ଆଜି ପଦ୍ମ ଧରିବେ ଅଭିନେତ୍ରୀ ଅପରାଜିତା ! ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ହେବେ ସାମିଲ

115

କନକ ବ୍ୟୁରୋ : ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ଅଭିନେତ୍ରୀ ଅପରାଜିତା ମହାନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ହେବାକୁ ଥିବା ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବେ ୫୨ ବର୍ଷୀୟ ଅପରାଜିତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଆଉ ଏହି ମିଶ୍ରଣପର୍ବରେ ଅପରାଜିତାଙ୍କୁ ଦଳକୁ ସ୍ୱାଗତ କରିବେ ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ନେତୃମଣ୍ଡଳି । କିଛି ଦିନ ତଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅପରାଜିତା କହିଥିଲେ, ସଂଗଠନ ଦୁର୍ବଳ ଥିବାରୁ କଂଗ୍ରେସ ଛାଡିଛନ୍ତି । ଏବେ ମୋଦିଙ୍କ ଲୋକପ୍ରିୟତା ସାରା ଦେଶରେ ବ୍ୟାପିଛି ଏବଂ ସେହି ଦଳ ମାଧ୍ୟମରେ ରାଜନୀତିରେ କିଛି କରିବାକୁ ଚାହୁଁଛନ୍ତି ।

ଗତ ୧୩ ତାରିଖରେ କଂଗ୍ରେସ ଛାଡିଥିଲେ ଅପରାଜିତା । ହାତ ଦଳ ଛାଡିବା ପରେ ପଦ୍ମ ପୋଖରୀକୁ ଡେଇଁବେ ଅଭିନେତ୍ରୀ ଅପରାଜିତା ମହାନ୍ତି । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକଟରେ କଟକ ଲୋକସଭା ଆସନରୁ ଲଢିଥିଲେ ଅପରାଜିତା । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଅଥାର୍ତ ଫେବୃଆରୀ ୨୧ରେ କଂଗ୍ରେସର ହାତ ଧରିଥିଲେ ଅପରାଜିତା । ଦଳରେ ମିଶିବା ସହ ନିର୍ବାଚନ ଲଢିବା ପାଇଁ ଟିକଟ ହାତେଇଥିଲେ ଅପରାଜିତା । କଂଗ୍ରେସର ଷ୍ଟାର ପ୍ରଚାରକ ଭାବେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ । ସାଧାରଣ ନିର୍ବାଚନରେ ପରାଜୟ ପରେ ଅପରାଜିତାଙ୍କୁ କଂଗ୍ରେସର ଅନ୍ୟ କୌଣସି କାର୍ୟ୍ୟକ୍ରମରେ ପ୍ରାୟତଃ ଦେଖିବାକୁ ମିଳିନଥିଲା । ଏହାପରେ ଏକପ୍ରକାର ରାଜନୀତିର ମୈଦାନରୁ ଦୁରେଇ ରହିଥିଲେ ଏହି ଲୋକପ୍ରିୟ ନାୟିକା । ଏବେ ଓଲିଉଡ ଫିଲ୍ମଷ୍ଟାର ଗୋଟିଏ ଦଳ ଛାଡି ଅନ୍ୟ ଦଳକୁ ଡେଉଁଥିବା ବେଳେ ଅପରାଜିତା ଏହି ଟ୍ରେଣ୍ଡରେ ନିଜକୁ ସାମିଲ କରିଛନ୍ତି । ଆଜି ବିଜେପିରେ ଯୋଗଦେବାକୁ ଯାଉଛନ୍ତି ଅଭିନେତ୍ରୀ ଅପରାଜିତା ।