ଜଳିଗଲା ବସ୍, ବର୍ତ୍ତିଗଲେ ଯାତ୍ରୀ । ଯାଜପୁରରୋଡ ବ୍ୟାସନଗର ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବେଳେ ଜଳିଗଲା ୨ ବସ୍

416

କନକ ବ୍ୟୁରୋ: ଜଳିଗଲା ବସ୍, ବର୍ତିଗଲେ ଯାତ୍ରୀ । ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତିଗଲେ ଲୋକେ । ଯାଜପୁରରୋଡ ଥାନା ବ୍ୟସନଗର ବସଷ୍ଟାଣ୍ଡରେ ୨ଟି ବସ୍ ଜଳିଯାଇଛି । ତେବେ ଏହି ସମୟରେ ବସରେ କୌଣସ ଯାତ୍ରୀ ନଥିବାରୁ ବଡ଼ ଧରଣର ଦୁର୍ଘଟଣାରୁ ଲୋକେ ବର୍ତି ଯାଇଛନ୍ତି । ଦୁଇଟି ଯାକ ଘରୋଇ ବସ୍ ପ୍ରତି ଦିନ ଯାଜପୁର ଓ କଟକ ମଧ୍ୟରେ ଚଳାଚଳ କରନ୍ତି । ଗତକାଲି ରାତିରେ ବସ୍ ଦୁଇଟି ନିର୍ଦ୍ଧାରିତ ସମୟରେ ବସଷ୍ଟାଣ୍ଡରେ ପହଂଚି ଯାତ୍ରୀମାନଙ୍କୁ ଛାଡ଼ିଥିଲେ । ପରେ ଡ୍ରାଇଭର ଓ ହେଲପର ଖାଇବାକୁ ଯାଇଥିଲେ । ତେବେ ଏହି ସମୟରେ ଦୁଇଟି ବସରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଦ୍ୱାରା ନିଆଁକୁ ଆୟତ କରାଯାଇଥିଲା । ତେବେ ବସ୍ ଦୁଇଟିରେ କେମିତି ନିଆଁ ଲାଗିଲା ଜଣାପଡ଼ି ନାହିଁ ।

ସେପଟେ ନୂଆପଡ଼ା ସଦର ଥାନା ସାରାବଙ୍ଗ ନିକଟରେ ରାସ୍ତା ମଝିରେ କାର୍ ଜଳିଯାଇଛି । ଭଇଁଷମୁଣ୍ଡି ଗାଁ ଛକ ନିକଟରେ ଏକ କାରରେ ନିଆଁ ଲାଗି ଜଳିପୋଡ଼ି ପାଉଁଶ ହୋଇଯାଇଛି । କାର୍ଟ ନୂଆପଡ଼ା ପଟୁ ସାରାବଙ୍ଗ ଯାଉଥିବା ବେଳେ ଏଥିରେ ହଠାତ ନିଆଁ ଲାଗି ଯାଇଥିଲା । ଫଳରେ ଗାଡ଼ି ଚାଳକ ଓ ବସିଥିବା ଅନ୍ୟ ଲୋକ ଏଥିରୁ ବାହାରକୁ ଆସିଯାଇଥିଲେ । ସ୍ଥାନୀୟ ଲୋକଙ୍କ ଖବର ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପଂଚିଥିଲା । ତେବେ କାରଟିକୁ ନେଇ ଏବେ ସନ୍ଦେହ ଦେଖାଦେଇଛି । କାରରେ ବସିଥିବା ଲୋକମାନେ ଫେରାର ହୋଇଯାଇଥିଲେ, ଏହାସହ ଏଥିରେ ଲାଗିଥିବା ନମ୍ବର ପ୍ଲେଟ ନକଲି ବୋଲି ଜଣାପଡ଼ିଛି । ତେଣୁ ଏହି କାରରେ କ’ଣ ଯାଉଥିଲା, ଏଥିରେ ନିଆଁ ଲାଗିଛି ନା କେହି ଲଗାଇ ଦେଇଛି, ଏନେଇ ସନ୍ଦେହ ବଢ଼ିଛି ।