ବିସିସିଆଇ ସଭାପତି ଭାବେ ବଢ଼ିବକି ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ? ବିସିସିଆଇ ସାଧାରଣ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ କୋହଳ କରିବା ନେଇ ଲୋଡ଼ାଯିବ ସୁପ୍ରିମକୋର୍ଟଙ୍କ ଅନୁମତି

212

କନକ ବ୍ୟୁରୋ: ବିସିସିଆଇ ସଭାପତି ଭାବେ ବଢ଼ିବକି ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ? ଏନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ବସିଥିବା ବିସିସିଆଇ ସାଧାରଣ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହା ଅନୁସାରେ କର୍ମକର୍ତାଙ୍କ କାର୍ଯ୍ୟକାଳ କୋହଳ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ାଯିବ । ଯଦି କୋର୍ଟ ଅନୁମତି ଦିଅନ୍ତି ତାହେଲେ ବିସିସିଆଇ ସଭାପତି ସୌରଭ ଓ ସମ୍ପାଦକ ଜୟ ଶାହାଙ୍କ କାର୍ଯ୍ୟକାଳ ବଢ଼ିପାରେ । ଅକ୍ଟୋବର ୨୩ରେ କାର୍ଯ୍ୟଭାର ସମ୍ଭାଳିଥିବା ସୌରଭ ଆସନ୍ତାବର୍ଷ ସଭାପତି ପଦ ଛାଡ଼ିବେ, ତେବେ ଯଦି ବିସିସିଆଇର ଅନୁରୋଧ ପରେ କୋର୍ଟ ଅନୁମତି ଦିଅନ୍ତି, ସୌରଭ ୨୦୨୪ ପର୍ଯ୍ୟନ୍ତ ସଭାପତି ପଦରେ ରହିପାରିବେ । ସେହିଭଳି ସମ୍ପାଦକ ଜୟ ଶାହାଙ୍କ କାର୍ଯ୍ୟକାଳ ମଧ୍ୟ ବଢ଼ିପାରିବ ।

ସୂଚନାଯୋଗ୍ୟ ୨୦୦୩ ବିଶ୍ୱକପ୍ର ଫାଇନାଲଲିଷ୍ଟ ଟିମ୍ ଇଣ୍ଡିଆର ଅଧିନାୟକ ଗାଙ୍ଗୁଲି ବୋର୍ଡର ସଭାପତି ହେବା ପରେ ପ୍ରଥମ ଥର ଏଜିଏମ୍ ଆୟୋଜିତ ହୋଇଛି। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ସମସ୍ତ ପ୍ରସ୍ତାବିତ ସଂଶୋଧନକୁ ସୁପାରିଶ ଦିଆଯାଇଛି ଏବଂ ଏହାକୁ ଏବେ ମଞ୍ଜୁରୀ ପାଇଁ ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଯିବ। ଯଦି ମଂଜୁରୀ ମିଳିଯାଏ ତା’ ହେଲେ ଗାଙ୍ଗୁଲି ୨୦୨୪ ଯାଏଁ ବିସିସିଆଇ ସଭାପତି ରହିପାରିବେ।

କ୍ରିକେଟ ପ୍ରଶଂସକମାନଙ୍କ ନିକଟରେ ‘ଦାଦା’ ନାମରେ ଅଧିକ ପରିଚିତ ସୌରଭ ଗାଙ୍ଗୁଲି ଜଣେ ଭଲ ବ୍ୟାଟସ୍ମ୍ୟାନ ଭାବେ ଜଣାଶୁଣା। ସେ ଯେତେବେଳେ କ୍ରିଜରେ ଥାଆନ୍ତି, ୨ ପାଦ ଆଗକୁ ଯାଇ ଦର୍ଶନୀୟ ଛକା ମାରୁଥିଲେ। ଏଥିରେ ଦର୍ଶକ ଖୁସି ହୋଇଯାଉଥିଲେ। ଅଫ୍ସାଇଡରେ ଗାଙ୍ଗୁଲି ଭଲ ବ୍ୟାଟିଂ କରୁଥିଲେ। ସେଥିପାଇଁ କିଛି ଦର୍ଶକ ତାଙ୍କୁ ଭଗବାନ ବୋଲି ମଧ୍ୟ କହୁଥିଲେ।