ଏକ୍ସପାୟାରି ମେଡିସିନ ଖାଇ ୧୧ ମାସର ଶିଶୁ ଗୁରୁତର : ୨ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ବାପାମାଆ

270

କନକ ବ୍ୟୁରୋ : ଏକ୍ସପାୟାରି ମେଡିସିନ ଖାଇ ୧୧ ମାସର ଶିଶୁ ଗୁରୁତର । ଆଉ ଏଥିପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟୀ କଲେ ଶିଶୁର ବାପାମାଆ । ଶିଶୁର ଚିକିତ୍ସା ଚାଲିଛି । ଅନ୍ୟପଟେ ମାମଲା ଥାନରେ ପହଞ୍ଚିଛି । ଦୁଇ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଶିଶୁର ପରିବାର ଲୋକ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପାଖ ଯାଜପୁର ଗାଁରୁ ଏପରି ଅଭିଯୋଗ ଆସିଛି । ଗତମାସ ୭ ତାରିଖରେ ଗାଁରେ ଅଙ୍ଗନବାଡ଼ି କର୍ମୀ ପିଲାଙ୍କ ପାଇଁ ଭିଟାମିନ ଔଷଧ ବାଣ୍ଟିଥିଲେ । ପ୍ରାୟ ୨୫ ପରିବାରକୁ ଭିଟାମିନ ଔଷଧ ବଣ୍ଟା ଯାଇଥିଲା ।

ଏହାକୁ ଖାଇବା ପରେ ପିଲାଙ୍କୁ ଝାଡ଼ା ଓ ବାନ୍ତି ହୋଇଥିଲା । ପରେ ଜଣାପଡ଼ିଥିଲା ଯେ, ଯେଉଁ ଔଷଧ ବଣ୍ଟା ଯାଇଥିଲା, ତାର ଅବଧି ସରିଯାଇଛି । ୧୧ ମାସର ଏହି ଶିଶୁ ଜଣକଙ୍କ ସ୍ୱାସ୍ଥ୍ୟାବସ୍ଥା ୪ /୫ ଦିନ ଧରି ଭଲ ନହେବାରୁ ପରିବାର ଲୋକ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଶିକାକୁଲମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ୧୫ ଦିନର ଚିକିତ୍ସା ପରେ ଶିଶୁ ସୁସ୍ଥ ହୋଇ ନାହିଁ । ଅନ୍ୟପଟେ ବାପାମାଆ ଅସୁସ୍ଥ ଶିଶୁକୁ ଧରି ପାରଳାଖେମୁଣ୍ଡି ଫେରିଛନ୍ତି । ଏବେ କେମିତି ପିଲାଟିକୁ ସୁସ୍ଥ କରିବେ, କେମିତି ତାର ଚିକିତ୍ସା କରିବେ, ତାକୁ ନେଇ ପରିବାର ଲୋକ ଚିନ୍ତିତ ।