ବିଜେପିର ଯୋଗଦେବା ପରେ ଭଗବାନଙ୍କ ଶରଣରେ ପୂର୍ବତନ ପ୍ରଶାସିକା : ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଅପରାଜିତା ଷଡଙ୍ଗୀ

223

କନକ ବ୍ୟୁରୋ : ପୂର୍ବତନ ପ୍ରଶାସିକା ଅପରାଜିତା ଷଡଙ୍ଗୀ ଏବେ ମନ୍ଦିର ଦର୍ଶନ କରିବାରେ ବ୍ୟସ୍ତ । ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେପିରେ ଯୋଗଦେଇଥିବା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ଓଡ଼ିଶା ଫେରିଛନ୍ତି । ଆଉ ରାଜ୍ୟକୁ ଫେରିବା ପରେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବା ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ପହଂଚିଛନ୍ତି । ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଅପରାଜିତା ଷଡଙ୍ଗୀ ।

ସାଧାରଣ ଭକ୍ତଙ୍କ ଭଳି ସେ ଧାଡିରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଏହାପୂର୍ବରୁ କାକଟପୁର ଯାଇ ମା ମଙ୍ଗଳାଙ୍କ ଦର୍ଶନ ମଧ୍ୟ କରିଥିଲେ ଅପରାଜିତା । ଦୀର୍ଘ ୨୪ବର୍ଷର ପ୍ରଶାସନିକ ଅଭିଜ୍ଞତା ପରେ ଏବେ ରାଜନୀତିରେ ପାଦ ଥାପିଛନ୍ତି ଏହି ଦକ୍ଷ ପ୍ରଶାସିକା । ଅେଉ ପ୍ରତିକ୍ରିୟାରେ କହିଛନ୍ତି, ରାଜନୀତିର ମଇଦାନରେ ସେ କାହା ବିରୋଧରେ ଲଢିବେନି ବରଂ ନିଜ ସହ ନିଜେ ଲଢେଇ କରିବେ । ସୁଶାସନ, ସ୍ୱଚ୍ଛ , ପାରଦର୍ଶୀ, ସକରାତ୍ମକ ରାଜନୀତି କରିବି ବୋଲି । ସମସ୍ତଙ୍କ ସହ ମିଳିମିଶି ଚାଲିବି । ଆଉ ଏଥିରେ ତାଙ୍କୁ ସଫଳତା ମିଳିବ ବୋଲି ଦୃଢୋକ୍ତି କରିଛନ୍ତି ଅପରାଜିତା ଷଡଙ୍ଗୀ ।

ସୂଚନାଯୋଗ୍ୟ ଦିଲ୍ଲୀରେ ଜାତୀୟ ସଭାପତି ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଅପରାଜିତା ଗତ ମଙ୍ଗଳବାର ବିଜେପିରେ ସାମିଲ ହୋଇଥିଲେ । ମୋଦିଙ୍କ ବ୍ୟକ୍ତିତ୍ୱରେ ଅନୁପ୍ରାଣିତ ହୋଇ ସେ ରାଜନୀତିରେ ଯୋଗ ଦେଇଥିବା କହିଥିଲେ । ଗଣଶିକ୍ଷା ବିଭାଗର ସଚିବ ଏବଂ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ବେଳେ ଅପରାଜିତା ଅନେକ ବଡ ନିଷ୍ପତି ନେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ରାଜ୍ୟ ବିଜେପିରେ ଅପରାଜିତାଙ୍କ ଭୂମିକା କଣ ରହିବ ସେ ଉପରେ ସମସ୍ତଙ୍କ ନଜର ରହିଛି ।