କନକ ବ୍ୟୁରୋ : ପ୍ରଶ୍ନପତ୍ର ଲିକ୍ ଏବଂ ନିଟ୍-ୟୁଜି ୨୦୨୪ରେ ଅନିୟମିତତା ଅଭିଯୋଗ । ସିବିଆଇ ତଦନ୍ତ ପାଇଁ ହେଲା ଆବେଦନ । ଏବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏକୁ ନୋଟିସ କରି ଜବାବ ମାଗିଛନ୍ତି ।
ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଏନଟିଏକୁ ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କହିଛନ୍ତି । ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ରଦ୍ଦ ହେବ ବୋଲି କୋର୍ଟ କହିଛନ୍ତି । ଯାହାକୁ ଏନଟିଏ ଗ୍ରହଣ କରିଛି । ଏବେ ଏହି ପ୍ରାର୍ଥୀମାନଙ୍କ ପାଇଁ ପୁନଃ ପରୀକ୍ଷା କରାଯିବ ବୋଲି ଏନଟିଏ କୋର୍ଟଙ୍କୁ ସୂଚନା ଦେଇଛି । ଏନଟିଏ ଗ୍ରେସ୍ ମାର୍କ ଉପରେ ଜୁନ୍ ୪ ରେ ଦେଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛି ଏବଂ ଜୁନ୍ ୨୩ରେ ପୁନଃ ପରୀକ୍ଷା କରିବ । ଜୁଲାଇ ୬ରୁ ଆରମ୍ଭ ହେବାକୁ ଥିବା କାଉନସେଲିଂ ପ୍ରକ୍ରିୟା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ଜୁନ୍ ୩୦ରେ ପୁନଃ ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷା ସରିବା ପାଇଁ ପୂରା ୩ ଘଂଟା ୨୦ ମିନିଟ୍ ସମୟ ଦିଆଯାଇ ନ ଥିବାରୁ ପ୍ରଥମେ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ପ୍ରଦାନ କରାଯାଇଥିଲା । ଏହି ନିଷ୍ପତ୍ତିକୁ ନେଇ ବିରୋଧ ଆରମ୍ଭ ହେବା ପରେ ଦ୍ୱିତୀୟ କମିଟି ଏହି ପ୍ରସଙ୍ଗରେ ପୁନର୍ବିଚାର କରି ଗ୍ରେସ୍ ମାର୍କ ବଦଳାଇବାକୁ ସୁପାରିସ କରିଥିଲା । ବିଦେଶର ୧୪ଟି ସହର ସମେତ ୫୭୧ଟି ସହରର ୪୭୫୦ଟି କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରୀକ୍ଷା ପରେ ପେପର ଲିକ୍ ହେବାର ଖବର ସାମ୍ନାକୁ ଆସିଥିଲା ଏବଂ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି ।
ନିଟ୍ ପରୀକ୍ଷାକୁ ନେଇ ଅନେକ ବିବାଦ ଲାଗି ରହିଛି । ଗୋଟିଏ ନିର୍ଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରର ଅନେକ ଛାତ୍ରଛାତ୍ରୀ ସମାନ ମାର୍କ ପାଇଥିବାରୁ ଏଥର ପରୀକ୍ଷାରେ ଜାଲିଆତି ହୋଇଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏ ନେଇ ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଛି । ଏହି ଆବେଦନରେ ନିଟ୍ ପରୀକ୍ଷାରେ ହୋଇଥିବା ଜାଲିଆତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରାଯାଇଛି । ଏଥିସହିତ ପରୀକ୍ଷା ବାତିଲ କରିବା ସହ ରେକର୍ଡ ଜବତ କରିବାକୁ ଆବେଦନକାରୀ ଦାବି କରିଛନ୍ତି । ଜୁଲାଇ ପ୍ରଥମ ସପ୍ତାହରେ ଆବେଦନର ଶୁଣାଣି କରିବାକୁ କୋର୍ଟ ରାଜି ହୋଇଛନ୍ତି । ମଧ୍ୟପ୍ରଦେଶର ଜବଲପୁର ନିବାସୀ ଛାତ୍ରୀ ଅମିଷୀ ବର୍ମା ନିଟ୍ ରେଜଲ୍ଟ ବିରୋଧରେ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି, ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏବଂ ରାଜ୍ୟ ସରକାରଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି । ସମସ୍ତଙ୍କୁ ଆଗୁଆ କପି ଦିଆଯାଇଥିବା ଅଭିଯୋଗ । ଉଭୟ ପକ୍ଷ ହାଇକୋର୍ଟରେ ଜବାବ ଉପସ୍ଥାପନ କରିବାକୁ ଯାଉଛନ୍ତି । ପ୍ରାଥମିକ ଶୁଣାଣି ପାଇଁ ହାଇକୋର୍ଟ ଆବେଦନକୁ ଗ୍ରହଣ କରିଛନ୍ତି । ସେପଟେ ଏହାକୁ ନେଇ ରାଜସ୍ଥାନ ସମେତ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଆଉ ଏନଟିଏ ବିରୋଧରେ ତେଜିଛି ନାରାବାଜି ।
ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ବେଳେ ବିଭିନ୍ନ ହାଇକୋର୍ଟରେ ବିଚାରାଧୀନ ମାମଲାକୁ ସୁପ୍ରିମ୍ କୋର୍ଟକୁ ସ୍ଥାନାନ୍ତର କରିବାକୁ ଏନଟିଏ କରିଥିବା ଆବେଦନ ଉପରେ ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି । ଜୁଲାଇ ୮ରେ ମାମଲାର ପରବର୍ତୀ ଶୁଣାଣି ରହିଛି ।