ଧାମନଗରରେ ବିଷ୍ଣୁଙ୍କ ପୁଅ ବିଜେପି ପ୍ରାର୍ଥୀ: ଲଗାତାର ଦ୍ୱିତୀୟ ଥର ବିଜେପି ମାରିବ କି ବାଜି?

104

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ଏଠାରୁ ଦଳର ପ୍ରାର୍ଥୀ ହେବେ । ଅନେକ ବିଚାରବିମର୍ଷ ପରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ସୂର୍ଯ୍ୟବଂଶୀଙ୍କ ନାଁ ଉପରେ ମୋହର ମାରିଛି । ଜଣେ ଆଇଟି ଇଞ୍ଜିନିୟର ଥିବା ସୂର୍ଯ୍ୟବଂଶୀ ବିଜେପିରେ ଦୀର୍ଘଦିନ ଧରି ସକ୍ରିୟ ଅଛନ୍ତି । ଦଳର ଆଇଟି ସେଲରେ ୨୦୧୦ରୁ କାମ କରିଆସୁଛନ୍ତି । ୨୦୧୯ରେ ଧାମନଗରର ସଙ୍ଗଠନ ଦାୟିତ୍ୱ ବି ସେ ସମ୍ଭାଳିଥିଲେ । ପିତାଙ୍କ ଦେହାନ୍ତପରେ ଗାଁକୁ ଗାଁ ବୁଲି ପ୍ରଚାର ମଧ୍ୟ ଆରମ୍ଭ କରିସାରିଛନ୍ତି । ଭଦ୍ରକ ଜିଲ୍ଲାର ସମସ୍ତ ଆସନରେ ବିଜେଡି ଜିତିଥିବାବେଳେ ଧାମନଗର ଆସନରେ କେବଳ ବିଜେପି ବିଜୟୀ ହୋଇଥିଲା । ସେପଟେ ଉପନ ିର୍ବାଚନ ପୂର୍ବରୁ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ରାଜ୍ୟ ପ୍ରଭାରୀ ।

ଉପନିର୍ବାଚନ ପାଇଁ ପ୍ରାର୍ଥପତ୍ର ଦାଖଲ ହୋଇସାରିଥିଲେ ବି ସଂଖ୍ୟାଧିକ ଆଶାୟୀ ବିଜେଡି-କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । କୁହାଯାଉଛି, ବିଜେଡି ତୃଣମୂଳ ସ୍ତରରେ ମତାମତ ସଂଗ୍ରହ କରୁଛି । କାହାକୁ ପ୍ରାର୍ଥୀ କଲେ ବିଜୟ ସୁବିଧାଜନକ ହେବ ସେ ନେଇ ବିଚାରବିମର୍ଷ ଚାଲିଛି । ଉପନିର୍ବାଚନରେ ବିଜୟର ଧାରା ଜାରି ରଖିବାକୁ ଜଣେ ନୂଆମୁହଁକୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଚାଲିଛି । ଗତ ନିର୍ବାଚନରେ ଏହି ଆସନରୁ ବହୁତ କମ ବ୍ୟବଧାନରେ ହାରିଥିଲା ବିଜେଡି । ତେଣୁ ଏଥର ବିଜୟକୁ ହାତଛଡା କରିବାକୁ ଚାହୁଁନାହିଁ ଶାସକ ଦଳ । ଏଠାରେ ନୂଆମୁହଁ ଭାବେ ଡାକ୍ତର ସଂଜୟ ଦାସ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ ଟିକେଟ ପାଇବା ପାଇଁ ଆଶାୟୀ ଅଛନ୍ତି ।

ସେପଟେ ଧାମନଗର ଉପନିର୍ବାଚନରେ ଲଢିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ଅନନ୍ତ ସେଠୀ । ସେ କହିଛନ୍ତି , ଝିଅ ମଧୁମିତା ନୁହେଁ ଦଳ ସୁଯୋଗ ଦେଲେ ସେ ନିର୍ବାଚନ ଲଢିବେ । ପ୍ରାର୍ଥୀ ଘୋଷଣା ପାଇଁ କଂଗ୍ରେସରେ ଆଲୋଚନା ଚାଲିଥିବାବେଳେ ଅନନ୍ତଙ୍କ ଏହି ବୟାନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ନଭେମ୍ବର ୩ ତାରିଖରେ ଧାମନଗରରେ ଉପନିର୍ବାଚନ ହେବ । ୬ ତାରିଖରେ ହେବ ଭୋଟଗଣତି । ୨୦୨୪ ନିର୍ବାଚନ ପୂର୍ବରୁ ଏଠାରେ ସବୁ ଦଳ ପତିଆରା ଦେଖାଇବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ।