ସାହାଡାରେ ଅଗ୍ନିକାଣ୍ଡ ହୋଇ ଜଳିଗଲା ୧୦ ବଖରା ଘର । ୩ ଗୋରୁ ଜୀବନ୍ତ ଦଗ୍ଧ, ସରକାରୀ ସହାୟତା ଦାବି କଲେ ଗ୍ରାମବାସୀ

ସାହାଡାରେ ଅଗ୍ନିକାଣ୍ଡ ହୋଇ ଜଳିଗଲା ୧୦ ବଖରା ଘର

85

କନକ ବ୍ୟୁରୋ : ଆଜି ସକାଳୁ ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତ ଅନ୍ତର୍ଗତ ଧର୍ମଶରଣବିନ୍ଧା ଗାଁ’ରେ ଅଗ୍ନିକାଣ୍ଡ ଘଟି ୩ଟି ଗୋରୁ ଜୀବନ୍ତ ପୋଡ଼ି ମରିବା ସହ ୧୦ ବଖରା ଘର ପୋଡ଼ି ଛାରଖାର ହୋଇ ଯାଇଛି। ପାହାନ୍ତା ପ୍ରାୟ ୪:୩୦ରେ ପ୍ରଥମେ ବୈକୁଣ୍ଠ ସାହୁଙ୍କ ଗୁହାଳରେ ନିଆଁ ଲାଗିଥିଲା। ଫଳରେ ସେଥିରେ ଥିବା ଗାଈଗୋରୁଙ୍କ ମଧ୍ୟରୁ ୩ଟି ପୋଡ଼ିଯାଇ ଘଟଣାସ୍ଥଳରେ ହିଁ ପ୍ରାଣତ୍ୟାଗ କରିଥିଲେ । ସେଠାରୁ ନିଆଁ ଡେଇଁ ପଡ଼ୋଶୀ ପୁରୁଷୋତ୍ତମ ସେଠୀଙ୍କ ଘରେ ଲାଗିଯିବାରୁ ତାଙ୍କର ୭ ବଖରା ଘର ସମେତ ବହୁ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ନଷ୍ଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଏହି ଅଗ୍ନିକାଣ୍ଡ ଯୋଗୁଁ ସମୁଦାୟ ୧୦ ବଖରା ଘର ପୋଡ଼ି ଯାଇଛି। ଗ୍ରାମବାସୀ ଓ ଭଦ୍ରକରୁ ଯାଇଥିବା ଦମକଳ ବାହିନୀଙ୍କ ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡିଛି । ତେବେ ମିଳିଥିବା ସୂଚନା ଅନୁସାରେ ନିଆଁଲାଗି ଲୋକମାନଙ୍କର ଅନେକ କ୍ଷତି ହୋଇଛି । ତେଣୁ ଲୋକମାନଙ୍କ ପାଖରେ ଖାଇବା ପାଇଁ ମଧ୍ୟ ଖାଦ୍ୟ ନଥିବା କୁହାଯାଇଛି । ତେଣୁ ଅଗ୍ନିବିପନ୍ନଙ୍କୁ ସରକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦେବା ପାଇଁ ଦାବି ହେଉଛି ।