ଅର୍ଚ୍ଚନାଙ୍କ ନାଗଫାଶ ଓ ମନିଲଣ୍ଡରିଂ ନେଇ ତନାଘନା । ପ୍ରଭାବଶାଳୀଙ୍କ ଗୁମର ଖୋଲିପାରେ ଇଡି 

134

କନକ ବ୍ୟୁରୋ: ଦିନକୁ ଦିନ ରୋଚକ ହେବାରେ ଲାଗିଛି ଅର୍ଚ୍ଚନା ନାଗ ମାମଲା । ଇଡି ସକ୍ରିୟ ହେବା ପରେ ଖୁବଶୀଘ୍ର ବଡ ବଡ ନେତା, ବ୍ୟବସାୟୀଙ୍କୁ ସମନ୍ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ତେବେ କେଉଁ ନେତାଙ୍କୁ ଇଡି ସମନ୍ କରିବ ତାହା ସ୍ପଷ୍ଟ ହୋଇ ନଥିଲେ ବି, ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ବିଧାୟକ, ମନ୍ତ୍ରୀଙ୍କ ମଧ୍ୟରେ ଛନକା ପଶିଛି । ଏଥିସହ ପୂର୍ବରୁ ସମନ୍ ହୋଇଥିବା ପ୍ରଯୋଜକ ଅକ୍ଷୟ ପରିଜା ଆସନ୍ତାକାଲି ହାଜର ହୋଇପାରନ୍ତି ।

  • ଅର୍ଚ୍ଚନା ମାମଲାକୁ ନେଇ ଇଡି ସକ୍ରିୟ 
  • ଧରାପଡିବେ କି ବଡ ବଡିଆ ?

ଇଡିର ତଦନ୍ତ ଯେତେ ଆଗକୁ ବଢୁଛି, ଅର୍ଚ୍ଚନା ସହ ସଂପୃକ୍ତ ନେତା, ବ୍ୟବସାୟୀ, ବିଲଡରଙ୍କ ଛାତି ସେତେ ଧଡପଡ ହେଉଛି । ସୂଚନା ମିଳିଛି ୧୨ ଜଣ ନେତାଙ୍କୁ ଇଡି ହାଜର ହେବା ପାଇଁ ନୋଟିସ ପଠାଯାଇଛି । ସେମାନେ ପର୍ଯ୍ୟାୟକ୍ରମେ ଇଡି କାର୍ଯ୍ୟାଳୟରେ ହାଜର ହେବେ । ସେପଟେ ନଭେମ୍ବର ୨୨ରେ ଅକ୍ଷୟ ପରିଜା ଇଡିରେ ହାଜର ହେବେ ବୋଲି ସୂଚନା ମିଳିଛି ।  ପ୍ରଶ୍ନ ଉଠୁଛି ଏହି ସବୁ ନେତା କିଏ? ଅର୍ଚ୍ଚନା ମାମଲାରେ କାହା କାହା ପାଖକୁ ନୋଟିସ ପହଞ୍ଚିଛି? ଆଗକୁ ଆଉ କେଉଁମାନଙ୍କ ପାଳି ପଡିବ? ଏସବୁ ପତ୍ତା ଖୋଲିନାହାନ୍ତି ଇଡି ଅଧିକାରୀ । ଯାହା ମାମଲା ଉପରେ ନଜର ରଖିଥିବା ଲୋକଙ୍କ ଉକ୍ରଣ୍ଠା ବଢାଇ ଦେଉଛି ।

  • ଅର୍ଚ୍ଚନା ମାମଲାକୁ ନେଇ ତେଜୁଛି ରାଜନୀତି
  • ଶାସକ ଦଳକୁ ଟାର୍ଗେଟ କଲେ ବିରୋଧୀ 

ଅର୍ଚ୍ଚନା ନାଗଫାଶ ମାମଲାକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସିଧାସଳଖ ଶାସକ ଦଳକୁ ଇଙ୍ଗିତ କରି କହିଛନ୍ତି ଏଥିରେ ବହୁ ପ୍ରଭାବଶାଳୀ ନେତାଙ୍କ ସଂପୃକ୍ତି ରହିଛି । ଅର୍ଚ୍ଚନାର ନାଗଫାଶରେ ପଡିଥିବା ଅନେକ ଆଇଏଏସ, ଆଇପିଏସ ଓ ନେତାଙ୍କ ନାଁ ଜାଣିଥିବା କହିଛନ୍ତି ଜୟନାରାୟଣ । ସେପଟେ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଇଡି ତଦନ୍ତ କରିବା ସ୍ୱାଗତ ଯୋଗ୍ୟ କିନ୍ତୁ ପୂର୍ବରୁ ଯେଉଁ ରେକର୍ଡ ରହିଛି ସେଭଳି ନହେବା ଦରକାର । ଜବାବରେ ବିଜେଡି ବିଧାୟିକା ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଇଡି ଯାହାକୁ ନୋଟିସ କରିବା କଥା କରୁ, ଯିଏ ଦୋଷୀ ସେ ଦଣ୍ଡ ପାଇବ ।

ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଳତାଡ ଚଲାଇଛି । ଅର୍ଚ୍ଚନାର ସହଯୋଗୀ ଖଗେଶ୍ୱର ପାତ୍ରର ୧୦ ଦିନିଆ ରିମାଣ୍ଡ ଅବଧି ସରିବା ପରେ କୋର୍ଟରେ ହାଜର କରିଛି ଇଡି । କୋର୍ଟରେ ହାଜର କରିବା ପୂର୍ବରୁ ଖଗେଶ୍ୱରଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ଦୁଇ ଜଣିଆ ଡାକ୍ତରୀ ଟିମ୍ ଖଗେଶ୍ୱରଙ୍କୁ ଯାଞ୍ଚ କରି ସୁସ୍ଥ ଥିବା ସୂଚନା ଦେଇଥିଲେ । ଏହାପରେ ଖଗେଶ୍ୱରଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

୧୦ ଦିନିଆ ରିମାଣ୍ଡ ସମୟରେ ଖଗେଶ୍ୱର ଅର୍ଚ୍ଚନାଙ୍କ କଳା କାରନାମା ଓ ଆର୍ଥିକ କାରବାରର ବହୁ ଗୁମର ଖୋଲିଥିବା କୁହାଯାଉଛି । ତେଣୁ ଆଗକୁ ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଇଡି ଯୋଜନା କରୁଥିବା ସୂଚନା ମିଳିଛି ।