତା ମେଣ୍ଟାଇବା ପାଇଁ ସୂର୍ଯ୍ୟମୁଖି ଚାଷ କରିଛନ୍ତି ୩ ଜଣ ମହିଳା । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ବୁଢାଦାନୀ ଗାଁର ୩ ମହିଳା ମିଶି ଦେଢ଼ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି । ବିନା କିଛି ସରକାରୀ ସହାୟତାରେ ଅକ୍ଳାନ୍ତ ପରିଶ୍ରମ କରି କ୍ଷେତରେ ସୁନାର ଫସଲ ଫଳାଇଛନ୍ତି । ବର୍ତମାନ ଫୁଲ ଅମଳ ସମୟ, ପ୍ରଥମ ଥର ପାଇଁ ଚାଷ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି ମହିଳା ।

ବର୍ଷା ଦିନ ପରେ ପରେ ଓଦାଳିଆ ମାଟିରେ ସୂର୍ଯ୍ୟମୁଖି ବିହନ ବୁଣିଥିଲେ । ତାପରେ ଗଛର ଆବଶ୍ୟକ ଯତ୍ନ ନେବା ସହିତ ସାର ଖତ ଦେଇଥିଲେ । ଫଳ ସ୍ୱରୁପ ବର୍ତମାନ ସୂର୍ଯ୍ୟମୁଖି ଗଛ ଗୁଡିକ ବହୁତ ଭଲ ଭାବେ ବଢିବା ସହିତ ଗଛରେ ଭଲ ଫୁଲ ହୋଇଛି । ଆଗକୁ ଫୁଲ ଗୁଡିକ ସମ୍ପୂର୍ଣ ପାକଳ ହେଲେ ଏହାକୁ ତୋଳି ଭଲ ଭାବେ ଶୁଖାଇବା ପରେ ସେଥିରୁ ମଂଜି ବାହାର କରାଯିବ । ଏହା ପରେ ମଂଜିକୁ ପେଡ଼ି ସେଥିରୁ ତେଲ ବାହାର କରାଯିବ । କିଛି ନିଜେ ବ୍ୟବହାର କରିବା ସହ ଅଉ କିଛି ତେଲ ବିକ୍ରି କରିବେ ବୋଲି ମହିଳା ମାନେ କହିଛନ୍ତି ।

ବଣ ପାହାଡ ଘେରା କନ୍ଧମାଳ ଜିଲ୍ଲାର ଚାଷୀମାନେ ସାଧାରଣତଃ ଚାଷକାମ ପାଇଁ ବର୍ଷା ପାଣି ଉପରେ ନିର୍ଭର କରିଥାନ୍ତି । ଜିଲ୍ଲାର ଅର୍ଦ୍ଧାଧିକ ଢିପ ଜମି ହୋଇଥିବାରୁ ଜମିକୁ ଜଳସେଚନର ସୁବିଧା ନାହିଁ । ତେଣୁ ଏଠାକାର ଚାଷୀଙ୍କ ଜମି ବର୍ଷା ଦିନେ ଧାନ ଫସଲ ପରେ ପଡ଼ିଆ ପଡ଼ିଥାଏ । କେହି କେହି ପନିପରିବା ଚାଷ କରନ୍ତି । ସୂର୍ଯ୍ୟମୁଖି ଚାଷ ପାଇଁ ବିଶେଷ ପାଣିର ଆବଶ୍ୟକତା ନଥିରୁ ନିଜସ୍ୱ ଉଦ୍ୟମରେ ଫୁଲ ଚାଷ କରିଛନ୍ତି ମହିଳା ।