ମହାରାଜ କଂସଙ୍କ ଚିନ୍ତା ବଢ଼ାଇଲା ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ ! ଶତ୍ରୁନାଶ ପାଇଁ ନାନା କୌଶଳ ଆପଣାଉଛନ୍ତି ମଥୁରା ନରେଶ

33

କନକ ବ୍ୟୁରୋ: ଜମୁଛି ବରଗଡ଼ ଧନୁଯାତ୍ରା । ତିନି ଦିନ ହେଲା ବରଗଡ଼ ମୁକ୍ତାକାଶ ରଙ୍ଗମଂଚରେ ମଂଚସ୍ଥ ହେଉଛି ପୁରାଣ କଥାବସ୍ତୁ । ମଥୁରାନଗରୀରେ ମହାପ୍ରତାପି ମହାରାଜ କଂସଙ୍କ ରାଜୁତି ଚାଲିଛି । ମଥୁରାରେ ମହାରାଜ କଂସଙ୍କୁ ଘାରିଛି ମରୁଡି ଚିନ୍ତା । ଧନୁଯାତ୍ରାର ତୃତୀୟ ଦିନରେ ମହାରାଜଙ୍କ ରଙ୍ଗମହଲର ରାଜ ଅତିଥି ଥିଲେ ଏସବିଆଇ ଭୁବନେଶ୍ୱର ଡିଜିଏମ୍ ଅନାଥବନ୍ଧୁ ମଣ୍ଡଳ ଓ ସମ୍ବଲପୁର ଡିଜିଏମ୍ ପ୍ରକାଶ ଚନ୍ଦ୍ର ସାହୁ  ଏବଂ ଦୌଡରାଣୀ ଦୂତୀ ଚାନ୍ଦ ।

ବ୍ୟାଙ୍କଙ୍କ ଠାରୁ କୃଷି ଋଣ ବାବଦରେ ଜାଣିବାକୁ ଚାହିଁଥିଲେ କଂସ । ଏହାପରେ ଚାଷୀଙ୍କୁ ଋଣ ଯୋଗାଇ ଦେବା ପାଇଁ ମହାରାଜ ଆଦେଶ ଦେଇଛନ୍ତି । ଚାଷୀଙ୍କ ଠିକ୍ ସମୟରେ ଋଣ ନମିଳିଲେ ଶିରଚ୍ଛେଦନ କରାଯିବ ବୋଲି ମହାପ୍ରତାପି କଂସ ବ୍ୟାଙ୍କ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ।

ସେପଟେ ଧନୁଯାତ୍ରାର ତୃତୀୟ ଦିନରେ ଉଦଘାଟିତ ହୋଇଛି ଗୋପପୁରରେ ନନ୍ଦରାଜାଙ୍କ ମହଲ । ବାଲଗୋପାଲ ଗୋପପୁରରେ ପହଂଚିବା ପରେ  ଆରମ୍ଭ ହୋଇଯାଇଛି ନନ୍ଦୋତ୍ସବ । କୃଷ୍ଣ ପ୍ରେମରେ ମଜ୍ଜି ଯାଇଛନ୍ତି ଗୋପୀଗୋପାଳ । ଚାରିଆଡେ ରାସନୃତ୍ୟ ଓ ନଗର ସଂକୀର୍ତନ । ନନ୍ଦରାଜା ଓ ରାଣୀ  ଯଶୋଦା କୃଷ୍ଣଙ୍କୁ ଧରି  ଗୋପୀଗୋପାଳଙ୍କ ସହ ନଗର ପରିକ୍ରମା କରିବାର ଦୃଶ୍ୟ ଅଭିନିତ ହୋଇଥିଲା । ଅନ୍ୟପକ୍ଷରେ ମଥୁରା କଂସ ମହାରାଜଙ୍କ ପ୍ରତାପରେ ଥରହର। ଖୋଦ ମହାରାଜ ମଧ୍ୟ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି ।