ତତଲା କଡ଼େଇରେ ସିଝିବ ଓଡ଼ିଶା ! କାଲିଠାରୁ ଆହୁରି ବଢ଼ିବ ତାତି; ଗତକାଲି ୪୦ ଡିଗ୍ରୀ ଟପିଥିଲା ୧୬ ସହରର ପାରଦ

4,809

କନକ ବ୍ୟୁରୋ : ତତଲା ଖରାରେ ଆଉଟପାଉଟ ହେଉଛି ସାରା ଓଡ଼ିଶା । ଏବେ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି । ଆସନ୍ତକାଲିଠୁ ରାଜ୍ୟରେ ଆହୁତି ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସମୁଦ୍ରରୁ ଥଣ୍ଡା ପବନ ସ୍ଥଳଭାଗକୁ ଆସିପାରୁନି । ତେଣୁ ରାଜ୍ୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି ।

୧୫ ତାରିଖରୁ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ବର୍ତ୍ତମାନ ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଗତକାଲି ୧୬ ସହରର ପାରଦ ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବୌଦ୍ଧ ଓ ଝାରସୁଗୁଡାରେ ତାପମାତ୍ରା ସର୍ବାଧିକ ୪୩ ଦଶିମକ ୪ ଡିଗ୍ରୀ ରେକର୍ଡ କରାଯାଇଛି । ସମ୍ବଲପୁରରେ ୪୩ ଦଶମିକ ୩ ଡିଗ୍ରୀ, ହୀରାକୁଦରେ ୪୨ ଦଶମିକ ୩ ଡିଗ୍ରୀ, ରାଉରକେଲାରେ ୪୧ ଦଶମିକ ୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏପଟେ ବାତ୍ୟା ମୋକା ଅଧିକ ଘନୀଭୂତ ହୋଇ ଆଜି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇଛି । ହେଲେ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।