ଜୁଲାଇ ୨୨ରୁ ଆରମ୍ଭ ହୋଇପାରେ ମୌସୁମୀ ଅଧିବେଶନ । ଆସିବ ତୃତୀୟ ପାଳିର ପ୍ରଥମ ବଜେଟ, ଅଗଷ୍ଟ ୯ ପର୍ଯ୍ୟନ୍ତ ଗୃହ ଚାଲିବା ସମ୍ଭାବନା

154

କନକ ବ୍ୟୁରୋ : ମୋଦୀ ସରକାରର ତୃତୀୟ ପାଳି ସରକାର ଆରମ୍ଭ ହୋଇଯାଇଛି । ୧୦୦ ଦିନର ଏଜେଣ୍ଡା ଅନୁଯାୟୀ ସରକାର କାମ କରୁଛନ୍ତି । ଏହି ସମୟରେ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି । ମୋଦୀ ସରକାର ତୃତୀୟ ପାଳିର ପ୍ରଥମ ବଜେଟ୍ ଜୁଲାଇ ୨୨ରେ ଲୋକସଭାରେ ଉପସ୍ଥାପିତ ହୋଇପାରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରର ବଜେଟ ଉପସ୍ଥାପନ କରିବେ । ତେବେ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ମୋଦୀ ସରକାରରେ ନିର୍ମଳା ସୀତାରମଣ ଲଗାତାର ତୃତୀୟ ଥର ପାଇଁ ଅର୍ଥମନ୍ତ୍ରୀ ହୋଇଛନ୍ତି । ଜୁଲାଇ ୨୨ରେ ସେ ଲଗାତାର ସପ୍ତମ ଓ ଷଷ୍ଠ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି । ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହେବ । ଅଧିବେଶନର ପ୍ରଥମ ତିନି ଦିନରେ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରି ଲୋକସଭା ବାଚସ୍ପତି ଚୟନ କରିବେ । ଜୁନ୍ ୨୬ରେ ବାଚସ୍ପତି ଚୟନ କରାଯିବ । ଏହି ଅଧିବେଶନ ଜୁଲାଇ ୩ରେ ଶେଷ ହେବ । ପ୍ରଥମ ଅଧିବେଶନରେ ମୋଟ ୮ଟି ବୈଠକ ଅନୁଷ୍ଠିତ ହେବ । ଜୁନ୍ ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହି ସମୟରେ ସେ ଆଗାମୀ ୫ ବର୍ଷ ପାଇଁ ନୂଆ ସରକାରଙ୍କ କାର୍ଯ୍ୟର ରୂପରେଖ ଦେବେ । ଜୁଲାଇ ୩ରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ଏହାପରେ ମୌସୁମୀ ଅଧିବେଶନ ଆସିବ ଏବଂ ଏଥିରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯାଇପାରିବ ।

ସଂସଦରେ ଲୋକସଭା ବାଚସ୍ପତି ପଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ସବୁ ଦଳ ଚାହାଁନ୍ତି ଯେ ଲୋକସଭାର ବାଚସ୍ପତି ନିଜ ଦଳରୁ ହୁଅନ୍ତୁ । ଏନଡିଏ ସରକାର ଗଠନ ପୂର୍ବରୁ ତେଲୁଗୁ ଦେଶମ ପାର୍ଟି ନିଜ ଦଳର ଜଣେ ନେତାଙ୍କୁ ଲୋକସଭା ବାଚସ୍ପତି କରିବାକୁ ଚାହୁଁଥିବା ଖବର ରହିଛି । ଏହାପରେ କଂଗ୍ରେସ ଆହୁରି ମଧ୍ୟ କହିଛି ଯେ ଲୋକସଭା ବାଚସ୍ପତି ଭାରତୀୟ ଜନତା ପାର୍ଟିର ନୁହେଁ, ବରଂ ସହଯୋଗୀ ଦଳର ହେବା ଉଚିତ । ବିଜେପି ଏହି ଆସନକୁ ନିଜ ପାଖରେ ରଖିବ ବୋଲି ସର୍ତ ରଖିଥିବା କୁହାଯାଉଥିବା ବେଳେ ଟିଡିପି ଓ ଜେଡିୟୁ ବାଚସ୍ପତି ପଦ ଉପରେ ମଧ୍ୟ ନଜର ରଖିଛନ୍ତି ।

ବିଜେପି ନେତୃତ୍ୱରେ ଏନଡିଏ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିଛି । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିପାରିନି । ବିଜେପି ୨୪୦ଟି ଆସନରେ ବିଜୟୀ ହୋଇ ସହଯୋଗୀଙ୍କ ସମର୍ଥନରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି । ଏନଡିଏ କୁ ୨୯୩ ଟି ଆସନ ମିଳିଛି । ଏହି ସରକାରରେ ଜେଡିୟୁର ୧୨ ଜଣ ଏବଂ ଟିଡିପିର ୧୬ ସାଂସଦଙ୍କ ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଏହି ଦୁଇ ଦଳ ସମର୍ଥନ ପ୍ରତ୍ୟାହାର କରନ୍ତି ତେବେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଭାଙ୍ଗିପାରେ । ତେବେ କେସି ତ୍ୟାଗୀ ସ୍ପଷ୍ଟ କରିଛନ୍ତି ଯେ ଏନଡିଏ ମେଂଟ ଏକଜୁଟ ଅଛି ଏବଂ ଭାରତୀୟ ଜନତା ପାର୍ଟି ଲୋକସଭାର ବାଚସ୍ପତି କିଏ ହେବ ତାହା ସ୍ଥିର କରିବ ।