ଜେଟଲିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ନବୀନ କହିଲେ, ସେ ଥିଲେ ଖ୍ୟାତିନାମା ଆଇନଜୀବୀ, ସାଂସଦ ଓ ବିଜ୍ଞ ବ୍ୟକ୍ତି

ପ୍ରଧାନମନ୍ତ୍ରୀ କହିଲେ, ଜେଟଲି ଥିଲେ ଜଣେ ବିଜ୍ଞ ରାଜନୀତିଜ୍ଞ ଓ ଅସାଧାରଣ ରାଜନେତା; ଶାହା କହିଲେ ଏହା ତାଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି

381

କନକ ବ୍ୟୁରୋ: ଅରୁଣ ଜେଟଲିଙ୍କ ବିୟୋଗର ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଟୁଇଟ କରି କହିଛନ୍ତି ଜେଟଲି ଜଣେ ବିଜ୍ଞ ରାଜନୀତିଜ୍ଞ ଥିଲେ ଏବଂ ଜଣେ ଅସାଧାରଣ ରାଜନେତା ଥିଲେ । ବିୟୋଗ ଖବର ପରେ ଜେଟଲିଙ୍କ ପତ୍ନୀ ଓ ପୁଅ ସହ କଥା ହୋଇ ତାଙ୍କୁ ସମବେଦନା ଜଣାଇଛନ୍ତି । ବିଦେଶ ଗସ୍ତ ବାତିଲ ନକରିବାକୁ କହିଛନ୍ତି ଜେଟଲିଙ୍କ ପରିବାର ।ସେହିପରି ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଟୁଇଟ କରି ଦୁଃଖ ପ୍ରକାଶ କରିଛନ୍ତି । ଜେଟଲିଙ୍କ ଦେହାନ୍ତ ତାଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି । କେବେଳ ସଂଗଠନର ଜଣେ ନେତା ନୁହେଁ ପରିବାରର ଜଣେ ଏଭଳି ସଦସ୍ୟଙ୍କୁ ହରାଇଲି । ଯାହାଙ୍କ ଠାରୁ ସବୁବେଳେ ମାର୍ଗଦର୍ଶନ ମିଳୁଥିଲା ବୋଲି ଶାହା ଟୁଇଟ କରିଛନ୍ତି ।

ଜେଟଲିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ନବୀନ ସେ ଜଣେ ଖ୍ୟାତିନାମା ଆଇନଜୀବୀ , ସାଂସଦ ଓ ବିଜ୍ଞ ବ୍ୟକ୍ତି ଥିଲେ ବୋଲି ନବୀନ କହିଛନ୍ତି ।

ଜେଟଲିଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସତ ପାଇଁ ଆନ୍ଦୋଳନ କରୁଥିଲେ ଜେଟଲି । ଛାତ୍ରାବସ୍ଥାରୁ ସମାଜ ସେବା କରୁଥିଲେ । ଜୟପ୍ରକାଶ ମୁମେଂଟର ଜଣେ ବଡ ତାରକା ଥିଲେ ଅରୁଣ ଜେଟଲି । ସେ ଆଇସିୟୁରେ ଭର୍ତି ହେବାର ଦୁଇ ଦିନ ଆଗରୁ ତାଙ୍କୁ ଭେଟିଥିଲେ । ତାଙ୍କ ଚାଲିଯିବା ଖବର ତାଙ୍କ ପାଇଁ ବିଶ୍ୱାସ ନହେବା ଭଳ ଦୁଃଖଦ ଖବର ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି ପାର୍ଟି ଓ ଦେଶ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ ।

ପରଲୋକରେ ଅରୁଣ ଜେଟଲି । ଦିଲ୍ଲୀ ଏମସ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିନ ୧୨ଟା ୭ ମିନିଟରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଗତ ଅଗଷ୍ଟ ୯ ତାରିଖରେ ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମସରେ ଭର୍ତି କରାଯାଇଥିଲା । ତାଙ୍କର ଚିକିତ୍ସାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ରହି ଚିକିତ୍ସା ବ୍ୟବସ୍ଥା ଦେଖୁଥିଲେ । ତେବେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ୱେ ଆଖି ବୁଜିଛନ୍ତି ଅରୁଣ ଜେଟଲି । ଆସନ୍ତାକାଲି ନିଗମ ବୋଧ ଘାଟରେ ଦିନ ୨ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଅରୁଣ ଜେଟଲିଙ୍କ ପରଲୋକ ବିଜେପି ରାଜନୀତି ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ୧୯୫୨ ମସିହା ଡିସେମ୍ୱର ୨୮ ତାରିଖରେ ନୂଆ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ଜେଟଲି । ଛାତ୍ରଜୀବନରେ ଏବିଭିପି ସହିତ ଜଡିତ ରହି ପ୍ରମୁଖ ଛାତ୍ରନେତା ଭାବେ ପରିଚିତି ହାସଲ କରିଥିଲେ । ଦେଶରେ ଜରୁରୀକାଳୀନ ସ୍ଥିତି ଯେତେବେଳେ ଲାଗୁ ହୋଇଥିଲା ୧୯ ମାସ ଧରି ନଜରବନ୍ଦୀରେ ରହିଥିଲେ ଜେଟଲି ।

ଆଡଭାନୀ ବାଜପେୟୀଙ୍କ ସମୟରୁ ବର୍ତ୍ତମାନର ମୋଦି ସରକାରଙ୍କ ଯାଏଁ ରହିଥିଲା ତାଙ୍କର ରାଜନୈତିକ କ୍ୟାରିୟର । ୧୯୯୬ରେ କେନ୍ଦ୍ରରେ ଯେତେବେଳେ ବାଜପେୟୀଙ୍କ ନେତୃତ୍ୱରେ ସରକାର ଗଢିଥିଲା ବିଜେପି , ସେତେବେଳେ ଅର୍ଥ , ପ୍ରତିରକ୍ଷା, କର୍ପୋରେଟ୍ ଆଫାୟାର୍ସ, ବାଣିଜ୍ୟ ଓ ଶିଳ୍ପ ପରି ପ୍ରମୁଖ ବିଭାଗର ମନ୍ତ୍ରୀ ପଦ ସଂଭାଳିଥିଲେ । ମୋଦି ସରକାରଙ୍କ ପ୍ରଥମ ପାଳିରେ ଅର୍ଥ ଓ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ବି ତୁଲାଇଥିଲେ । ଏକାଧାରରେ ଜେଟଲି ଥିଲେ ଜଣେ ବିଚକ୍ଷଣ ରାଜନେତା ଓ ଓକିଲ ମଧ୍ୟ । ତାଙ୍କର ଏପରି ପରଲୋକ ରାଜନୈତିକ ମହଲରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିବ । ବାଜପେୟୀଙ୍କ ପରେ ଯଦି କେବେ ଦ୍ୱିତୀୟ ଧାଡିର ନେତାଙ୍କୁ ବଛାଯାଏ, ତେବେ ଆଗରେ ଆସିବେ ଜେଟଲି । ଆଜି ତାଙ୍କର ପରଲୋକ ବିଜେପି ପାଇଁ ଜାତୀୟ ରାଜନୀତିରେ ଏକ ବଡ ଝଟକା ହୋଇଛି । ହାଇଦ୍ରାବାଦ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦିଲ୍ଲୀ ଫେରୁଛନ୍ତି ।