କନକ ବ୍ୟୁରୋ: ସ୍ୱାଧୀନ ଭାରତରେ ଆଉ ଚାଲିବନି ବ୍ରିଟିସ ଆଇନ । ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ୍ ଆଇନକୁ ଜୁଲାଇ ପହିଲାରୁ ଉଚ୍ଛେଦ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଏହି ଆଇନ ବଦଳରେ ଦେଶରେ ଲାଗୁ ହେବ ଭାରତୀୟ ନିୟମ । ଏନେଇ ପୁଲିସ ଅଧିକାରୀଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ତାଲିମ । ଜୁଲାଇ ମାସରୁ ନୂତନ ଆଇନ ଅନୁସାରେ ମାମଲା ରୁଜୁ କରିବ ପୁଲିସ ।

Advertisment

ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ହେବ ନୂଆ ପୋଲିସ ଆଇନ । ବଦଳିଯିବ ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ୍ ଆଇନ । ଗତ ଫେବ୍ରୁଆରି ମାସରେ ଏ ନେଇ ନୋଟିଫିକେସନ ଆସିବା ପରେ ନୂଆ ନିୟମ ଲାଗୁ କରିବା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଶୁକ୍ରବାର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକରେ ସବୁ ରାଜ୍ୟର ପୋଲିସ ଡିଜି ଓ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେବା ଅବସରରେ ନୂଆ ନିୟମ ଲାଗୁ କରିବା ଓ ଏହାର କାର୍ଯ୍ୟକାରିତାକୁ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯାଇଥିଲା । ବୈଠକରେ ସାମିଲ ହୋଇଥିଲେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ଓଡ଼ିଶାରେ ନୂଆ ନିୟମକୁ ସୁରୁଖୁରୁରେ ଲାଗୁ କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି । କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ ହୋଇଥିବା ବେଳେ ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ଏକ ଷ୍ଟିଅରିଙ୍ଗ କମିଟି ।

ନୂଆ ଆଇନରେ ମିଳିବ ନ୍ୟାୟ!
ହଟିବ ୧୫୦ ବର୍ଷର ପୁରୁଣା ଆଇନ

ନୂଆ ନୋଟିଫିକେସନ ଅନୁସାରେ, ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ୧୮୬୦ ମସିହାରୁ ବ୍ରିଟିଶ୍ ସରକାର କରିଥିବା ଆଇନ୍ ପ୍ରଣୟନ ହୋଇଆସୁଥିଲା । ସମସ୍ତ ମାମଲାରେ ବ୍ରିଟିଶରଙ୍କ ଦ୍ୱାରା ପ୍ରଣୀତ ଆଇନ ଓ ଦଫା ମାଧ୍ୟମରେ ନ୍ୟାୟପାଳିକା ଚାଲିଆସୁଥିଲା । ହେଲେ ଏବେ ସାରା ଦେଶରେ ଲାଗୁହେବାକୁ ଯାଉଛି ନୂତନ ନିୟମ । ନୂଆ ନିୟମ ଅନୁସାରେ,

- ଆଇ.ପି.ସି, ସି.ଆର.ପି.ସି ଓ ଏଭିଡେନ୍ସ ଆକ୍ଟ ସମ୍ପୂର୍ଣ୍ଣ ଉଚ୍ଛେଦ ହେବ
- ଇଣ୍ଡିଆନ ପେନାଲ କୋଡ୍ ବା ଆଇ.ପି.ସି ବଦଳରେ ଲାଗୁହେବ ଭାରତୀୟ ନ୍ୟାୟ ସଂହିତା
- କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଡିଓର ବା ସି.ଆର.ପି.ସି ବଦଳରେ ଲାଗୁହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା
- ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଆସିବ ଭାରତୀୟ ସାକ୍ଷ୍ୟ
- ସଂଶୋଧିତ ହେବ ଅନେକ ସେକ୍ସନ
- ନୂଆ ନିୟମ ଲାଗୁ କରିବା ପାଇଁ ପୁଲିସ ଅଧିକାରୀଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ତାଲିମ
- ଜୁଲାଇ ମାସ ଯାଏଁ ଯେତେ ମାମଲା ରୁଜୁ ହୋଇଥିବ, ତାହା ପୁରୁଣା ଆଇନ ଅନୁସାରେ ଚାଲିବ
- ଜୁଲାଇ ମାସରୁ ନୂତନ ଆଇନ ଅନୁସାରେ ମାମଲା ରୁଜୁ କରିବ ପୁଲିସ

ଓଡିଶାରେ ଏହି ନିୟମକୁ ଲାଗୁ କରିବା ପାଇଁ ପୋଲିସ ଡିଜି ଅରୁଣ ଷଡଙ୍ଗି କ୍ରାଇମବ୍ରାଂଚ ଏଡିଜି , ଷ୍ଟେଟ ଫରେନ୍ସିକ ସାଇନ୍ସ ଲାବୋରୋଟୋରି ନିର୍ଦେଶକ ଓ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ତେବେ ନୂଆ ନିୟମ ଦ୍ୱାରା ଅପରାଧ ନିୟନ୍ତ୍ରଣ ଦଣ୍ଡ ବିଧାନ ଓ ନ୍ୟାୟ ମିଳିବା ଉପରେ କଣ ପ୍ରଭାବ ପଡିବ ତାହା ସମୟ କହିବ ।