କନକ ବ୍ୟୁରୋ: ରାଜନୀତିରେ ପରିବର୍ତ୍ତନ ଏକ ଧାରା । ଆଜି ଯିଏ କ୍ଷମତାରେ ଅଛି କାଲି ସିଏ କ୍ଷମତାରେ ନଥିବ କି କେବଳ ଜଣେ ହିଁ ସବୁବେଳେ ସରକାର କରୁଥିବ ତାର କିଛି ମାନେ ନାହିଁ । ଗଣତନ୍ତ୍ର ବ୍ୟବସ୍ଥାରେ ନିର୍ବାଚନ ଏମିତି ଏକ ପ୍ରକ୍ରିୟା ଯେଉଁଠି ଜନତା ହିଁ ସବୁକିଛି, ଜନତା ହିଁ ଜନାର୍ଦ୍ଦନ । ଜନତା ଚାହିଁଲେ ସରକାର ହେବ, ଜନତା ନଚାହିଁଲେ ସରକାର ଭାଙ୍ଗିଯିବ । ଲୋକଙ୍କ ଆଙ୍ଗୁଠିରେ ହିଁ ଗୋଟେ ସରକାରର ଭାଗ୍ୟ ନିର୍ଭର କରେ । ସରକାର ପରିବର୍ତ୍ତନ ଓ ସରକାର ବଜାୟ ରଖିବା ଲୋକଙ୍କ ମୁଡ୍ ହିଁ ନିର୍ଦ୍ଧାରଣ କରେ । ତେଣୁ ରାଜନୀତିର ପରିବର୍ତ୍ତିତ ଧାରା ଏବଂ ବିଜୟ-ପରାଜୟର ପ୍ରକ୍ରିୟା ହିଁ ସତ୍ତାରେ ଥିବା ବ୍ୟକ୍ତି ବିଶେଷଙ୍କୁ ସୁବିଧା ଓ ସୁରକ୍ଷା ମିଳିବା ନମିଳିବା ସ୍ଥିର କରେ ।

Advertisment

ସେହି କ୍ରମରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ବଦଳିଛି ନବୀନ ନିବାସର ଚିତ୍ର । ବିଜେଡି ସରକାର କ୍ଷମତାରୁ ବାହାରିବା ପରେ ଏବଂ ନୂଆ ସରକାର ଶପଥ ନେବାର ଠିକ୍ ଦିନକ ପରେ ହିଁ ନବୀନ ନିବାସରେ କିମିଛି ସୁରକ୍ଷାକର୍ମୀଙ୍କ ସଂଖ୍ୟା । ଏହା ସହ ନବୀନ ନିବାସରେ ଥିବା ଅସ୍ଥାୟୀ ପୋଲିସ କ୍ୟାମ୍ପକୁ ଉଠାଯାଇଛି ।

ନବୀନ ନିବାସ ଆଗରେ କରାଯାଇଥିବା ପୋଲିସ କ୍ୟାମ୍ପର ସାମଗ୍ରୀକୁ ମଧ୍ୟ ବାହାର କରାଯାଇଛି । ଗତକାଲି ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ନବୀନ ପଟ୍ଟନାୟକ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପ୍ରୋଟୋକଲ୍ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସୁରକ୍ଷାକୁ ହଟାଇ ଦିଆଯାଇଛି । ଆଉ ଏବେ ଏସବୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ।