ରାମ ରହିମଙ୍କ ଦଣ୍ଡ ଶୁଣାଣି ପାଇଁ ଜେଲକୁ ଆସିବ କୋର୍ଟ : ବିମାନରେ ଆସିବେ ବିଚାରପତି, ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ

28

କନକ ବ୍ୟୁରୋ : ସୁରକ୍ଷା ବଳୟରେ ରୋହତକ । ଜେଲ୍ ଆଗରେ ପୋଲିସ ଛାଉଣୀ । ପ୍ରତିଟି ଗତିବିଧି ଉପରେ ସେନାର ନଜର । ବଛା ବଛା ଅଫିସରଙ୍କ ସହ ମୁତୟନ ହୋଇଛନ୍ତି ଅର୍ଧସାମରିକ ବାହିନୀ। ରୋହତକର ପ୍ରତିଟି ଗଳି କନ୍ଦିରେ ସୁରକ୍ଷା ବାହିନୀର କଡା ପ୍ରହରା । ମୁତୟନ ହୋଇଛନ୍ତି ପାରା ମିଲିଟାରି ଫୋର୍ସର ୨୮ କମ୍ପାନୀ ସୁରକ୍ଷାକର୍ମୀ । ରାଜ୍ୟ ପୋଲିସ ବି ସଜାଗ । ଡେରା ସମର୍ଥକଙ୍କ ହିଂସାକାଣ୍ଡ ଆଶଙ୍କାରେ ଏବେବି ରୋହତକ ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି ।

ଭାରତୀୟ ନ୍ୟାୟିକ ଇତିହାସରେ ଏହା ଏକ ବିରଳ ଘଟଣା । ଯାହାକୁ ନେଇ ଚର୍ଚା ସରଗରମ । ୧୫ ବର୍ଷ ତଳର ବହୁଚର୍ଚିତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ବାବା ରାମରହିମଙ୍କ ବିରୋଧରେ ଦଣ୍ଡ ଶୁଣାଇବେ ସ୍ୱତନ୍ତ୍ର ସିବିଆଇ ଜଜ୍ ଜଗଦୀପ ସିଂ । ଶୁଣାଣି ପ୍ରକ୍ରିୟାରେ ଜଜଙ୍କ ସହ ରହିବେ ଆଉ ଦୁଇ ଜଣ ସଦସ୍ୟ । ସୁରକ୍ଷିତ ଭାବେ କିଭଳି ସମସ୍ତ ତିନିଜଣ ରୋହତକ ଜେଲରେ ପହଁଚିବେ ସେନେଇ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇସାରିଛନ୍ତି ହାଇକୋର୍ଟ । ତେବେ ଡେରା ସମର୍ଥକଙ୍କ ହିଂସାକାଣ୍ଡ ପରେ ଶାନ୍ତି ଶୃଙ୍ଖଳାର ସହ କିଭଳି ଦଣ୍ଡ ଶୁଣାଣି ସରିବ ତାହାହିଁ ପ୍ରଶାସନ ଆଗରେ ଚ୍ୟାଲେଂଜ ।

ଏପଟେ ବାବାଙ୍କ ସୀର୍ସା ସ୍ଥିତ ମୁଖ୍ୟ ଆଶ୍ରମରେ ଏବେବି ୩୦ ହଜାରରୁ ଅଧିକ ଡେରା ଅନୁଗାମୀ ଓ ସମର୍ଥକ ଅଛନ୍ତି । ଆଉ ବାହାରେ ଜଗି ରହିଛି ସେନା । ଆଶ୍ରମର ଚାରି ଦିଗକୁ ଯବାନ ଘେରି ରହିଛନ୍ତି । ଏହାରି ଭିତରେ ସମସ୍ତଙ୍କ ନଜର ଅଟକି ରହିଛି ସୋମବାରର ଶୁଣାଣି ଉପରେ ।