ଥରିବ ଶତ୍ରୁ, ବଢିବ ବଳ । ସମୁଦ୍ରରେ ରାଜ୍ କରିବ ଆଇଏନଏସ୍ ବିକ୍ରାନ୍ତ । ଜଳପଥକୁ ଜଗିବ ଭାରତର ବିଶାଳ ଯୁଦ୍ଧପୋତ

ସେପ୍ଟେମ୍ବର ୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଆଇଏନଏସ୍ ବିକ୍ରାନ୍ତକୁ ଅନାବରଣ କରିବେ

254

କନକ ବ୍ୟୁରୋ: ଭାରତୀୟ ନୌସେନାର ବଳ ଦୁଇଗୁଣା ବଢିବାକୁ ଯାଉଛି । ଦେଶକୁ ମିଳିବାକୁ ଯାଉଛି ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍ଏସ୍ ବିକ୍ରାନ୍ତ । ସେପ୍ଟେମ୍ବର ୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଶାଳ ଏୟାରକ୍ରାଫ୍ଟ କ୍ୟାରିଅରକୁ ଅନାବରଣ କରିବେ ।

ଦୁଇଟି ଫୁଟବଲ ଫିଲ୍ଡ ଭଳି ବଡ । ୧୮ ମହଲା ଉଚ୍ଚା । ୨୪ ହଜାର କିଲୋୱାଟର ପାୱାର । ଏ ବିଶାଳ ଏୟାରକ୍ରାଫ୍ଟ କ୍ୟାରିଅର ଦେଖିବାକୁ ଯେମିତି, ତା କାମ ବି ଠିକ୍ ସେହିଭଳି । ସମୁଦ୍ରରେ ଶତ୍ରୁକୁ ନାଶ କରିବାର ଶକ୍ତି ରଖୁଥିବା ଏ ଯୁଦ୍ଧପୋତକୁ, ପାଖ ପଡୋଶୀ ଦେଖିଲେ ଭୟରେ ଥରିବେ । ଯୁଦ୍ଧ କରିବାକୁ ବି ଡରିବେ ।

ଆଇଏନଏନସ ବିକ୍ରାନ୍ତର ଲମ୍ବ ହେଉଛି ୨୬୨ ମିଟର । ଅର୍ଥାତ ଦୁଇଟି ଫୁଟବଲ ଗ୍ରାଉଣ୍ଡଠାରୁ ବି ଅଧିକ ବଡ ଏହାର ଲମ୍ବ । ସେହିଭଳି ଏହାର ରନୱେ ବି କିଛି କମ୍ ନୁହେଁ । ଅଲିମ୍ପିକର ୧୦ଟି ସୁଇମିଂ ପୁଲ ଖାଲି ଏହାର ରନୱେ ଭିତରେ ରହିଯିବ । ଯେଉଁଠୁ କି ଭୟଙ୍କର ଭୟଙ୍କର ହେଲିକପ୍ଟର ଆଉ ଫାଇଟର ଜେଟ୍ ଆକାଶକୁ ଉଡାଣ ଭରିବେ । ତେବେ ଆଇଏନଏସ ବିକ୍ରାନ୍ତର ଚଉଡା ପାଖାପାଖି ୬୨ ମିଟର ହେଇଥିବାବେଳେ ଏହାର ଉଚ୍ଚତା ହେଉଛି ୫୦ ମିଟର ।

କୁହାଯାଏ, ଯେଉଁ ଦେଶ ପାଖରେ ଏୟାରକ୍ରାଫ୍ଟ କ୍ୟାରିଅର ଅଛି, ସେ ଦେଶକୁ ଯୁଦ୍ଧରେ ହରାଇବା ସହଜ ନୁହେଁ । ବିଶ୍ୱର କିଛି ହାତ ଗଣତି ଦେଶ ପାଖରେ ଏହିଭଳି ଯୁଦ୍ଧପୋତ ରହିଥିବାବେଳେ । ଆମେରିକା ପାଖରେ ସବୁଠୁ ଅଧିକ ୧୧ଟି ଏୟାରକ୍ରାଫ୍ଟ କ୍ୟାରିଅର ରହିଛି । ଚୀନ୍, ଫ୍ରାନ୍ସ, ବ୍ରିଟେନ୍ ଆଉ ଇଟାଲୀ ପାଖରେ ୨ଟି ଲେଖାଏଁ ଏୟାରକ୍ରାଫ୍ଟ କ୍ୟାରିଅର ଥିବାବେଳେ, ଭାରତ ପାଖରେ ବି ଏବେ ଏୟାରକ୍ରାଫ୍ଟ କ୍ୟାରିଅର ବିକ୍ରମାଦିତ୍ୟ ସହ ଆଇଏନଏସ ବିକ୍ରାନ୍ତ ଯୋଡି ହେବାକୁ ଯାଉଛି ।

୪ ହଜାର ଟନର ଏହି ସମୁଦ୍ରର ଶତ୍ରୁନାଶକ । ଭାରତୀୟ ନୌସେନା ପାଇଁ ଏକ ବଡ ବଳ କହିଲେ ଭୁଲ ହେବନାହିଁ । ଭାରତର ତିନି ପଟେ ସମୁଦ୍ର ଥିବାବେଳେ, ଗୋଟିଏ ପଟେ ବିକ୍ରାନ୍ତ ଆଉ ଗୋଟିଏ ପଟେ ବିକ୍ରମାଦିତ୍ୟ ଭାରତର ସୁରକ୍ଷା କରିବେ । ଖାଲି ସେତିକି ନୁହେଁ…ଏହାର ସ୍ପିଡ ୨୮ ନଟସ୍ ଥିବାବେଳେ, ଏହା ଭିତରେ ୨୪୦୦ କମ୍ପାଂଟମେଂଟ, ୧୬୦୦ କ୍ରିଉ, ୧୬ ବେଡ୍ ହସ୍ପିଟାଲ ମଧ୍ୟ ରହିଛି ।

୧୯୭୧ ଯୁଦ୍ଧରେ ପାକିସ୍ତାନଠୁ ବିଜୟ ପାଇବାରେ ମୁଖ୍ୟ ଭୂମିକା ନିଭେଇଥିଲା ଆଇଏନଏସ୍ ବିକ୍ରାନ୍ତ । ନୌସେନାର ଏହି ଦମଦାର ଏୟାରକ୍ରାଫ୍ଟ କ୍ୟାରିଅର ଏବେ ରିଟାର୍ୟର ହେଇସାରିଛି । ଆଉ ତା ସ୍ଥାନ ନେବାକୁ ଏବେ ଆସୁଛି ଏହି ନୂଆ ଆଇଏନଏସ ବିକ୍ରାନ୍ତ । ତେବେ ୨୦୦୯ ମସିହାରୁ ନିର୍ମାଣ ହେଇଥିବା ଏହି ଏୟାରକ୍ରାଫ୍ଟ କ୍ୟାରିଅରର ୭୬ ପ୍ରତିଶତ ଉପକରଣ ସ୍ୱଦେଶୀ ଅଟେ । ‘ଜୟେମ୍ ସମ ୟୁଦ୍ଧି ସ୍ପ୍ରଦ୍ଧା’ ଅର୍ଥାତ ମୋ ସହ କେହି ଲଢିବାକୁ ଆସିଲେ, ମୁଁ ତାକୁ ପରାସ୍ତ କରିକି ହିଁ ରହିବି । ଏହି ଆଦର୍ଶ ନେଇ ନୌସେନାରେ ସାମିଲ ହେବାକୁ ଯାଉଛି ଆଇଏନଏସ୍ ବିକ୍ରାନ୍ତ ।