ମହାନଦୀକୁ ନେଇ ପୁଣି ମୁହଁ ଖୋଲିଲେ ବିଜେପି ନେତା ବିଜୟ ମହାପାତ୍ର ! କହିଲେ, ଅଧିକ ଜଟିଳ କରାଯାଉଛି ପରିସ୍ଥିତି,ସିଡବ୍ଲ୍ୟୁସି ଉପରେ ଉଠାଇଲେ ପ୍ରଶ୍ନ

24

କନକ ବ୍ୟୁରୋ : ମହାନଦୀ ବିବାଦକୁ ନେଇ ଆଜି ପୁଣି ବାଣ ଛାଡିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି, ମହାନଦୀକୁ ନେଇ ପରିସ୍ଥିତିକୁ ଅଧିକ ଜଟିଳ କରାଯାଉଛି । ଏ କ୍ଷେତ୍ରରେ ଛତିଶଗଡ ମନ୍ତ୍ରୀଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ । ସେ ଯାହା କହିଛନ୍ତି ଏକପାଖିଆ କହିଛନ୍ତି । ମୌସୁମୀ ସମୟରେ ଓଡିଶା ଅଧିକ କ୍ଷତିଗ୍ରସ୍ତ ହେବ । ସିଡବ୍ଲ୍ୟୁସି ପାଖରେ ସବୁପ୍ରକାର ତଥ୍ୟ ରହିଛି ।

ଜଳ ଆବଂଟନରେ ଆୟୋଗର ମୁଖ୍ୟ ଭୂମିକା ଥିଲେ ବି ଆୟୋଗ କିଛି କରୁନି । ଓଡିଶାର ସ୍ୱାର୍ଥ ନ ରହିଲେ ଭୁବନେଶ୍ୱରରେ ସିଡବ୍ଲୁସିର ଆବଶ୍ୟକତା କଣ ବୋଲି ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର । ସିଡବ୍ଲୁସି ଉଭୟ ରାଜ୍ୟର ଯନ୍ତ୍ରୀଙ୍କୁ ଡକାଇ ଜଳ ଆବଂଟନ ଚୁକ୍ତି କରିବାକୁ ସେ ଦାବି କରିଛନ୍ତି । ବିଜୟ ଅଭିଯୋଗ କରିଛନ୍ତି , ଛତିଶଗଡରେ କଲମା ସହ ଅନ୍ୟ ବ୍ୟାରେଜ ବେଆଇନ ଭାବେ ହେଉଛି ।

ଦୁର୍ଭାଗ୍ୟର କଥା ଏହାକୁ ନାବାର୍ଡ ଅର୍ଥ ଯୋଗାଇଛି । ବିବାଦୀୟ ପ୍ରକଳ୍ପକୁ ନାବାର୍ଡ କିଭଳି ଅର୍ଥ ଦେଲା ବୋଲି ସେ ପ୍ରଶ୍ନ କରିଛି । ମହାନଦୀ, ଚିତ୍ରୋତ୍ପଳା, ଲୁଣା, ପାଇକା , ବିରୂପା ଓ ଅନ୍ୟ ନଦୀରେ ବ୍ୟାରେଜ କରିବାକୁ ଡିପିଆର ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ବିଜୟ ମହାପାତ୍ର ।