ଏସିଆ କପ ୨୦୨୨: ଶ୍ରୀଲଙ୍କାରୁ ଦୁବାଇ ସ୍ଥାନାନ୍ତର ହେବ ମ୍ୟାଚ! ଜୁଲାଇ ୨୨ରେ କାର୍ଯ୍ୟସୂଚୀ ଘୋଷଣା।

153

କନକ ବ୍ୟୁରୋ: ଏସିଆ କପର ଚଳିତ ସଂସ୍କରଣ ଶ୍ରୀଲଙ୍କାରୁ ବାହାରେ ଖେଳାଯିବା ନେଇ ଯୋଜନା ପ୍ରସ୍ତୁତ ହେଉଛି । ତେବେ ଏହାକୁ ଦୁବାଇ ସ୍ଥାନାନ୍ତର କରିବାକୁ ଯୋଜନା ହେଉଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଆଧିକାରିକ ଭାବେ ଏହାକୁ ଆୟୋଜନ କରୁଥିବାବେଳେ କେବଳ ଦୁବାଇର ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ ।

ଚଳିତ ସପ୍ତାହରେ ଏସିଆ କ୍ରିକେଟ ପରିଷଦର ବୈଠକରେ ଏହା ନିଷ୍ପତ୍ତି ହୋଇଛି ଯେ ଶ୍ରୀଲଙ୍କାରେ ବର୍ତ୍ତମାନ ଇନ୍ଧନର ସଙ୍କଟ ଦେଖାଦେଇଛି । ଅପ୍ରେଲ ମାସଠାରୁ ବିଜୁଳୀ, ଖାଦ୍ୟ, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ସଙ୍କଟ ଦେଖାଦେଇଛି । ଦେଶରେ ଆର୍ଥିକ ସଙ୍କଟ ବଢିବାରୁ ସ୍ଥିତି ଠିକ ନାହିଁ । ଦେଶର ରାଷ୍ଟ୍ରପତି ମଧ୍ୟ ଦେଶ ଛାଡି ପଳାୟନ କରିଛନ୍ତି । ତେଣୁ ଏଠାରେ ମ୍ୟାଚ ଖେଳିବା ଠିକ ନୁହେଁ । ଦୁଇଟି ଦଳ ମଧ୍ୟରେ ମ୍ୟାଚ ଖେଳାଯିବା ଭିନ୍ନ କଥା ଏବଂ ଅଧିକ ଟିମ୍ କୁ ନେଇ ମ୍ୟାଚ ଆୟୋଜନ କରିବା ଭିନ୍ନ କଥା । ଏଥିପାଇଁ ବ୍ୟାପକ ଇନ୍ଧନ, ବସର ଆବଶକତା ରହିଛି । ପ୍ରତ୍ୟେକ ଟିମକୁ ଗୋଟିଏ ଲେଖାଁଏ ବସ, ଏବଂ ବିଭିନ୍ନ ପ୍ରକାର ସାମଗ୍ରୀ ଦରକାର ତେଣୁ ଏହା ଶ୍ରୀଲଙ୍କା ପାଇଁ ସହଜ ନୁହେଁ ।

ଏସିସି ଜୁଲାଇ ୨୨ରେ ଏସିଆ କପର କାର୍ଯ୍ୟସୂଚୀ ଘୋଷଣା କରିବାକୁ ପ୍ରସ୍ତୁତି ଆରମ୍ଭ କରୁଛି । ଲିଗ ପର୍ଯ୍ୟାୟରେ ଭାରତ ଏବଂ ପାକିସ୍ତାନ ପରସ୍ପରକୁ ୨ ଥର ଭେଟିପାରନ୍ତି । ଶ୍ରୀଲଙ୍କ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଏସେଲ ଡି ସିଲଭା କହିଛନ୍ତି ଇନ୍ଧନ ଏବଂ ରାଜନୈତିକ ଅସ୍ଥିରତା ପାଇଁ ଅନେକ ପ୍ରଶଂସକଙ୍କୁ ରୋକାଯାଇପାରେ ଏହି କାରଣରୁ ଅନେକ ପ୍ରଶଂସକ ମ୍ୟାଚ ଦେଖିପାରିବେ ନାହିଁ । ତେଣୁ ମ୍ୟାଚକୁ ସ୍ଥାନାନ୍ତର କରାଯାଇପାରେ ।