ନୂଆ ସରକାର ପରେ ଫେରିଲା ‘ଆୟୁଷ୍ମାନ’ । ସଚିବାଳୟରେ ହେଲା ଉଚ୍ଚସ୍ତରୀୟ ବୈଠକ, ଓଡ଼ିଶାରେ ଲାଗୁ ହେବ କି ଆୟୁଷ୍ମାନ ଭାରତ?

644

କନକ ବ୍ୟୁରୋ: ଆୟୁଷ୍ମାନ ଯୋଜନାରେ ସାମିଲ ହେବ କି ଓଡିଶା ? ଏ ନେଇ ଆଜି ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ବସି ଆଲୋଚନା ହୋଇଛି । ସଚିବାଳୟରେ ଆୟୁଷ୍ମାନ ଭାରତ ସିଇଓଙ୍କ ସହ ବୈଠକ ବସିଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି କି, ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି । ଏଭଳି ଯୋଜନା ନେଇ ଆହୁରି ୨ ରୁ ୩ ରାଉଣ୍ଡ ଆଲୋଚନା କରାଯିବ । ରାଜ୍ୟ ସରକାରଙ୍କ କିଛି ସର୍ତ୍ତ ରହିଛି ଯାହା ଆଜି ଆୟୁଷ୍ମାନ ଭାରତ ସିଇଓଙ୍କୁ ଅବଗତ କରାଇଛୁ ।

ସେପଟେ ଆୟୂୁଷ୍ମାନ ଯୋଜନା ଳାଗୁ ପାଇଁ ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା ଯୋଜନା ସିଇଓ ଇନ୍ଦୁ ଭୁଷଣ କହିଛନ୍ତି । ଓଡିଶାରେ ଏହି ଯୋଜନା ଲାଗୁ ହେବା ନେଇ ସେ ଆଶାବାଦୀ ଅଛନ୍ତି । ଯୋଜନା ପାଇଁ ରାଜ୍ୟ ସରକାରଙ୍କ କିଛି ସର୍ତ ରହିଛି । ସର୍ତ ଉପରେ ଆଲୋଚନା ଚାଲିଥିବା ଇନ୍ଦୁ ଭୁଷଣ କହିଛନ୍ତି । ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ ଓଡିଶାକୁ କେନ୍ଦ୍ର ପ୍ରସ୍ତାବ ଦେଇଛି ।

ଓଡିଶା ସମେତ ୫ଟି ରାଜ୍ୟ ଯୋଜନାରେ ସାମିଲ ହୋଇନାହାନ୍ତି । ପୂର୍ବରୁ କେନ୍ଦ୍ର ପକ୍ଷରୁ ଏ ନେଇ ଓଡିଶା ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଓଡିଶା ସରକାର ଏହାକୁ ପ୍ରତ୍ୟାଖାନ କରିଦେଇଥିଲେ । କେନ୍ଦ୍ରର ଏହି ଯୋଜନାରେ ୨୫ଟି ରାଜ୍ୟ ସାମିଲ ହୋଇ ଛନ୍ତି । ଓଡିଶା ସମେତ ୫ଟି ରାଜ୍ୟ ଏହି ଯୋଜନାରେ ସାମିଲ ହେବାକୁ ମନା କରିଦେଇଥିଲେ । ସୋମବାର ଦିନ ଡ. ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ପ୍ରତିଟି ଲୋକ କିଭଳି ସାମିଲ ହୋଇପାରିବେ ତାହା ତାଙ୍କର ପ୍ରାଥମିକତା ରହିବ ।