ବିଶ୍ୱକପକୁ ନେଇ ପାକିସ୍ତାନ କ୍ୟାପଟେନ ବାବରଙ୍କ ବଡ ବୟାନ । କହିଲେ, କେବଳ ଭାରତ ନୁହେଁ ସମସ୍ତଙ୍କୁ ହରାଇବାକୁ ଚାହୁଁଛୁ ।

172

କନକ ବ୍ୟୁରୋ : ସମୟ ପାଖେଇ ଆସୁଛି, ମନରେ ଉତ୍କଣ୍ଠା ବଢୁଛି । କ୍ରିକେଟର ମହାକୁମ୍ଭ ବିଶ୍ୱକପ ପାଇଁ ଆଉ ମାତ୍ର ଦିନ କେଇଟା ବାକି ଅଛି । ଆସନ୍ତା ଅକ୍ଟୋବର ୫ ତାରିଖରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଭାରତରେ ଖେଳାଯିବା କ୍ରିକେଟ ବିଶ୍ୱକପ । ୧୦ଟି ଟିମକୁ ନେଇ ଖେଳାଯିବାକୁ ଥିବା ଏହି ବିଶ୍ୱକପ ପାଇଁ ଏବେଠୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ କ୍ରେଜ । ପ୍ରଥମ ଥର ପାଇଁ ଭାରତ ଏକାକୀ ବିଶ୍ୱକପ ଆୟୋଜନ କରୁଛି । ତେବେ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି । ଏହି ହାଇଭୋଲଟେଜ ମୁକାବିଲା ଦେଖିବାକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ । ବିଶ୍ୱକପର ଏହି ବ୍ଲକବଷ୍ଟର ମୁକାବିଲା ଅକ୍ଟୋବର ୧୫ ତାରିଖରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଲକ୍ଷାଧିକ ଦର୍ଶକ ଏହି ମ୍ୟାଚକୁ ସିଧାସଳଖ ଷ୍ଟାଡିୟମରୁ ଉପଭୋଗ କରିବେ । ତେବେ ଏହି ରୋମାଞ୍ଚକର ମୁକାବିଲା ପୂର୍ବରୁ ବିଶ୍ୱକପକୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ ।

ବାବର କହିଛନ୍ତି, ବିଶ୍ୱକପରେ ଭାରତରେ ଟିମ୍ ଇଣ୍ଡିଆକୁ ହରାଇବାକୁ ଚାହୁଁଛୁ । ଏହାଛଡା ବାକି ମ୍ୟାଚ୍ ଗୁଡିକରେ ମଧ୍ୟ ଦମଦାର ପ୍ରଦର୍ଶନ କରି ବିଶ୍ୱକପ ଜିତିବା ଉପରେ ଧ୍ୟାନ ରହିବ । ଆମେ ବିଶ୍ୱକପରେ କେବଳ ଭାରତ ବିପକ୍ଷରେ ଖେଳିବା ଓ ଜିତିବା ବାବଦରେ ଚିନ୍ତା କରୁନାହୁଁ । ବିଶ୍ୱକପ ଜିତିବାକୁ ହେଲେ ପ୍ରତ୍ୟେକ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଆମେ ସେହି ପ୍ରସ୍ତୁତିରେ ଏବେ ଲାଗିଛୁ ବୋଲି କହିଛନ୍ତି ବାବର । ଆମେ ଭାରତରେ ବିଶ୍ୱକପ୍ ଖେଳିବାକୁ ଯାଉଛୁ, କେବଳ ଭାରତ ବିପକ୍ଷରେ ଖେଳିବାକୁ ଯାଉନୁ ।

ଏହାଛଡା ବାବର କହିଛନ୍ତି, ପିସିବିରେ କଣ ହେଉଛି ଆମେ ତାହା ଉପରେ ଧ୍ୟାନ ଦେଉନାହୁଁ । ଆମେ କେବଳ ଭଳ କ୍ରିକେଟ ଖେଳିବା ଉପରେ ଧ୍ୟାନ ଦେଉଛୁ । ବିଶ୍ୱକପର ସୂଚୀ ଆସି ସାରିଛି, ତେଣୁ କେଉଁ ଦଳ ବିପକ୍ଷରେ କଣ ରଣନୀତି କରି ମୈଦାନକୁ ଓହ୍ଳାଇବୁ ତାହା ଉପରେ ଏବେ ଫୋକସ କରୁଛୁ । ବାବରଙ୍କ ଏଭଳି ବୟାନ ଦର୍ଶାଉଛି ବିଶ୍ୱକପ ଖେଳିବାକୁ ପାକିସ୍ତାନ ଦଳ କେତେ ଆଗ୍ରହୀ । କିନ୍ତୁ ଅନ୍ୟପଟେ ବିଶ୍ୱକପ ଖେଳିବାକୁ ଭାରତକୁ ଟିମ୍ ପଠାଇବା ନେଇ ଏଯାଏଁ ସ୍ପଷ୍ଟ ସଂକେତ ଦେଇନି ପାକିସ୍ତାନ । ବିଶ୍ୱକପ ପୂର୍ବରୁ ସୁରକ୍ଷାର ସମୀକ୍ଷା କରିବାକୁ ଏକ ପ୍ରତିନିଧିମଣ୍ଡଳୀ ଭାରତକୁ ପଠାଇବାକୁ ପ୍ରସ୍ତୁତି ହେଉଛି ପାକିସ୍ତାନ । ଏହି ପ୍ରତିନିଧିମଣ୍ଡଳୀ ସେହି ୫ ସହରରେ ସୁରକ୍ଷାର ସମୀକ୍ଷା କରିବ ଯେଉଁଠି ପାକିସ୍ତାନ ଟିମ୍ ବିଶ୍ୱକପ ମ୍ୟାଚ୍ ଖେଳିବ । ତେବେ ଏହି ପ୍ରତିନିଧିମଣ୍ଡଳର ଗସ୍ତକୁ ଭାରତ ସରକାର ମଞ୍ଜୁରୀ ଦେଉଛି କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏବେ ବି ପାକିସ୍ତାନ ସରକାର ଭାରତରେ ହେବାକୁ ଥିବା ବିଶ୍ୱକପରେ ପାକିସ୍ତାନ ଭାଗ ନେବ କି ନାହିଁ ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ତେଣୁ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ମଧ୍ୟ ଭାରତକୁ ପାକିସ୍ତାନ ଟିମ୍ ମ୍ୟାଚ୍ ଖେଳିବାକୁ ଆସୁଛି କି ନାହିଁ ତାହାକୁ ନେଇ ସନ୍ଦେହ ରହିଛି । ପୂର୍ବରୁ ବିଶ୍ୱକପରେ ହାଇବ୍ରିଡ ମଡେଲ ଲାଗୁ କରିବାକୁ ଦାବି କରୁଥିଲା ପାକିସ୍ତାନ । କିନ୍ତୁ ପାକିସ୍ତାନର ଏଭଳି ପ୍ରସ୍ତାବରେ ରାଜି ହୋଇନଥିଲା ଆଇସିସି ।