ନେତାଙ୍କ ଭିତରେ ଭିନ୍ନ ଥିଲେ ଅରୁଣ ଜେଟଲି । ଜନତାଙ୍କ ସେବା କରିବାକୁ ଛାଡି ଦେଇଥିଲେ ଓକିଲାତି

301

କନକ ବ୍ୟୁରୋ: ଅଫେରା ଦୁନିଆରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲି । ଚିକିତ୍ସାଧିନ ଅବସ୍ଥାରେ ଆଜି ଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅରୁଣ ଜେଟଲି । ମୋଦି ସରକାରଙ୍କ ପ୍ରଥମ ପାଳିରେ ଅର୍ଥ ଓ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ତୁଲାଇଥିବା ଅରୁଣ ଜେଟଲି ଏକାଧାରରେ ଥିଲେ ଜଣେ ବିଚକ୍ଷଣ ରାଜନେତା ଓ ଓକିଲ ମଧ୍ୟ । ୧୯୫୨ ମସିହା ଡିସେମ୍ୱର ୨୮ ତାରିଖରେ ନୂଆ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ଜେଟଲି । ଛାତ୍ରଜୀବନରେ ଏବିଭିପି ସହିତ ଜଡିତ ରହି ପ୍ରମୁଖ ଛାତ୍ରନେତା ଭାବେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ ଅରୁଣ । ତେବେ ତାଙ୍କ ବିଷୟରେ ଏଭଳି ଅନେକ କଥା ରହିଛି ଯାହାକି ଆପଣ କେବେ ଜାଣିନଥିବେ…

• ଅରୁଣ ଜେଟଲି ଚାଟାର୍ଡ ଆକାଉଂଟାଂଟ ହେବାକୁ ଚାହୁଁଥିଲେ ହେଲେ କୌଣସି କାରଣରୁ ସେ ଓକିଲାତି ପାଇଁ ମନବଳାଇଥିଲେ । ଜେଟଲି ୧୯୮୭ରୁ ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ । ଗତ ତିନି ଦଶକରୁ ହିଁ ଜେଟଲି ଜଣେ ଦକ୍ଷ ଓକିଲ ଭାବେ ଜଣାଶୁଣା ଥିଲେ ।

• ଅରୁଣ ଜେଟଲିଙ୍କ ବାପା ମଧ୍ୟ ଦିଲ୍ଲୀର ଜଣେ ଜଣାଶୁଣା ଓକିଲ ଥିଲେ । ଅରୁଣ ଜେଟଲି ଦିଲ୍ଲୀର ସେଂଟ ଜାଭିୟର ସ୍କୁଲରେ ପାଠପଢିଥିଲେ ଏବଂ ଶ୍ରୀରାମ କଲେଜ ଅଫ କମର୍ସରୁ କମର୍ସ ଡିଗ୍ରୀ ହାସଲ କରିଥିଲେ । ୧୯୭୭ରେ ସେ ଓକିଲାତି ପାଠପଢା ଶେଷ କରିଥିଲେ ।

• କଲେଜ ସମୟରେ ହିଁ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ ଜେଟଲି । ସେ ଦିଲ୍ଲୀ ୟୁନିଭର୍ସିଟିରେ ଷ୍ଟୁଡେଂଟ ୟୁନିୟନର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ଦେଶରେ ଜରୁରୀକାଳୀନ ସ୍ଥିତି ଯେତେବେଳେ ଲାଗୁ ହୋଇଥିଲା ୧୯ ମାସ ଧରି ନଜରବନ୍ଦୀରେ ରହିଥିଲେ ଜେଟଲି । ତେବେ ମୁକ୍ତ ହେବା ପରେ ସେ ଜନସଂଘର ସଦସ୍ୟତା ଗ୍ରହଣ କରିଥିଲେ ।

• ଜେଟଲି ସୁପ୍ରିମକୋର୍ଟ ଏବଂ ଦେଶର ଅନେକ ରାଜ୍ୟର ହାଇକୋର୍ଟରେ ଓକିଲାତି ପ୍ରାକ୍ଟିସ କରିଥିଲେ । ୧୯୯୦ରେ ଦିଲ୍ଲୀ ହାଇକୋର୍ଟ ତରଫରୁ ତାଙ୍କୁ ବରିଷ୍ଠ ଆଇନଜୀବୀର ମାନ୍ୟତା ମଧ୍ୟ ମିଳିଥିଲା । ତେବେ ବିପି ସିଂହ ସରକାର ବେଳେ ଆଡିସନାଲ ସାଲିସିଟର ଜେନେରାଲ ଭାବେ ନିଯୁକ୍ତ ହେବା ପରେ ସେ ଚର୍ଚ୍ଚାକୁ ଆସିଥିଲେ ଏବଂ ବୋଫର୍ସ ଘୋଟାଲାର ପେପରୱାର୍କ କରିଥିଲେ ।

