ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ମହିଳା ଥାନାରେ ପୀଡିତାଙ୍କ ଅଭିଯୋଗ

1,719

କନକ ବ୍ୟୁରୋ: ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଚର୍ଚ୍ଚାର ବିଷୟ ହୋଇଛି । ମନ୍ତ୍ରୀ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା, ଭୁବନେଶ୍ୱର ମହିଳା ଥାନାରେ ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ, ପୋଲିସ୍ ଟିମ୍ ମହିଳାଙ୍କୁ ପଚରାଉଚୁରା କରିବା ସହ, ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇ ଡାକ୍ତରୀ ପରୀକ୍ଷା କରିଛି । ହସ୍ପିଟାଲରୁ ବାହାରିବା ପରେ, ପୀଡିତା ମହିଳା ସିଧାସଳଖ ଶ୍ରମ ମନ୍ତ୍ରୀଙ୍କ ନାଁ ନେଇ ଅଭିଯୋଗ କରିଛନ୍ତି ।

ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ, ରାଜ୍ୟ ସରକାର ଓ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛି ଭାରତୀୟ ଜନତା ପାର୍ଟି । ଦଳୀୟ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରେସମିଟ୍ କରି କହିଛନ୍ତି, ବିଜୁ ଜନତା ଦଳର ମହିଳା ନେତ୍ରୀ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଛନ୍ତି । କିନ୍ତୁ ପୋଲିସ ଏତଲାକୁ ରଖି ମନ୍ତ୍ରୀଙ୍କୁ ଡାକି କାହିଁକି ପଚରାଉଚୁରା କରାଗଲା ନାହିଁ । ମନ୍ତ୍ରୀ ବୋଲି କଣ ଆଇନ ଅଲଗା କି? ପୋଲିସ ତାର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରୁ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଏହି ଘଟଣାର ତଦନ୍ତ ହେଉ । ମନ୍ତ୍ରୀ ଯଦି ଏଭଳି କାର୍ଯ୍ୟ କରିଛନ୍ତି, ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ ।

ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଅଭିଯୋଗ ଆସିବା ପରେ, ତାଙ୍କ ନିର୍ବାଚନମଣ୍ଡଳୀ ପୋଲସରାରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଶୋଭାଯାତ୍ରା କରିଛନ୍ତି ବିଜେପି କର୍ମୀ । ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଛନ୍ତି ଓ କୁଶପୁତଳିକା ଦାହ କରିଛନ୍ତି । ତେବେ ଏ ନେଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।