ଚୀନ ସହିତ ଲଢେଇ ପାଇଁ ତାଇୱାନକୁ ଆମେରିକା ଦେବ ୧ ବିଲିଅନ ଡଲାରର ଅସ୍ତ୍ରଶସ୍ତ୍ର । ଏହି ମାରାତ୍ମକ ମିସାଇଲ ବି ହେବ ସାମିଲ

170

କନକ ବ୍ୟୁରୋ : ଚୀନ ଓ ତାଇୱାନ ଭିତରେ ବଢୁଥିବା ଯୁଦ୍ଧ ଆଶଂକା ଭିତରେ ଆମେରିକା ତାଇୱାନଙ୍କୁ ୧.୧ ବିଲିଅନ ଡଲାରର ଯୁଦ୍ଧାସ୍ତ୍ର ବିକିବାକୁ ଯୋଜନା କରୁଛି । ଏନେଇ ଆମେରିକା କଂଗ୍ରେସର ଔପଚାରିକ ଅନୁମତିକୁ ଅପେକ୍ଷା କରାଯାଇଛି । ସୂତ୍ର ସୂଚନା ମୁତାବକ ଆମେରିକା ତାଇୱାନକୁ ଦେବାକୁ ଥିବା ଅସ୍ତ୍ରଶସ୍ତ୍ର ପ୍ୟାକେଜରେ ୬୦ ଟି ଆଣ୍ଟି-ସିପ ମିସାଇଏ ଓ ୧୦୦ ଟି ଏୟାର ଟୁ ଏୟାର ମିସାଇଲ ସାମିଲ ରହିଛି । ସେପଟେ ଚୀନ ଏବେ ଲଗାତର ଭାବେ ତାଇୱାନର ଜଳକ୍ଷେତ୍ରରେ ଯୁଦ୍ଧପୋତ ଓ ବିମାନକୁ ନିୟୋଜିତ କରୁଛି । ଏହାସହ ଚୀନ ଦିନକୁ ଦିନ ତାଇୱାନ ପ୍ରତି କଠୋର ହେଉଥିବାରୁ କୌଣସି ମୁହୁତ୍ୱରେ ଯୁଦ୍ଧ ଡାକରା ଦେଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନା ଥାଉକି କିଛିଦିନ ତଳେ ଆମେରିକୀୟ କଂଗ୍ରେସର ମହିଳା ନେତ୍ରୀ ନେନ୍ସି ପେଲୋସୀ ତାଇୱାନ ଯାତ୍ରା କରିଥିଲେ । ଏହାକୁ ନେଇ ଉଭୟ ତାଇୱାନ ଓ ଆମେରିକାକୁ ଚୀନ ବାରମ୍ବାର ଚେତାବନୀ ଦେଇଥିଲା । ହେଲେ ଏହାକୁ ବେଖାତର କରି ନେନ୍ସି ପେଲୋସୀଙ୍କ ପରେ ଆମେରିକାର କିଛି ସାଂସଦ ମଧ୍ୟ ତାଇୱାନ ଗସ୍ତ କରିଛନ୍ତି । ଏହାପରେ ଚୀନର ରାଗ ବଢିଥିବା ଦେଖିବାକୁ ମିଳିଛି ।

ସେପଟେ ତାଇୱାନ ଉପରେ ଚୀନର ଏଭଳି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି ଆମେରିକା । ଅନ୍ୟପଟେ ନେନ୍ସି ପେଲୋସୀଙ୍କ ଗସ୍ତ ପରେ ଚୀନ ତରଫରୁ ତାଇୱାନ ସୀମାରେ ବାରମ୍ବାର ଯୁଦ୍ଧାଭ୍ୟାସ ଜାରି ରହିଛି ।