• ଜେଟଲି ସବୁ ଦିଗରେ ବେଶ୍ ଆଗରେ ରହିଥିଲେ । ଏଥିସହିତ ହିଁ ବହୁ ରାଷ୍ଟ୍ରୀୟ କଂପାନୀଗୁଡିକ ମଧ୍ୟ । ଜେଟଲି ଜନତା ଦଳର ଶରଦ ଯାଦବଙ୍କଠାରୁ ଆରମ୍ଭ କରି କଂଗ୍ରେସର ମାଧବରାଓ ସିଂଧିୟା ଏବଂ ବିଜେପି ନେତା ଲାଲକୃଷ୍ଣ ଆଡବାଣୀଙ୍କ ଭଳି ବହୁ ମାନ୍ୟଗଣ୍ୟ ନେତାଙ୍କ କେସ ମଧ୍ୟ ଲଢିସାରିଛନ୍ତି । ଜେଟଲି ସୁପ୍ରିମକୋର୍ଟରେ ପେପସିର ମାମଲା ମଧ୍ୟ ଲଢିଥିଲେ । ଏହାପରେ କୋକକଲା କଂପାନୀ ମଧ୍ୟ ନିଜର ଏକ ମାମଲାରେ ତାଙ୍କୁୁ ଓକିଲ କରିଥିଲା । ତେବେ ୨୦୦୯ରେ ଜେଟଲି ଯେତେବେଳେ ରାଜ୍ୟସଭାରେ ବିରୋଧୀ ନେତା ବନିଲେ ସେବେଠାରୁ ସେ ଓକିଲାତି ପ୍ରାକ୍ଟିସ କରିବା ବନ୍ଦ କରିଦେଇଥିଲେ ।

• ଜେଟଲି ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ସରକାର କାଳରେ ମନ୍ତ୍ରୀ ରହିଆସିଛନ୍ତି । ଏହାପରେ ନରେନ୍ଦ୍ର ମୋଦି ମଧ୍ୟ ନିଜ ମନ୍ତ୍ରୀମଣ୍ଡଳରେ ଜେଟଲିଙ୍କୁ ସାମିଲ କରିଥିଲେ ।

• ଅରୁଣ ଜେଟଲି ସଂଗିତା ଡୋଗରାଙ୍କୁ ବିବାହ କରିଥିଲେ । ସଂଗିତା ଜମ୍ମୁ-କାଶ୍ମୀରର ପୂର୍ବତମ ଅର୍ଥମନ୍ତ୍ରୀ ଗିରିଧାରୀ ଲାଲ ଡୋଗରାଙ୍କ ଝିଅ । ଜେଟଲିଙ୍କର ଗୋଟିଏ ପୁଅ, ଗୋଟିଏ ଝିଅ ଅଛନ୍ତି । ଯିଏକି ବର୍ତ୍ତମାନ ଓକିଲାତି କରୁଛନ୍ତି । ଏହାଛଡା ଅରୁଣ ଜେଟଲିଙ୍କର ଦୁଇ ଜଣ ଭାଇ ମଧ୍ୟ ଅଛନ୍ତି ।

• ଅରୁଣ ଜେଟଲିଙ୍କ ଜନ୍ମ ୨୮ ଡିସେମ୍ବର ୧୯୫୨ରେ ଦିଲ୍ଲୀରେ ହୋଇଥିଲା । ୬୬ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ଘଟିଛି ।

• ଜେଟଲି ଭାରତୀୟ ଜନାତ ପାର୍ଟିରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କାମ କରିଆସିଛନ୍ତି । ଜେଟଲି ଦଳର ପାର୍ଟି ପ୍ରଭାରୀ ରହିବା ସହିତ ଅନେକ ରାଜ୍ୟରେ ହେଉଥିବା ନିର୍ବାଚନ ପ୍ରଚାରର ମଙ୍ଗ ମଧ୍ୟ ଧରିଥିଲେ ହେଲେ ସେ କେବେ ଲୋକସଭା ନିର୍ବାଚନ ଜିତିପାରିନାହାନ୍ତି ।

• ୨୦୦୦ରେ ଜେଟଲି ପ୍ରଥମ ଥର ପାଇଁ ଗୁଜରାଟରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନ୍ନୀତ ହୋଇଥିଲେ । ତା ପରଠୁ ୨୦୧୮ ପର୍ଯ୍ୟନ୍ତ ଗୁଜୁରାଟରୁ ହିଁ ସେ ରାଜ୍ୟସଭାର ସାଂସଦ ରହିଆସିଥିଲେ । କିନ୍ତୁ ୨୦୧୮ରେ ଜେଟଲି ଉତରପ୍ରଦେଶରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ ।

• ଅରୁଣ ଜେଟଲି ଦେଶର ସବୁଠାରୁ ଲୋକପ୍ରିୟ ଖେଳ କ୍ରିକେଟର ପ୍ରଶାସକ ରୂପେ ବେଶ୍ ପରିଚିତ । ଜେଟଲି ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଥିଲେ । ଏଥିସହିତ ହିଁ ଭାରତୀୟ କ୍ରିକେଟ କଂଟ୍ରେଲ ବୋର୍ଡର ଉପାଧ୍ୟକ୍ଷ ରହିବା ସହିତ ଇଣ୍ଡିଆନ ପ୍ରିମିୟର ଲିଗର ଗଭର୍ଣ୍ଣିଂ କାଉନସିଲରେ ମଧ୍ୟ ରହିଥିଲେ ।