କନକ ବ୍ୟୁରୋ: କଟକରେ ବୋମା ନିଷ୍କ୍ରିୟ କରିବା ସମୟରେ ଘଟିଛି ବଡ଼ ଧରଣର ଅଘଟଣ । ବୋମା ବିସ୍ଫୋରଣ ହେବାରୁ ଜଣେ କନଷ୍ଟେବଳଙ୍କର ମୃତ୍ୟୁ ହୋଇଛି । ପୋଲିସ ଜବତ କରିଥିବା ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏହି ବିସ୍ଫୋରଣ ଘଟିଛି । କଟକ ବଡ଼ ଡାକ୍ତରଖାନାରେ କନଷ୍ଟେବଳଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ବିସ୍ଫୋରଣ ପରେ ପୋଲିସ ଓ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚିଛନ୍ତି ତଦନ୍ତ କରୁଛନ୍ତି । ତେବେ କାହାର ଅସାବଧାନତା ଯୋଗୁଁ ଏଭଳି ଘଟଣା ଘଟିଲା ଏବଂ ଏଥିପାଇଁ କିଏ ଉତରଦାୟୀ ତାହା ବଡ଼ ପ୍ରଶ୍ନ ।

Advertisment

ପରିବାର କେମିତି ଚଳିବ? ୩-୩ଟି ଝିଅର କ’ଣ ହେବ? ଏ ସବୁକଥା ଭାବିଲା ବେଳକୁ ପରିବାର ଓ ସମ୍ପର୍କୀୟଙ୍କ ହୋସ୍ ଉଡ଼ିଯାଉଛି । ଅଘଟଣରେ ଭାଇ ଚାଲିଯାଇଛି, ହେଲେ ପୂରା ପରିବାର ଭାସିଯାଇଛି । ଡ୍ୟୁଟିରେ ଥିବା ବେଳେ ଆଖି ବୁଜି ଦେଇଛନ୍ତି ପ୍ରଦୀପ ମଲ୍ଲିକ । ଜବତ ସୁତୁଲି ବୋମା ନିଷ୍କ୍ରିୟ କଲା ବେଳେ ଫୁଟି ଯିବାରୁ ହାବିଲଦାରଙ୍କର ମୃତ୍ୟୁ ହୋଇଛି । କଟକ ପୀର ବଜାର ଅଂଚଳର ପ୍ରଦୀପ, ୩ ଜଣିଆ ଟିମରେ ସାମିଲ ଥିବା ବେଳେ ଘଟିଯାଇଛି, ଏହି ଦୁଃଖଦ ଘଟଣା ।

ମୃତ ହାବିଲଦାରଙ୍କ ଶରୀରର ପ୍ରାୟ ୭୦ରୁ ୮୦ ଭାଗ ପୋଡ଼ି ଯାଇଥିଲା । ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ହାବିଲଦାରଙ୍କୁ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବିସ୍ଫୋରଣ ପରେ ପୋଲିସ ଓ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚିଛନ୍ତି । ତେବେ କେମିତି ଅଘଟଣ ଘଟିଲା ଏବଂ ଜଣେ ପୁଲିସ୍ କର୍ମଚାରୀ ମୃତ୍ୟୁ ହୋଇଗଲା ସେନେଇ ତଦନ୍ତ ଆରମ୍ଭ କରିଛି ।

ତେବେ ଏସବୁ ଭିତରେ ପ୍ରଶ୍ନ ଉଠୁଛି
- ବାଣ ହେଉ ବା ବୋମା, ନିଷ୍କ୍ରିୟ କରିବା ବେଳେ ଗାଇଡଲାଇନ୍ ପାଳନ କରାଯାଇଥିଲା ନା’ ନାହିଁ?
- ବିସ୍ଫୋରକ ସାମଗ୍ରୀକୁ ନିଷ୍କ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ କିଏ?
- ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଉତ୍ତରଦାୟୀ ରହିବେ କିଏ?